Tuesday, April 16, 2024
Uncategorized

ସ୍ବୟମ୍ବର
….୨୭….
(ଏକଚକ୍ର ପୁରରେ ପାଣ୍ଡବେ)
ବକାସୁର ନିଧନ
********************
ଭୀମଙ୍କ ଅଭାବେ ପଣ୍ଡୁ ପରିବାର ରହିଥିଲା ଅସମ୍ପୂର୍ଣ୍ଣ,
ତାଙ୍କ ଆଗମନେ ପାଣ୍ଡବେ ପାଇଲେ ସତେ ନୂତନ ଜୀବନ !
ନୂଆ ଉଦ୍ଦିପନା,ନୂତନ ସାହସ ପାଇଣ ପଣ୍ଡୁ କୁମରେ,
ଏକଚକ୍ର ନଗ୍ରେ ବ୍ରାହ୍ମଣ କୁଟିରେ ରହିଥିଲେ ସନ୍ତୋଷରେ।
ପ୍ରଶସ୍ତ ହୃଦରେ,ଉଦାର ପଣରେ ସେ ଦୟାବନ୍ତ ବ୍ରାହ୍ମଣ,
ଆଶ୍ରା ଦେଇଥିଲେ ପଣ୍ଡୁପରିବାରେ ନକରି ତିଳେ କାର୍ପଣ୍ୟ।
ଦିନ ଅବସାନେ ପାଣ୍ଡୁ ପାଞ୍ଚଭାଇ କୁଟିରେ ଯେବେ ଫେରନ୍ତି,
ଭିକ୍ଷା ପଦାର୍ଥକୁ ଦୁଇଭାଗ କରି କୁନ୍ତୀ ବାଣ୍ଟି ଦେଇଥାନ୍ତି।
ଅର୍ଦ୍ଧେକ ଭକ୍ଷନ୍ତି ଭୀମ ମହାବଳୀ,ବାକି ଅଧା ଚାରିଭାଇ,
ଯେତେ ଭକ୍ଷିଲେ ବି ମହାବଳୀଙ୍କର ପେଟ କେବେ ନପୂରଇ।
ତେଣୁ ବେଳେ ବେଳେ କୁମ୍ଭକାର ଶାଳେ ମଜୁରି ଖଟନ୍ତି ଭୀମ,
ଯାହା ବା ମିଳଇ ବୃକୋଦରଙ୍କୁ ସେ ସମୁଦ୍ରକୁ ଶଙ୍ଖେ ସମ।
କ୍ରମେ ଭୀମଙ୍କର କୃଶହେଲା ତନୁ,କୁନ୍ତୀ କଲେ ଚିନ୍ତା ଘୋର,
“କେଉଁଠୁ ଆଣି କି ଖାଇବାକୁ ଦେବି,ସର୍ବ ଭକ୍ଷ ପୁତ୍ର ମୋର?
ରାକ୍ଷସାବର୍ତ୍ତରେ ମହା ଆନନ୍ଦରେ କରିଣ ଭୁରି ଭୋଜନ,
ଥିଲା ଅଙ୍ଗ ହୃଷ୍ଟ,ଆସି ଏତେ କଷ୍ଟ ପାଉଛି ମୋ ଭୀମସେନ।”

ଏହିପରି ଦିନେ ଭାବୁଛନ୍ତି କୁନ୍ତୀ,ଶୁଣିଲେ କ୍ରନ୍ଦନ ରୋଳ,
ଆଶ୍ରୟଦାତାଙ୍କ ଘରୁ ଭାସିଆସେ ମନ ହୋଇଲା ଚଞ୍ଚଳ।
କାନଡେରି କୁନ୍ତୀ ଶୁଣିଲେ ବ୍ରାହ୍ମଣ ପତ୍ନୀଙ୍କୁ କହନ୍ତି କାନ୍ଦି,
“ମୋ କଥା ନମାନି ଏଥି ରହିବାରୁ,ବିପଦେ ହୋଇଲେ ଛନ୍ଦି।
କହୁଥିଲି ଏହି ରାଜ୍ୟଛାଡି ଆମ୍ଭେ ଚାଲିଯିବା ଦେଶାନ୍ତର,
ଯେଉଁଦେଶେ ରାଜା ଭୀରୁ, ପଳାତକ,କି ସୁଖ ତହିଁ ପ୍ରଜାର?
ବକାସୁର ଡରେ,’ବେତ୍ରକୀୟ’ପୁରେ,ଚାଲିଗଲେ ଆମ୍ଭ ରାଜା,
ସେହିଦିନଠାରୁ ବକାସୁର ହସ୍ତେ କଷଣ ପାଆନ୍ତି ପ୍ରଜା।
ପ୍ରତିଦିନ ଆସି,ନଗ୍ର ଦେଲା ଧ୍ବଂସି,ହତ୍ୟାକଲା ବହୁଜନ,
ସେଥିପାଇଁ ବକା ସଙ୍ଗେ ଚୁକ୍ତି କରିଛନ୍ତି ନଗ୍ରବାସୀ ଗଣ।
ସପ୍ତାହରେ ଥରେ,ପୂର୍ଣ୍ଣ ଶକଟରେ,ସୁସ୍ବାଦୁ ଭୋଜନ ନେଇ,
ଜଣେ ନଗ୍ରବାସୀ,ବକାସୁର ଗୁମ୍ଫା ନିକଟେ ମିଳିବ ଯାଇ।
ମିଷ୍ଠାନ୍ନ ସହିତ ଦୁଇଟି ବଳଦ,ତା ସଙ୍ଗେ ଦୁଇଟି ଛେଳି,
ଖାଏ ବକାସୁର,ତାସଙ୍ଗେ ଶକଟ ଚାଳକକୁ ଥାଏ ଗିଳି।
ସେଥିପାଇଁ କେତେଥର କହିଛି ମୁଁ ଛାଡିଯିବା ଏହି ରାଜ୍ୟ,
ନଶୁଣିଲ,ଦେଖ କାଲି ଆମ୍ଭ ପାଳିଦିନ ହୋଇଅଛି ଧାର୍ଯ୍ୟ।
ମୋର ମୃତ୍ୟୁହେଲେ କିଏ ବା ପାଳିବ ଏହି ଦରିଦ୍ର ସଂସାର?
ପୁତ୍ର ଏତେ ଛୋଟ,ସହଜେ ତ କନ୍ୟା ସମ୍ପତ୍ତି ଶାଶୁଘରର।”

ସ୍ବାମୀକଥା ଶୁଣି,କାନ୍ଦନ୍ତି ବ୍ରାହ୍ମଣୀ,ବୋଲନ୍ତି”ମୁଁ ଭାଗ୍ୟହୀନା,
ହୋଇବ ଦୁଷ୍କର ଜୀବନ ମୋହର,ଏ ସଂସାରେ ତୁମ୍ଭବିନା।
ଦେଖି ମାଂସଖଣ୍ଡ,ଯେମନ୍ତେ ପ୍ରଚଣ୍ଡ ବେଗେ ଗୃଧ୍ରପକ୍ଷୀ ଗଣ,
ଝାମ୍ପିନେବାପାଇଁ,କରନ୍ତି ଲଢେଇ ,ତେମନ୍ତ ହେବ ଜୀବନ।
ସ୍ବାମୀହୀନା ନାରୀ,ସଂସାରେ ସେପରି,ଲୋଲୁପଦୃଷ୍ଟି ଶିକାର,
ଘୃତସୀକ୍ତ ବସ୍ତ୍ର ପରି ଟାଣୁଥାନ୍ତି ତାକୁ ବୁଭୁକ୍ଷୁ ମାର୍ଜାର।
ତେଣୁ କଥା ମାନ,ସ୍ବାମୀ ମୋର ଶୁଣ, ଅନୁମତି ଦିଅ ବେଗେ,
ଖାଦ୍ୟ ଶକଟର ସହ ମୁହିଁ ଯିବି କାଲି ପ୍ରାତେଃ ବକା ଆଗେ।
ପିତାମାତଙ୍କର ଦେଖି ଏ ପ୍ରକାର ଦୁଃଖ କହେ ଦ୍ବିଜ କନ୍ୟା,
“ଏ ମୋର ଜୀବନ ଅଟେ ତୁମ୍ଭଦାନ,ନକର ହେ ମୋତେ ମନା।
ବକାସୁର ପାଶେ,ଯିବି ମୁଁ ହରସେ ଖାଦ୍ୟର ଶକଟ ନେଇ,
ଧନ୍ୟ ହୋଇବ ମୋ ଜୀବନଟି ଗଲେ ମାତା,ପିତାଙ୍କର ପାଇଁ”
ଦେଢ ବରଷର ପୁଅ ଆସି କହେ ମଧୁର ଦରୋଟି କଥା,
“ଅଥୁଲକୁ କାଲି ମାଲିଦେବି ତମେ କାନ୍ଦୁତ କାହିଁକି ମାତା”?।
ବିପଦେ ପଡି ବି ହସିଲେ ସମସ୍ତେ ଶୁଣି ତା ଦରୋଟି କଥା,
କୋଳାଗ୍ରତ କଲେ ସଭିଙ୍କୁ ବ୍ରାହ୍ମଣ,ଚୁମ୍ବି ସମସ୍ତଙ୍କ ମଥା।

ଏତେବେଳେ କୁନ୍ତୀ ,ଭାବନ୍ତି ସମୟ ଆସିଛି ସାହାଯ୍ୟପାଇଁ,
ବ୍ରାହ୍ମଣଙ୍କ ପାଶେ ପହଞ୍ଚି ବୋଇଲେ”କିଛି ଚିନ୍ତା କରନାହିଁ।
କାଲି ପ୍ରଭାତରେ,ମୋ ଦିତୀୟ ପୁତ୍ର ଯିବ ଖାଦ୍ୟଦ୍ରବ୍ୟ ଧରି,
ଏ କଥାକୁ ନେଇ,ଶୋକ କାହିଁପାଇଁ,ଦିଅ ବ୍ୟଥା ଦୂରକରି।”
ବୋଇଲେ ବ୍ରାହ୍ମଣ,ଏମନ୍ତ ଦାରୁଣ ନୁହେ ହୃଦୟ ଆମ୍ଭର,
ଅତିଥିଙ୍କୁ ସ୍ବାର୍ଥପାଇଁ ବଳିଦେଲେ ନର୍କଗତି ହେବ ମୋର।”
କୁନ୍ତୀ ବୋଇଲେ”ହେ ଚିନ୍ତା କରନାହିଁ ପୁତ୍ରମୋର ମହାବଳୀ,
କାଲି ପ୍ରଭାତରେ ଅସୁର ଗୁମ୍ଫାରେ ବକାକୁ ଦେବ ସେ ଦଳି।
ଦେଇଛ ଆଶ୍ରୟ,ତୁମ୍ଭେ ଦୟାମୟ,କରିଛ ଯେ ଉପକାର,
ଏହିତ ସମୟ, ପରିଶୋଧ କରିବାକୁ ତୁମ୍ଭ ରୃଣଭାର।”

ଶୁଣି ଏ ଉଦନ୍ତ,ଭୀମ ବଳବନ୍ତ ଡେଇଁଲେ ମହାନନ୍ଦରେ,
ଖାଦ୍ୟର ଶକଟ,ନେଇ ସେ ପ୍ରକଟ ହେଲେ ଗୁମ୍ଫାର ବାହାରେ
ଜାଣି ଜାଣି ଭୀମ ବିଳମ୍ବେ ପହଞ୍ଚି,ବିରକ୍ତ କଲେ ରାକ୍ଷସେ,
ଗୁମ୍ଫାପାଶେ ବସି,ଶକଟରୁ ଖାଦ୍ୟ ଖାଇଲେ ମହା ଉଲ୍ଲାସେ।
ଖିର,ସରପୁଳି,ଗଜା ଭଳି ଭଳି,ମିଷ୍ଟାନ୍ନ ହାଣ୍ଡିକି ହାଣ୍ଡି,
ମହାନନ୍ଦେ ଭୁଞ୍ଜୁଛନ୍ତି ବୃକୋଦର,ଦେଖି ବକା ଦେଲା ରଡି।
ବୋଲଇ ରାକ୍ଷସ,”ଏଡେ ତୋ ସାହସ ଆରେ ମୂର୍ଖ ନରାଧମ,
ବିଳମ୍ବେ ଆସିଲୁ,ତଥାପି ଖାଇଲୁ,ସବୁ ମୋ ଅନ୍ନ ବ୍ୟଞ୍ଜନ”।
ନଶୁଣନ୍ତେ ଭୀମ,ରାଗେ ତମ ତମ ହୋଇ ବକା ଦେଲା ରଡି,
ପ୍ରତେହେଲା ସତେ ବିନାମେଘରେ କି ଶୁଭେ ଘୋର ଘଡଘଡି।
ମାରଇ ଗୋଇଠା,ଭୀମଙ୍କୁ ନିଲଠା,ବକାସୁର ଉଗ୍ରମତି,
ମାଛିକୁ ଉଡାଇ ଦେଲାପରି ଭୀମ ,ହାତ ଝାଡି ଦେଉଥାନ୍ତି।
କହୁଥାନ୍ତି “ବକା,କର ତୁ ଅପେକ୍ଷା,କିପାଇଁ ହେଉ ଆତୁର?
ଭୋଜନ ସରିଲେ ପଠାଇବି ଭଲେ,ତୋ ଇପ୍ସିତ ପ୍ରେତପୁର”।
ଭୋଜନ ସରିଲା,ହାଣ୍ଡିଏ ଅମୃତ ପଣା ପିଇ ବୃକୋଦର,
ରାକ୍ଷସକୁ ଚାହିଁ କହିଲେ”ଏଥର ବ୍ୟକ୍ତକର ଇଚ୍ଛା ତୋର”।

ଦାନ୍ତ କଡମଡ,ଆଖି ନିଆଁରଡ କରି ବକା ଆସେ ଧାଇଁ,
ଭୀମଙ୍କର ଏକ ନିର୍ଘାତ ଲାତରେ ଭୂମିରେ ପଡିଲା ଶୋଇ।
ପୁଣି ଧାଇଁଯାଇ,ବୃକ୍ଷ ଏକ ନେଇ, ପ୍ରହାରଇ ଭୀମ ଅଙ୍ଗେ,
ଦୁଇଖଣ୍ଡକରି ଭୀମ ସେ ବୃକ୍ଷକୁ ଫିଙ୍ଗିଦେଲେ ସଙ୍ଗେ ସଙ୍ଗେ।
ଶକଟକୁ ଧରି,ଚକ୍ରାକାର କରି,ବୁଲାଇଲା ବକ ଦୁଷ୍ଟ,
ପ୍ରହାରନ୍ତେ ଭୀମଦେହେ,ଭାଙ୍ଗି ତାହା ହେଲା ଖଣ୍ଡ ଖଣ୍ଡ କାଷ୍ଠ।
“ବହୁତ ହୋଇଲା ଖେଳ,ଏବେ ବଳ କଷାକଷି ହୋଇଯାଉ”
ବୋଲି ଟେକିଧରି,ତାକୁ ପେଣ୍ଡୁପରି ଫିଙ୍ଗିଦେଲେ ଚାହୁଁ ଚାହୁଁ।
ନିର୍ଘାତ କଚଡାଖାଇ ଦୈତ୍ୟ ଯେବେ କରିଲା ଭୀଷଣ ରଡି,
ବୁକୁରେ ତା ପାଦରଖି ଭୀମସେନ ଭୁଜକୁ ଦେଲେ ଉପାଡି।
ଦକ୍ଷିଣ ଭୁଜକୁ ଆକାଶେ ଫିଙ୍ଗିଲେ ଶ୍ବେନପକ୍ଷୀ ଝାମ୍ପିନେଲା,
ବାମଭୁଜ ଉପାଡନ୍ତେ,ମଡ ମଡ ଶବଦେ ଧରା କମ୍ପିଲା।
କରନ୍ତେ ବୁକୁରେ, ନିର୍ଘାତ ପ୍ରହାର,ମଲା ରକ୍ତବାନ୍ତି କରି,
ଦେଇଣ ଉଦଣ୍ଡ ରକ୍ଷେ ମୃତ୍ବୁଦଣ୍ଡ ଫେରିଲେ ବୀରକେଶରୀ।

ସୁଶୀତଳ ପୁଷ୍କରିଣୀରେ ସ୍ନାହାନ କରି ଭୀମ ମହାବଳୀ,
ସୁସମ୍ବାଦ ଜଣାଇଲେ ବ୍ରାହ୍ମଣଙ୍କୁ ମାତା,ଭ୍ରାତା ସଙ୍ଗ ମିଳି।
ବକାର ନିଧନ,ବିଜୁଳି ସମାନ ବ୍ୟାପିଗଲା ନଗରୀରେ,
ବିଚାରିଲେ କୁନ୍ତୀ,ଛାଡିବାକୁ ହେବ ନଗ୍ର ବିନା ବିଳମ୍ବରେ।
ନହେଲେ ପାଣ୍ଡବେ ଚିହ୍ନାପଡିଯିବେ,ବିପଦ ଆସିବ ମାଡି,
ଏହି ଚିନ୍ତାକରି,ପାଞ୍ଚପୁତ୍ର ଧରି,ଏକଚକ୍ର ଗଲେ ଛାଡି।
ଏକଚକ୍ର ଛାଡି,କାମ୍ପିଲ୍ୟ*ନଗରେ ପହଞ୍ଚିଲେ ପଣ୍ଡୁପୁତ୍ରେ,
ନଗର ବାହାରେ, କୁମ୍ଭାର ଶାଳରେ,ଆଶ୍ରୟନେଲେ ଗୁପତେ।
ଶୁଣିଲେ ପାଞ୍ଚାଳ ରାଜକନ୍ୟାଙ୍କର ସ୍ବୟମ୍ବର ସମାଚାର,
ଆସିବେ ଅନେକ ରାଜା,ରାଜପୁତ୍ର,ମହାରାଜା,ଧନୁର୍ଦ୍ଧର।
ଉତ୍ସବ ଦେଖିବାପାଇଁ ଇଚ୍ଛାକଲେ,ମାତାପାଶେ ପାଞ୍ଚଭାଇ,
ଜନନୀ ବୋଇଲେ”ଯାଅ,କିନ୍ତୁ ସନ୍ତର୍ପଣେ ଥିବ ତୁମ୍ଭେ ରହି।
ଛଦ୍ମେ ଦ୍ବିଜ ଛଳେ,ବ୍ରାହ୍ମଣଙ୍କ ମେଳେ,ସଦା ତୁମ୍ଭେ ରହିଥିବ,
ପରିଚୟ କେହି,ନପାଇବେ ତହିଁ,ଏହି ପ୍ରଯତ୍ନ କରିବ।”
ବୋଲନ୍ତି ଅର୍ଜୁନ,”କେବେ ହୁତାସନ,ପଣନ୍ତେ ରହେ କି ଲୁଚି?
ମୃଗ ଛାଲ ପିନ୍ଧି,ସିଂହ କେତେଦିନ,ଅଜ୍ଞାତେ ପାରିବ ବଞ୍ଚି?
ବ୍ରାହ୍ମଣ ବେଶରେ ରହି କେତେଦିନ ତୁମ୍ଭ ଦିଗ୍ ବିଜୟୀ ପୁତ୍ରେ,
ଭିକ୍ଷାଥାଳଧରି, ଅନ୍ଧକାରେ ଲୁଚି, ରହିପାରିବେ ଗୋ ମାତେ?
ସିଂହ ସନ୍ତାନଙ୍କୁ, ଜନ୍ମଦେଇ ତୁମ୍ଭେ,ମାତା କିପାଁ କର ଭୟ,
ସମୟ ଆସିଲେ,ହସ୍ତିନା କି ଛାର,ବ୍ରହ୍ମାଣ୍ଡ କରିବୁ ଜୟ”
କ୍ରମଶଃ………..
*କାମ୍ପିଲ୍ୟ…..ପାଞ୍ଚାଳର ରାଜଧାନୀ

Click to rate this post!
[Total: 0 Average: 0]

Leave a Reply