Tuesday, April 16, 2024
Uncategorized

ଅଭିମନ୍ୟୁ
…….୧୨……
ଅଧର୍ମ ଯୁଦ୍ଧ
…………….
ବୋଇଲେ ଆଚାର୍ଯ୍ୟ “ମନୁ ଈର୍ଷା ତେଜ
ଆହେ କୁରୁ ଯୁବରାଜ,
ଛାଡ ବାକ୍ୟବାଣ, ତା ସହିତେ ରଣ
ଜିଣିଲେ ବଞ୍ଚିବ ଲାଜ।”
“ଧର୍ମଯୁଦ୍ଧେ ତାକୁ ଜିଣି ପାରିବାନି”
ବୋଲି କହେ କୁରୁରାଣ,
ଆସ ଆସ ଗୁରୁ ସର୍ବେ ଏକହୋଇ
ତା ସଙ୍ଗେ କରିବା ରଣ।
ତା ନହେଲେ ଶୁଷ୍କ ଅରଣ୍ୟକୁ ଅଗ୍ନି
ଗ୍ରାସକରେ ଯେଉଁପରି,
କ୍ଷଣକେ ନାଶିବ କୌରବ ସେନାନୀ
ବିବସ୍ବାନ ତେଜଧାରୀ।”
ଏ ସମୟେ ଆସି ଲକ୍ଷ୍ମଣ କୁମାର
କରନ୍ତେ ଘୋର ସମର,
ଏକ ବାଣ ପେଶି ଅଭିମନ୍ୟୁ ତାକୁ
ପଠାଇଲା ଯମପୁର।
ବୀରପୁତ୍ର ମୃତ୍ୟୁ ଦେଖି ଦୁର୍ଯ୍ୟୋଧନ
ବିକଳେ କରି ରୋଦନ,
ବୋଇଲା ରଥୀଏ “ମୋ ପୁତ୍ରହନ୍ତାଙ୍କୁ
ବଧକର ତତକ୍ଷଣ।”
ଶୁଣି ମିତ୍ରବାଣୀ କର୍ଣ୍ଣ ଧନୁ ଟାଣି
ପଛରୁ ପେଶି ଶାୟକ,
ଅଭିମନ୍ୟୁ ଅଜ୍ଞାତରେ କାଟିଦେଲେ
ତାର ବିଶାଳ କାର୍ମୁକ।
ଅନ୍ୟ ଏକ ବାଣ ତେଜି କର୍ଣ୍ଣ କଲେ
ଅଭିମନ୍ୟୁ ରଥ ଚୂର୍ଣ୍ଣ,
ପାଦେ ଉଭାହୋଇ,ହସ୍ତେ ଖଡ୍ଗ ନେଇ
ଯୁଝେ ସୁଭଦ୍ରା ନନ୍ଦନ।
ବୋଲେ ଅଭିମନ୍ୟୁ”ହେ ମହାମହିମ!
କବଚ କୁଣ୍ଡଳଧାରୀ,
ପର୍ଶୁରାମଙ୍କର ଶିଷ୍ୟହୋଇ ବୀର
ଅନୀତି କଲ କିପରି?
କି ଭାବିବେ ମନେ,ପର୍ଶୁରାମ ଦିନେ
ଶୁଣିଲେ ତୁମ୍ଭ ଅକୀର୍ତ୍ତି?
ତୁମ୍ଭ ଗୁରୁଭ୍ରାତ ଦ୍ରୋଣ ସଙ୍ଗରେତ
ମିଶି କରୁଛ ଅନୀତି।
ଏଡେ ବୀର ହୋଇ,ଲଜ୍ଜା ଲାଗେନାହିଁ,
ସର୍ବେ ମିଳି ମା ର ମୋତେ,
ଶୁଣିବେ ଏକଥା,ଯେବେ ମୋର ପିତା,
ବର୍ତ୍ତିବକି ତୁମ୍ଭେ ସତେ!”

ସାରଥୀ ସୁମିତ୍ର,ରଣେ ହେଲା ହତ,
ଅଶ୍ବେ ଗଲେ ଯମପୁରୀ,
ଚକ୍ରବ୍ୟୁହେ ପଡିଅଛି ଅଭିମନ୍ୟୁ
ଯୂପେ ବଦ୍ଧପଶୁପରି।
ତଡିତ ବେଗରେ ଖଡ୍ଗ ବୁଲାଉଛି,
ଘୂରେ ଯେହ୍ନେ ଚକ୍ରବାତ,
ପ୍ରତିହତ କରେ ସପ୍ତରଥୀଙ୍କର
ଆକ୍ରମଣ ବୀରପୁତ୍ର।
ଖଡଗ ତା କାଟି ଦିଅନ୍ତେ ଆଚାର୍ଯ୍ୟ
ଚାହିଁ ସେ ଦିଗକୁ ବୀର,
ବୋଲେ”ଭରଦ୍ବାଜ ପୁତ୍ର ହୋଇ ତୁମ୍ଭେ
ନାମ କଳଙ୍କିତ କର।
ହେ ଗୁରୁ ଆଚାର୍ଯ୍ୟ ତୁମ୍ଭେତ ବୋଲାଅ
ଆଚାର ଶ୍ରେଷ୍ଠ ଧରାରେ,
କେଉଁଠି ଦେଖିଛ ଏକତ୍ର ହୋଇ କେ,
ଏକ ନିରସ୍ତ୍ରକୁ ମାରେ?
ଆହେ କୃତବର୍ମା,ନାରାୟଣୀ ସେନା
ଅଧ୍ୟକ୍ଷ ବୋଲାଅ ପରା,
ଏ ଅନ୍ୟାୟକରି କେଉଁ ଯଶବାନା
ଉଡାଇବ ତୁମ୍ଭେ ଧରା?
ହେ ବ୍ରାହ୍ମଣ କୃପ,ତୁମ୍ଭ ଅନୁରୂପ
ନୁହେ ଏ ଗର୍ହିତ କର୍ମ,
ବ୍ରାହ୍ମଣ ଧର୍ମ ତ ନପାରିଲ ରଖି,
ନଷ୍ଟ କର କ୍ଷାତ୍ର ଧର୍ମ !
ପ୍ରାଣଭୟେ ମୋତେ କର ଆକ୍ରମଣ,
ଏକତ୍ର ହୋଇ ହେ ବୀରେ!
ନିଜେ କ୍ଷତ୍ରୀ ହୋଇ ଲଜ୍ଜାଲାଗେ ଦେଖି
ତୁମ୍ଭ  କାପୁରୁଷତାରେ!

କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply