ଅଭିମନ୍ୟୁ
…….୧୦…….
ଚକ୍ରବ୍ୟୁହରେ ବୀରପୁତ୍ର
…………………………..
ଜ୍ୟେଷ୍ଠତାତ ଆଜ୍ଞା ପାଇ ଅଭିମନ୍ୟୁ କହେ ସାରଥିକୁ ଚାହିଁ,
ଚଳାଅ ସୁମିତ୍ର*ଶୀଘ୍ର ମୋର ରଥ ଯହିଁ ଦ୍ରୋଣ ଛନ୍ତି ରହି।
ସୁମିତ୍ର ବୋଲଇ “ଚକ୍ରରେ ଘୋଡାଇ ରଖନ୍ତୁ ତୁମ୍ଭକୁ ହରି,
ଏ ବଡ ଦୁଃସାଧ୍ୟ କାର୍ଯ୍ୟ କରିବାକୁ ଯାଉଛ ବୀର କେଶରୀ।
ଅଗ୍ନିରେ ଝାସିବା ଗରଳ ପିଇବା ସଙ୍ଗେ ଅଟେ ଏ ସମାନ,
ବିଛା ମନ୍ତ୍ର ଜାଣି ସର୍ପ ବିଳେ ହାତ ନଭର ପାର୍ଥ ନନ୍ଦନ।
ସଂସାରେ ବିଦିତ ଅର୍ଜୁନ ବ୍ୟତିତ ଚକ୍ରବ୍ୟୁହ ଭେଦିବାର,
ସାମର୍ଥ୍ୟ କା’ଠାରେ ନାହିଁ ବୀରମଣି ମୃତ୍ୟୁ ସିନା ହେବ ସାର।”

ସୂତକୁ ଅଭୟ ଅର୍ଜୁନ ତନୟ ଦେଇ ବୋଲେ”ଡର ନାହିଁ
ନଜାଣ କି ତୁମେ କାହା ପୁତ୍ର କାହା ଭଣଜା ଅଟଇ ମୁହିଁ?
ଛାର ଚକ୍ରବ୍ୟୁହ କି କରିବ କହ ପଛେ ଛନ୍ତି ବୃକୋଦର,
ଯା’ର ଗଦାଘାତେ ମେଦିନୀ ଦୁଲୁକେ ମେରୁ ହୁଏ ଥରହର।
ଜାଣ ତୁମ୍ଭେ ସୂତ,ମୁଁ ଅର୍ଜୁନ ସୁତ ,ଡର ମୋ ଜାତକେ ନାହିଁ,
ବୀରଭୋଗ୍ୟା ଏହି ବସୁନ୍ଧରା ପରା ବିଧାତା ଅଛନ୍ତି କହି।
ମୋ ଉପସ୍ଥିରେ ଚକ୍ରବ୍ୟୁହ ଘେରେ ଯୁଧିଷ୍ଠିର ହେବେ ବନ୍ଦୀ,
ଥାଇ ତୁଚ୍ଛପ୍ରାଣ କି ହେବ ସୁମିତ୍ର ଶତ୍ରୁସଙ୍ଗେ କରି ସନ୍ଧି?”

ଆଜ୍ଞାପାଇ ବେଗେ ଚକ୍ରବ୍ୟୁହ ଦିଗେ ସୂତ ଦେଲା ଘୋଡା ଚାଳି,
ସୁବର୍ଣ୍ଣ ରଥରେ ଉଭା ଅଭିମନ୍ୟୁ ଦେବ ସେନାପତି ଭଳି।
ଆଗେ ଆଗେ ଚଳେ ଅଭିମନ୍ୟୁ ରଥ ପଛରେ ପାଣ୍ଡବ ସେନା,
ଭୀମ,ଧୃଷ୍ଟଦ୍ୟୁମ୍ନ,ସାତ୍ୟକି,ବିରାଟ ଚଳନ୍ତି ଉଡାଇ ବାନା।
କାର୍ମୁକ ଟଙ୍କାରେ ମେଘ ଘଡଘଡି ସମ ସୃଷ୍ଟିକରି ରଡି,
ଆସନ୍ତେ ଅର୍ଜୁନ ଆତ୍ମଜ ସଇନେ ପଳାଅନ୍ତି ରଣ ଛାଡି।
ଅର୍ଜୁନ ଆସେ କି ଅଭିମନ୍ୟୁ ବୋଲି ଦ୍ବନ୍ଦେ ପଡିଲେ ରଥିଏ,
ଶିରେ ଶିରସ୍ତ୍ରାଣ କର୍ଣ୍ଣରେ କୁଣ୍ଡଳ ବକ୍ଷେ ସାଞ୍ଜୁ ଶୋଭାପାଏ।
ବର୍ତ୍ତୁଳ ଫଳକ ପୃଷ୍ଠେ ଶୋଭାପାଏ ଯେହ୍ନେ ସୁଦର୍ଶନ ଚକ୍ର,
ଆଜାନୁ ଲମ୍ବିତ ବଳିଷ୍ଠ ଭୁଜରେ ଶୋଭେ ବିଶାଳ କାର୍ମୁକ।
ଦେଦୀପ୍ୟମାନ ତା ମୁଖ ଶୋଭା ଆଗେ ଅଂଶୁମାନ ନିମିଳିତ,
କୋଟି ହସ୍ତୀବଳ ଦେହେ ତାର ଠୁଳ ମାଡିଚାଲେ ପାର୍ଥସୁତ।

କୋଳାହଳ ଶୁଭେ କୌରବ ସଇନେ ଶମନ କି ଆସେ ମାଡି,
ପଳାତକେ ଡାକି ବୋଲେ କୁରୁରାଜ “ନ ଯାଅରେ ରଣଛାଡି।
ଏ ଛାର ଶିଶୁକୁ ଡରି ପଳାୟନ କର ମୁଖେ ଲାଜ ନାହିଁ,
ଭୀରୁ ବୋଲି ନିନ୍ଦା ଅରଜି କିପରି ବଞ୍ଚିବ ଜୀବନ ନେଇ?”
କହୁ କହୁଁ ଅଭିମନ୍ୟୁ ଶରାଘାତେ ଭଗ୍ନ ଦୁର୍ଯ୍ୟୋଧନ ରଥ,
ମାନଗୋବିନ୍ଦର ଦଶା ଦେଖି ଗୁରୁ ଆସି ଓଗାଳିଲେ ପଥ।
ମହାବଳୀ ସିଂହ ହସ୍ତୀ ଦଳେ ଯେହ୍ନେ କରି ଉଦଣ୍ଡ ନର୍ତ୍ତନ,
କଉରବ ମହାରଥି ମଧ୍ୟେ ତେହ୍ନେ ଅଭିମନ୍ୟୁ କରେ ରଣ।
ମହାବେଗା ଚିତ୍ରୋତ୍ପଳା ଆଗେ ଯଥା ବାଲିବନ୍ଧ ଯାଏ ଭାସି,
ସୁଭଦ୍ରା ନନ୍ଦନ ଦେଲାଟି ତେସନ ଦ୍ରୋଣଙ୍କର ବ୍ୟୁହ ଧ୍ବଂସି।
ଦ୍ରୋଣ,କୃପାଚାର୍ଯ୍ୟ,କର୍ଣ୍ଣ,ଅଶ୍ବତ୍ଥାମା,କୃତବର୍ମା ଆଦି ବୀରେ,
ନପାରିଲେ ତିଷ୍ଠି ବୀର ପୁତ୍ର ଆଗେ ପଛଘୂଞ୍ଚି ଦେଲେ ଖରେ।
କୌରବ ସଇନ ମଧ୍ୟେ ପଡିଗଲା ଭୟଙ୍କର ହାହାକାର,
ବିଜୟ ଦର୍ପରେ ଚକ୍ରବ୍ୟୁହ ଧ୍ବଂସ କରେ ଅଭିମନ୍ୟୁ ବୀର।

*ସୁମିତ୍ର—ଅଭିମନ୍ୟୁର ସାରଥିର ନାମ

କ୍ରମଶଃ………….

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *