ସ୍ବୟମ୍ବର
…..୧୮….
ଦ୍ରୁପଦଙ୍କ ଆଶଂକା
*************
ମନରେ ଆଶଂକା ଭରି ଦ୍ରୁପଦ ରାଜନ,
ବୋଇଲେ “ହେ ଧୀର ! ଜରାସନ୍ଧ ବଡ ହୀନ।
ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ତାର,
ଆୟୋଜନ କରିଲେ ମୁଁ ଜେମା ସ୍ବୟମ୍ବର-।
କ୍ରୋଧେ ହୋଇ ଅନ୍ଧ ଜରାସନ୍ଧ ପାଞ୍ଚାଳକୁ,
କରିପାରେ ଆକ୍ରମଣ କନ୍ୟା ହରିବାକୁ।
ଏମନ୍ତ ପରିସ୍ଥିତିରେ ଆହେ ବାସୁଦେବ,
ପାଞ୍ଚାଳର ସହାୟତା କିଏସେ କରିବ?”

ଗୋବିନ୍ଦ ବୋଇଲେ “ତାର ଭାଗ୍ୟ ହେଲେ ମନ୍ଦ,
ହରଣ ପ୍ରୟାସ କରିବଟି ଦୁରାକନ୍ଦ।
ବହୁଦିନ ହସ୍ତେ ମୋର ରହିଲେଣି ମୌନ,
ମୋ ଆଦେଶ ଅପେକ୍ଷାରେ ଚକ୍ର ସୁଦର୍ଶନ।
କମ୍ପିବ ବିଶ୍ବ ଶାରଙ୍ଗ ଧନୁ ଟଙ୍କାରରେ,
କୌମୁଦୁକି ଗଦାଘାତେ ଯିବ ଯମପୁରେ।
କାନ୍ଧକୁ ଯେବେ ତାହାର ମୁଣ୍ଡ ହେବ ଭାରି,
କନ୍ୟା ଚୋରି କରିବ ସେ ଆହେ ଦଣ୍ଡଧାରୀ।
ଅତି ଭୟଙ୍କର ନାରାୟଣୀ ସେନା ମମ,
ଜରାସନ୍ଧ ଉଡିଯିବ ତୁଚ୍ଛ ତୁଳା ସମ।”

ହୃଷ୍ଟ ହେଲେ ଏହାଶୁଣି ଦ୍ରୁପଦ ରାଜନ,
ପୁଣି ବୋଇଲେ “ଆଶଂକା ଦିଏ ଦୁର୍ଯ୍ୟୋଧନ।
କନ୍ୟା ହରଣ କୁରୁଙ୍କ ଅଟେ ବଂଶଗତ,
କାଶୀ ରାଜନନ୍ଦିନୀଙ୍କୁ ହରି ଗଙ୍ଗା ପୁତ୍ର-
ବିଚିତ୍ର ବିର୍ଯ୍ୟଙ୍କ ହସ୍ତେ ଦେଇଥିଲେ ଦିନେ,
ଆଜି ସେହି ଚିନ୍ତା ଯେବେ ଉଠିବ ହେ ମନେ-।
ଦୁର୍ଯ୍ୟୋଧନ ପାଇଁ ମୋର କୃଷ୍ଣାକୁ ହରିବେ,
ଦ୍ରୋଣ,କର୍ଣ୍ଣ,ଅଶ୍ବତ୍ଥାମା ସହାୟକ ହେବେ।
ସେଠାରେ ସହାୟ ମୋର ହେବକି ମାଧବ,?
କୌରବେ ଅଟନ୍ତି ପରା ତୁମ୍ଭର ବାନ୍ଧବ।”

ବାସୁଦେବ ବୋଇଲେ “ହେ ଚିନ୍ତା କରନାହିଁ,
ସ୍ବୟଂବର ବିଧି ଯେବେ ନମାନିବେ ସେହି,
ମୋତେ ଜଣା କେଉଁପରି ଧରିବେ ସେ ବାଟ,
ମୋ କଥା ଅନ୍ୟଥା ନକରିବେ ଗଙ୍ଗାଚାଟ।”

ଅଳପ ହସି କହନ୍ତି ଦ୍ରୁପଦ ରାଜନ,
“ତୁମ୍ଭେ ତ କନ୍ୟା ହରଣେ ସିଦ୍ଧ ଜନାର୍ଦ୍ଦନ।
ଯେବେ ହରି ହରି କନ୍ୟା ବିବାହ କରିବ,
ଯାଜ୍ଞସେନୀ ମନବାଞ୍ଛା ପୂର୍ଣ୍ଣ ହୋଇଯିବ।”

ଶୁଣି ଏ ଶ୍ଲେଷ ବଚନ ହସିଲେ ଗୋବିନ୍ଦ,
ହସ ଛଳେ ଉଇଁଲା କି ନଭେ ପୂର୍ଣ୍ଣ ଚାନ୍ଦ!
ଭାବିଲେ “ସତ୍ୟ ବଚନ କହନ୍ତି ରାଜନ,
କନ୍ୟା ଚୋରି ନୁହେଁ, ମୁହିଁ ଚୋରିକରେ ମନ।
କିନ୍ତୁ ଦ୍ରୌପଦୀର ଜନ୍ମ ବିଧିର ବିଧାନ,
ଦୁଷ୍ଟ ନିବାରଣ ଅର୍ଥେ ଯାଜ୍ଞସେନୀ ଜନ୍ମ।
ନାରୀ ଶକ୍ତି ଚମତ୍କାର ଅବଗତ ମୁହିଁ,
ମୋହିନୀ ବେଶେ ଅମୃତ ଥିଲି ଯା ଚୋରାଇ।
ସାଧୁଙ୍କୁ ଦିଏ ଅମୃତ,ଦୁଷ୍କୃତଙ୍କୁ ବିଷ,
ବେଶ ଯାହାହେଉ,ନାରୀ ଅଥବା ପୁରୁଷ।
କୃଷ୍ଣା ଦେହେ କୃଷ୍ଣ ମୁହିଁ,ଦୁର୍ଗାଦେହେ ଶିବ,
ପ୍ରଳୟ ମୋ ନାମ ପୁଣି ମୁଁ ଅଟେ ପ୍ରଭବ।”
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *