ସ୍ବୟମ୍ବର
….୨୧….
ହିଡିମ୍ବାଙ୍କ ଅଭିମାନ
**************
ଭୀମଙ୍କ ପ୍ରସ୍ଥାନେ ରକ୍ଷକନ୍ୟା*ମନେ
 କୋହ ଉଠିଲା ଉଛୁଳି,
ବିଚାରିଲେ ମନେ ଆଉ ସତେ ଦିନେ
 ଫେରିବେ କି ମହାବଳୀ!
“ଭାଗ୍ୟ ବିଡମ୍ବନା ହେଲା ବୋଲି ସିନା
ରକ୍ଷ କୁଳେ ହେଲି ଜାତ,
ସେଥିପାଇଁ ଆର୍ଯ୍ୟକୁଳ ମାତା କୁନ୍ତୀ
ସ୍ନେହରୁ କଲେ ବଞ୍ଚିତ।
ଭୀମ ମହାବଳୀ ତାଙ୍କପ୍ରେମେ ଭଳି
ବିଭାହେଲେ ଯେଉଁଦିନ,
ମନା କରିଦେଲେ କୁନ୍ତୀ ଦେବାପାଇଁ
ତାଙ୍କୁ କୁଳବଧୂ ସ୍ଥାନ।
ଆର୍ଯ୍ୟ ପରିବାର ସଂସ୍କାର ତାଙ୍କର
ନାହିଁ ବୋଲି ଘୃଣାକରି,
‘ମାଂସ ଭକ୍ଷୀ କେହ୍ନ ବଧୂହେବ’ କହି
ପାଶୁ ଦେଲେ ଦୂରକରି।
ସେ ପାଇଁ ହିଡିମ୍ବା ଭୀମ ସଙ୍ଗେ ଯିବା-
ପାଇଁ ନବଳାଇ ମନ,
ମନ କଥା ମନେ ରଖି ରାଜକନ୍ୟା
ରହିଲେ ହୋଇ ମଉନ।
ସ୍ବାମୀଙ୍କ ମନରେ ନଦେବାକୁ କଷ୍ଟ,
କହିଲେ ବାହାନା କରି,
“ରାକ୍ଷସ ରାଜ୍ୟକୁ କିଏ ସମ୍ଭାଳିବ,
ମୁଁ ଗଲେ ବୀର କେଶରୀ?”

ଭାବିଲେ ହିଡିମ୍ବା ଯୁଗେ ଯୁଗେ ଅବା
ରହିବ ଏ ଭେଦଭାବ,
ଉଚ୍ଚ,ନିଚ ମାନସିକତାରୁ ସତେ
ଦୂର ନହେବ ମାନବ?
ଶାକାହାରୀ ହୋଇଅଛି ପୁତ୍ରବଧୂ
ଏକଥା ଜାଣି ବି କୁନ୍ତୀ,
ଏ ବଡ ଆଶ୍ଚର୍ଯ୍ୟ ହିଡିମ୍ବାଙ୍କୁ ବଧୂ-
ଆସନ ଦେଇ ନାହାନ୍ତି।
ସେହି କୁନ୍ତୀ ପୁଣି ଧୀବର କନ୍ୟାର
ପୁତ୍ର କୃଷ୍ଣ-ଦ୍ବାପ୍ୟାୟନେ@
ସମ୍ମାନର ଶୀର୍ଷ ଆସନେ ବସାଇ,
ପୂଜୁଛନ୍ତି ନିଶି ଦିନେ।
କୌରବ ପ୍ରମାତାମହୀ ସତ୍ୟବତୀ
ନିଜେ ତ ଧୀବର ବାଳୀ,
ତାଙ୍କ ପାଦପୂଜା କରିଥାନ୍ତି ପୃଥା,
ନେଇଣ ଚରଣ ଧୂଳି।
ଯେତିକି ଭାବନ୍ତି ହିଡିମ୍ବା,ମନରେ
ଅଭିମାନ ଯାଏ ଭରି,
ଭାଗ୍ୟଦୋଷ ଭାଳି,ସ୍ବ କର୍ମ ଆଦରି,
ରହିଲେ ରକ୍ଷ ସୁନ୍ଦରୀ।
ଏ ସମୟେ ପୁତ୍ର ବିରୋଚନ,
ମା’ ବୋଲି ହୃଦେ ଗଲା ଜଡି,
ଚିନ୍ତା ରାଇଜରୁ ଫେରି ରକ୍ଷସୁତା,
ପୁତ୍ରେ ନେଲେ କୋଳେ ଭିଡି।
ବୋଇଲେ “ତୁ ପାଣ୍ଡୁ କୁଳର ରତନ,
ମାଆ ତୋ ଦୁଃଖିନୀ ଧନ,
ସତେ ଭବିଷ୍ୟତ ତୋତେ ଆର୍ଯ୍ୟପୁତ୍ର
ସଙ୍ଗେ ଦେବ ସମ ସ୍ଥାନ!
କୌରବ କୁଳର ପ୍ରଥମ ସନ୍ତାନ
ଅଟୁ ତୁହି ପୁତ୍ର ମୋର,
କିନ୍ତୁ ମୋର ଧନ ପାଇବୁକି ତହିଁ
ଯୁବରାଜ ଅଧିକାର?
ତାତ୍ସଲ୍ୟ କରିବେ,କେତେ ଘୃଣାଭାବେ,
ଗାଳିଦେବେ ରକ୍ଷକୁଳେ,
ମାତାକୁ ତୋହର ଗାଳିଦେଲେ ଧନ,
ସହି ପାରିବୁ କି ହେଳେ?
ଚାହେଁନାହିଁ ତୋର ଅପମାନ ବାବୁ,
କୁରୁ ଦରବାରେ ଗାଳି,
ରାକ୍ଷସ ରାଜ୍ୟର ଯୁବରାଜ,ତୁ ମୋ
ବିରୋଚନ ମହାବଳୀ।
ସ୍ବର୍ଗେ ଘୃଣାଠାରୁ ଅଟେ ବହୁଗୁଣେ-
ଭଲ ମର୍ତ୍ତ୍ୟେ ସନମାନ,
ପିତାଙ୍କ ଆଦର୍ଶ ଧରି କରିବୁ ତୁ
ରାକ୍ଷସାବର୍ତ୍ତ ଶାସନ।”
ଏତେ ମନେ ଭାଳି,ରକ୍ଷ ରାଜବାଳୀ,
ଭୀମଙ୍କ ଚିତ୍ର ପଟରେ,
ମସ୍ତକ ନୁଆଁଇ ପ୍ରଣାମ ଢାଳିଲେ,
ଆଦ୍ର ଚକ୍ଷୁ ଅଶ୍ରୁନୀରେ।
କ୍ରମଶଃ……….

*ରକ୍ଷ—ରାକ୍ଷସ
@କୃଷ୍ଣ ଦ୍ୱାପ୍ୟାୟନ—ବ୍ୟାସ ଦେବ

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *