Saturday, April 20, 2024
Uncategorized

ସ୍ବୟମ୍ବର
….୧୧….
କୃଷ୍ଣଙ୍କୁ ଜାମାତା କରିବା କଳ୍ପନା
************************
ଦେଖି ପିତାଙ୍କର ହୃଦସିନ୍ଧୁ ଉଦ୍ବେଳିତ,
କହନ୍ତି କୃଷ୍ଣା “ମୋ କଥା ଥରେ ଶୁଣ ତାତ।
ଭାରତ ଭୂଖଣ୍ଡେ ଧର୍ମ ସଂସ୍ଥାପନା ପାଇଁ,
ଅବତୀର୍ଣ୍ଣ ହୋଇଛନ୍ତି କୃଷ୍ଣ ଯଦୁ ସାଇଁ।
ଅଲୌକିକ ଶକ୍ତିର ସେ ଦେଇଣ ପ୍ରମାଣ,
ହସ୍ତେ ତୋଳି ପାରିଛନ୍ତି ଗିରି ଗୋବର୍ଦ୍ଧନ।
କାଳିୟ ଦଳନ କରି ଯମୁନା ଜଳରେ,
ରାକ୍ଷସ କଂସକୁ ବଧିଛନ୍ତି ମଥୁରାରେ।
ଜରାସନ୍ଧକୁ ହରାଇ ଗୋମନ୍ତକ ପଥେ,
କାଳଯବନ ମରାଇ ମୁଚୁକୁନ୍ଦ ହସ୍ତେ,
ଦ୍ବାରକାରେ ସୁରକ୍ଷିତେ ବିସ୍ଥାପି ଯାଦବ,
ବିଦର୍ଭର ଦର୍ପ ଦଳି ଅଛନ୍ତି ମାଧବ।
ଶାଳକ ରୃକ୍ମ ମସ୍ତକ କରାଇ ମୁଣ୍ଡନ,
ବୈଦର୍ଭୀ ରୃକ୍ମିଣୀ ବିଳସନ୍ତି ନାରାୟଣ।
ପାଞ୍ଚାଳ ସଙ୍ଗେ ଯଦୁଙ୍କ ହୋଇଲେ ସମ୍ବନ୍ଧ,
ନ ହୋଇବେ କେହି ପାଞ୍ଚାଳର ସମାସ୍କନ୍ଦ।
ହୋଇପାରିଲେ ତା ଦ୍ରୋଣ ଯିବ କାହୁଁ ବଳି?
ପ୍ରତିଜ୍ଞା ପୂରଣ ହେବ ଆହେ ମହାବଳୀ।”

କନ୍ୟାର ମୁଖୁ ଶ୍ରୀକୃଷ୍ଣ ପ୍ରଶଂସାକୁ ଶୁଣି,
ସ୍ମିତ ହସି ବୋଇଲେ ପାଞ୍ଚାଳ ନରମଣି।
“କଲ୍ୟାଣୀ! ତୁ ମନକଥା କହିଦେଲୁ ମୋର,
ଦୁର୍ଲଭ ମଣି ଅଟନ୍ତି କୃଷ୍ଣ ଯୋଗେଶ୍ବର।
ଗୁରୁ ସନ୍ଦିପନି ଠାରୁ ଶୁଣିଅଛି ଯାହା,
ବଡ ଅଲୌକିକ କୀର୍ତ୍ତିମନ୍ତ ଯଦୁନାହା।
ସୁଦର୍ଶନ ଚକ୍ର,କୌମୁଦୁକୀ ଗଦା ହସ୍ତେ,
ଶାରଙ୍ଗ ଧନୁକୁ ବିଶ୍ବେ ଡରନ୍ତି ସମସ୍ତେ।
ତାଙ୍କ ସମ ଧନୁର୍ଦ୍ଧର ତ୍ରିଲୋକରେ ନାହିଁ,
କୁଟନୀତି ପଣେ ଅଦ୍ବିତୀୟ ଯଦୁସାଇଁ।
ବୁଦ୍ଧିମାନ,ସନ୍ତୁଳିତ ମସ୍ତକ କନ୍ଧରେ,
ଅବିଚଳିତ ସେ ବିଷମ ପରିସ୍ଥିତିରେ।
ମୁଖେ ଲାଗିଥାଏ ସଦା କମନୀୟ ହସ,
ଅଦ୍ବିତୀୟ ଯାଦୁକାରୀ ଅଟେ ପୀତବାସ।
କୃଷ୍ଣବାସୁଦେବ ହେଲେ ଜାମାତା ମୋହର,
ଦ୍ରୋଣ କିବା ଛାର,ଜିଣିପାରେ ତିନିପୁର।
ଆଜି ସନ୍ଦିପନିଙ୍କୁ ମୁଁ ଦେଉଛି ପ୍ରସ୍ତାବ,
ବୁଝି ଜଣାଇବେ ବାସୁଦେବ ମନୋଭାବ।”
ଏତେବୋଲି କାଳ ବ୍ୟୟ ନକରି ପାଞ୍ଚାଳ,
ଡକାଇଲେ ଗୁରୁ ସନ୍ଦିପନିଙ୍କୁ ଚଞ୍ଚଳ।
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply