…..୨୦….
ଉଦ୍ଧବଙ୍କ ଠାରୁ ପାଣ୍ଡବ ସମ୍ବାଦ
**********************
ରାକ୍ଷାସାବର୍ତ୍ତରେ @ ପହଞ୍ଚି ଉଦ୍ଧବ
ଠାବକଲେ ବୃକୋଦର,
ହିଡିମ୍ବକୁ ମାରି ସେ ଦେଶେ ରାଜତ୍ବ
କରୁଥିଲେ ଗଦାଧର।
ହିଡିମ୍ବାର ହାତ ଧରି ମହା ତୋଷେ
ରହିଥିଲେ ମହାବଳୀ,
ରାକ୍ଷସୀ ଗର୍ଭରୁ ଜନ୍ମିଥିଲା ପୁତ୍ର
ବିରୋଚନ# ଶକ୍ତିଶାଳି।
ବାକି ଚାରିଭାଇ ମାତା କୁନ୍ତୀ ସଙ୍ଗେ
ଏକଚକ୍ର ନଗ୍ରେ ଯାଇ,
ଦୟାଳୁ ବ୍ରାହ୍ମଣ ଘରେ ଆଶ୍ରା ନେଇ
ଛଦ୍ମବେଶେ ଥିଲେ ରହି।
ଭିକ୍ଷା ମାଗି ଯାହା ଆଣନ୍ତି ପାଣ୍ଡବେ
ପୋଷନ୍ତି ପେଟ ତହିଁରେ,
ପାଣ୍ଡବ ଦୁର୍ଦ୍ଦଶା ଦେଖି ଯଦୁବଂଶୀ $
ଫେରିଲେ ମନସ୍ତାପରେ।
ଫେରିବା ସମୟେ ବୃକୋଦର ତାଙ୍କୁ
ବହୁ ସମ୍ବର୍ଦ୍ଧନା ଦେଇ,
ବୋଇଲେ “ମୁଁ ମାତା ଭ୍ରାତାଙ୍କ ସହିତ
ଚଞ୍ଚଳ ମିଳିବି ଯାଇ।
ଶ୍ରୀକୃଷ୍ଣଙ୍କୁ ମୋର ଦେଇ ଆଶୀର୍ବାଦ &
କହିବ ଉଦ୍ଧବ ଆର୍ଯ୍ୟ,
କୌରବଙ୍କ ଧ୍ବଂସ ପାଇଁ ଭୀମସେନ
ସମୟ କରିଛି ଧାର୍ଯ୍ୟ।
ସେ ସମୟେ କୃଷ୍ଣ,ଦ୍ବାରକା ଈଶ୍ବର,
ସହାୟ ହେବେ ଆମ୍ଭର,
ଅକୌରବା କରିବାକୁ ଏ ଧରଣୀ
ପ୍ରତିଜ୍ଞା ଅଟଳ ମୋର।
ଧର୍ମରାଜ ନିଶ୍ଚେ ଭୋଗିବେ ଧରଣୀ
କୁରୁବଂଶ ହେବ ଧ୍ବଂସ,
ଭୀମ ଗଦାଘାତେ ପଦାହେବ ଶୀଘ୍ର
ଚକ୍ରାନ୍ତକାରୀଙ୍କ ବଂଶ।”
ପାଣ୍ଡବଙ୍କ ଠାରୁ ଘେନିଣ ବିଦାୟ
ଉଦ୍ଧବ ଆସିଲେ ଫେରି,
ପଥେ ଜନାର୍ଦ୍ଦନ ମିଳନ୍ତେ ତକ୍ଷଣ
କହିଲେ ସବୁ ବିସ୍ତାରି।
ପାଇ ପାଣ୍ଡବଙ୍କ ଜୀବିତ ସନ୍ଦେଶ,
କୃଷ୍ଣ ହେଲେ ହୃଷ୍ଟମନ,
ଦ୍ବାରକା ଫେରିଲେ ସଙ୍ଗରେ ଉଦ୍ଧବ,
ମହାମନା ଯୁଯୁଧାନ।
ପାଞ୍ଚିଲେ କେଶବ,ସ୍ପର୍ଦ୍ଧା ଯେବେ ହେବ
କଠିଣ ଧନୁର୍ବିଦ୍ୟାର,
ଯାଜ୍ଞସେନୀ ସ୍ବୟମ୍ବରେ,ପାର୍ଥ ବିନା
ସମସ୍ତଙ୍କ ହେବ ହାର।
ଧନଞ୍ଜୟ ହେଲେ ପାଞ୍ଚାଳ ଜାମାତା,
ପାଣ୍ଡବେ ପାଇବେ ରାହା,
କୌରବଙ୍କସଙ୍ଗେ ସଂଗ୍ରାମହୋଇଲେ
ଯାଜ୍ଞସେନ ହେବେସାହାା
ଏମନ୍ତ ବିଚାରି ଗୁରୁ ସନ୍ଦିପନୀ
ଆଶ୍ରମେ ମିଳିଲେ ଯାଇ,
ଲାଖବିନ୍ଧା ସ୍ପର୍ଦ୍ଧା ପାଇଁ ମନଶ୍ଚିତ୍ର
ଗୁରୁଙ୍କୁ ଦେଲେ ବତାଇ।
‘ଉର୍ଦ୍ଧ୍ବେ ଘୂରୁଥିବ ଚକ୍ର,ତାଉପରେ
ଶୂନ୍ୟେ ରହିଥିବ ମାଛ,
ତଳେ ଜଳକୁଣ୍ଡେ ପ୍ରତିବିମ୍ବ ତାର
ଦେଖାଯାଉଥିବ ସ୍ବଚ୍ଛ।
ଉର୍ଦ୍ଧ୍ବେ ଧନୁ ତୋଳି ,ଜଳକୁ ଅନାଇ
ବିନ୍ଧିବ ଯେ ଧନୁର୍ଦ୍ଧର,
ଚକ୍ର ରନ୍ଧ୍ର ଦେଇ ମତ୍ସ୍ୟର ଚକ୍ଷୁକୁ
ଭେଦ କରିବ ଯା ତୀର।
ବୀରେ ବୀର ଧନୁର୍ଦ୍ଧରେ ଧନୁର୍ଦ୍ଧର
ଗଣାହେବ ସେହି ରଥୀ
ସେମାନଙ୍କ ମଧ୍ୟୁ କୃଷ୍ଣା ଯାଜ୍ଞସେନୀ
ବାଛିବେ ଜୀବନ ସାଥୀ।
ଏ ପ୍ରକାର ଆୟୋଜନ କରାଇବ
ସନ୍ଦିପନୀ ଗୁରୁବର,
ଦ୍ରୁପଦଙ୍କ ସଙ୍ଗେ ଆଲୋଚି କରିବ
ସ୍ବୟମ୍ବର ତିଥି ସ୍ଥିର।
ଫାଲ୍ଗୁନ ବା ଚୈତ୍ର ମାସ ଉପଯୁକ୍ତ
ହେବ ସ୍ବୟମ୍ବର ପାଇଁ,
ସେ ପର୍ଯ୍ୟନ୍ତ ଅଜ୍ଞାତରେ ପଣ୍ଡୁପୁତ୍ରେ
ଛଦ୍ମବେଶେ ଥାନ୍ତୁ ରହି।”
କୃଷ୍ଣ ଅନୁରୋଧେ ଗୁରୁ ସନ୍ଦିପନୀ
ଚଳିଲେ ପାଞ୍ଚାଳ ଦେଶ,
ଏଣେ ବୃକୋଦର ତେଜି ରାଜଦଣ୍ଡ
ଚଳିଲେ ମାତାଙ୍କ ପାଶ।
ରାକ୍ଷାସାବର୍ତ୍ତରେ ଖିର,ଘିଅ,ଛେନା
ଫଳମୂଳ ଆହାରରେ,
ବର୍ଦ୍ଧିତ ଶରୀର ବୃକୋଦର ଦିଶୁ-
ଥିଲେ ପର୍ବତ ଆକାରେ।
ଭୀମଙ୍କ ପ୍ରଭାବେ ଶାକାହାରୀ
ପାଲଟିଲେ ସାମ୍ରାଜ୍ଞୀ ହିଡିମ୍ବା,
କୁସୁମ ପରଶେ ପଟ୍ଟ ନିସ୍ତରଇ
ମିଛେ ଲେଖାଅଛି କିବା?
ବିଦାୟ ସମୟେ ହିଡିମ୍ବାଙ୍କୁ
ନିମନ୍ତ୍ରିଲେ ଭୀମ ମହାବଳୀ,
ବିନୀତେ ତାହାକୁ ପ୍ରତ୍ୟାଖ୍ୟାନ କଲେ,
ଅଶ୍ରୁନେତ୍ରେ ରକ୍ଷବାଳୀ।
ବୋଇଲେ “ମୁଁ ଯେବେ ଯିବି ତୁମ୍ଭସଙ୍ଗେ
କିଏ ସମ୍ଭାଳିବ ରାଜ୍ୟ,
ସମୟ ଆସିଲେ ପୁତ୍ରକୁ ନେଇ ମୁଁ
ତୁମ୍ଭପାଶେ ଯିବି ଆର୍ଯ୍ୟ।
ସ୍ନେହର ସନ୍ତକ କରି ମୋ ଅଞ୍ଚଳେ
ଦେଇଛ ପୂର୍ଣ୍ଣମୀ ଚାନ୍ଦ,
ଜୀବ ଥିବାଯାଏ କରି ନ ପାରିବି
ତୁମ୍ଭ ରୃଣ ପରିଶୋଧ।
ଯେ ଆର୍ଯ୍ୟ ସଂସ୍କାର ଦେଇଅଛ ବୀର
ଶିଖାଇବି ତୁମ୍ଭ ପୁତ୍ରେ,
ପ୍ରଯତ୍ନ କରିବି କୁରୁକୁଳ ଯୋଗ୍ୟ
ଦାୟାଦ ହେବ ଯେମନ୍ତେ।
ଆର୍ଯ୍ୟ,ରକ୍ଷ କୁଳ ମିଳିତ ରକ୍ତରୁ
ଜନ୍ମ ନେଇଛି ଏ ପୁତ୍ର,
ସମୟ ଆସିଲେ ଆର୍ଯ୍ୟାବର୍ତ୍ତେ
ଦେଖାଇବ ନୂତନ ଦିଗନ୍ତ।
ଧର୍ମ ସଂସ୍ଥାପନା ପାଇଁ ଯତ୍ନ
କରୁ ଅଛନ୍ତି ଦ୍ବାରକା ସାଇଁ,
ସମୟ ଆସିଲେ ପୁତ୍ରମୋର ଦିନେ
ମିଳାଇବ ହାତ ତହିଁ।
ମାତାଙ୍କୁ ପ୍ରଣାମ ଜଣାଇବ ବୀର
କହିବ ‘ବଧୂ ତାଙ୍କର,
ପ୍ରଯତ୍ନ କରୁଛି ଶିଖିବାପାଇଁକି
ଆର୍ଯ୍ୟକୁଳର ସଂସ୍କାର।”
ଆଲିଙ୍ଗନ କରି ହିଡିମ୍ବାଙ୍କୁ,
ପୁତ୍ର କପାଳେ ଦେଇ ଚୁମ୍ବନ,
ଅଶ୍ରୁଳ ନେତ୍ରରେ ବିଦାୟ ଘେନିଲେ
ମହାବଳୀ ଭୀମସେନ।
କ୍ରମଶଃ……….
@ରାକ୍ଷାସାବର୍ତ୍ତ—ଉତ୍ତର ଭାରତକୁ ସେ ସମୟରେ ଆର୍ଯ୍ୟାବର୍ତ୍ତ,ରାକ୍ଷସାବର୍ତ୍ତ,ନାଗଲୋକ ଇତ୍ୟାଦିରେ ବିଭକ୍ତ କରାଯାଇଥିଲା।
#ବିରୋଚନ–ଘଟୋତ୍କଚର ଅନ୍ୟ ନାମ।
$ଯଦୁବଂଶୀ–ଉଦ୍ଧବ
&ଭୀମସେନ ଶ୍ରୀକୃଷ୍ଣଙ୍କ ଠାରୁ ବୟସରେ ବଡ;ତେଣୁ ମାମୁଁପୁଅ ଭାଇ ହିସାବରେ କୃଷ୍ଣ ଆଶୀର୍ବାଦାର୍ହ।