ସ୍ବୟମ୍ବର
…..୧୫….
ପାଞ୍ଚାଳ ରାଜଧାନୀ କାମ୍ପିଲ୍ୟରେ ଶ୍ରୀକୃଷ୍ଣ
***************************
କାମ୍ପିଲ୍ୟ*ଦିଗରେ ଅଶ୍ବ ଦେଲେ ଝପଟାଇ,
କୃଷ୍ଣବାସୁଦେବ ,ସଙ୍ଗେ ସାତ୍ୟକିଙ୍କୁ ନେଇ।
ପବନ ସହିତ କଥାହୁଏ ରହୁବର @
ସାତ୍ୟକିଙ୍କୁ ଚାହିଁ ପଚାରନ୍ତି ଚକ୍ରଧର।
“କାହିଁକି ଚିନ୍ତା ମଗନ କୁହ ଯୁଯୁଧାନ, #
ତୁମ୍ଭ ଚିନ୍ତା ଦେଖି ହୁଏ ବ୍ୟାକୁଳ ମୋ ମନ”।
କହିଲେ ସାତ୍ୟକି “ପ୍ରଭୁ ତୁମ୍ଭେ ଅନ୍ତର୍ଯ୍ୟାମୀ,
ମୋର ମନକଥା ସତେ ନପାର କି ଜାଣି?
ମନେ ମୋ ଉଠଇ ପ୍ରଶ୍ନ ଦେଖି ତୁମ୍ଭ କାର୍ଯ୍ୟ,
ପାଞ୍ଚାଳକୁ କେଉଁ ଅର୍ଥେ ଯାଉଛ ହେ ଆର୍ଯ୍ୟ?
କୃଷ୍ଣାକୁ ପାଇବା ଯେବେ ଲକ୍ଷ ନୁହେ ହରି,
କାମ୍ପିଲ୍ୟକୁ ଯାଉଅଛ କି ଉଦ୍ଦେଶ୍ୟ ଧରି?”

ଶୀକୃଷ୍ଣ ବୋଇଲେ “ଧର୍ମ ସଂସ୍ଥାପନା ପାଇଁ,
ଅବତ୍ତୀର୍ଣ୍ଣ ହୋଇଅଛି ଧରାଧାମେ ମୁହିଁ।
ଜରାସନ୍ଧ ଗୃହେ ଯେବେ ଯାଜ୍ଞସେନୀ ଯିବ,
ଆର୍ଯ୍ୟାବର୍ତ୍ତ ଧର୍ମନୀତି ପ୍ରଭାବିତ ହେବ।
ଆଭାସ ମିଳଇ ବଞ୍ଚିଛନ୍ତି ପାଞ୍ଚଭାଇ,
କରିବାକୁ ହେବ ସ୍ବୟମ୍ବର ତାଙ୍କ ପାଇଁ।
ପାଣ୍ଡୁ ପାଞ୍ଚଭାଇ ମଧ୍ୟୁ କେହି ଜଣେ ବୀର,
ହେବ ଯେବେ ହେ ସାତ୍ୟକି ଯାଜ୍ଞସେନୀ ବର,।
ପାଞ୍ଚାଳର ସହାୟତା ପାଣ୍ଡବେ ପାଇବେ,
ହସ୍ତିନାରେ ଅଧିକାର ସାବ୍ୟସ୍ତ କରିବେ।
ସଦା ଧର୍ମପଥ ଗାମୀ ପାଣ୍ଡୁ ପାଞ୍ଚ ଭାଇ,
ଅଧର୍ମ ପଥର ଯାତ୍ରୀ କୌରବ ଗୋସାଇଁ।
ପାଣ୍ଡବଙ୍କୁ ଦେବାପାଇଁ ହୃତ ସନମାନ,
ଅନ୍ୟ ଉପାୟ ତ କିଛି ନାହିଁ ଯୁଯୁଧାନ।
ପାଣ୍ଡବଙ୍କହିତେ ଗୋପ୍ୟ ରଖ ଏ ସମ୍ବାଦ,
ଦ୍ରୁପଦ ବି ନଜାଣିବ ଏ ସତ୍ୟର ଭେଦ।
ଲାଖବିନ୍ଧାର କଠିନ ପରୀକ୍ଷା ହୋଇବ,
ସେ ପରୀକ୍ଷାରେ ଅର୍ଜୁନ ବିଜୟୀ ହୋଇବ।
କୃଷ୍ଣା ସଙ୍ଗେ ଅର୍ଜୁନର ବିବାହ ହୋଇଲେ,
ପାଣ୍ଡବଙ୍କ ଭାଗ୍ୟଚକ୍ର ଘୂରିଯିବ ଭଲେ।
ହତାଶାରେ ବୁଲୁଛନ୍ତି ଯେଉଁ ପଣ୍ଡୁ ପୁତ୍ରେ,
ଭିକ୍ଷା ମାଗି ଦ୍ବାରେ ଦ୍ବାରେ ଜନପଦ ପ୍ରାନ୍ତେ।
ବଦଳିବ ଭାଗ୍ୟ ପାଇ ପାଞ୍ଚାଳ ଶକତି,
ଭାଗ୍ୟଚନ୍ଦ୍ର ଦୁର୍ଭାଗ୍ୟର ମେଘୁ ହେବ ମୁକ୍ତି।”

ସାତ୍ୟକି ବୋଇଲେ “କୃଷ୍ଣା ସ୍ବୟମ୍ବର ପାଇଁ,
ସନମତି କିପାଁ ଦେବେ ପାଞ୍ଚାଳ ଗୋସାଇଁ?”
ମୃଦୁ ହସି ବାସୁଦେବ ବୋଇଲେ “ହେ ଆର୍ଯ୍ୟ,
ଦେଖ ମୁଁ କିପରି କରାଉଛି ସେହି କାର୍ଯ୍ୟ।”
ସାତ୍ୟକି ବୋଇଲେ”କୃଷ୍ଣ ତୁମ୍ଭ ପ୍ରହେଳିକା,
ବୁଝିବା ପାଇଁ ସମର୍ଥ ନୁହେଁ ମୁହିଁ ଏକା।
ତୁମ୍ଭେ ଏକା ଜାଣ ତୁମ୍ଭ ମନ ମାନଚିତ୍ର,
ତାକୁ ପଢିବା ପାଇଁ ମୁଁ ନୁହଇ ସମର୍ଥ।
ଏତିକି ମାତ୍ର ମୁଁ ଜାଣେ,ଯାହା ତୁମ୍ଭେ କର,
ଅନ୍ତିମେ ସଫଳ ହୁଏ ଉଦ୍ଦେଶ୍ୟ ତୁମ୍ଭର।”

ହେଉ ଏହିପରି ଦୁହଁ କଥୋପକଥନ,
କାମ୍ପିଲ୍ୟରେ ପହଞ୍ଚିଲା କୃଷ୍ଣଙ୍କ ସ୍ୟନ୍ଦନ।
ନବରୁ ଆସି ପାଛୋଟି ନେଲେ ଧୃଷ୍ଟଦ୍ୟୁମ୍ନ,
ପୂଜାକଲେ ବାସୁଦେବେ ଦେଇ ସନମାନ।
ଚାମର ଢାଳିଲେ ଆସି ଭ୍ରାତା ସତ୍ୟଜିତ,
ଲାଘବ କରିଲେ ପଥ ଶ୍ରାନ୍ତ ନନ୍ଦ ସୁତ।

*କାମ୍ପିଲ୍ୟ…ପାଞ୍ଚାଳର ରାଜଧାନୀ
@ରହୁବର…..ରଥ
#ଯୁଯୁଧାନ—ସାତ୍ୟକିଙ୍କର ଅନ୍ୟନାମ

କ୍ରମଶଃ——–

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *