Saturday, April 20, 2024
Uncategorized

ସ୍ବୟମ୍ବର
……୨୮…..
(ସ୍ବୟମ୍ବର ଆୟୋଜନ)
****************
ପୌଷମାସ ଶୁକ୍ଳପକ୍ଷ ଏକାଦଶୀ ଦିନ,
କୃଷ୍ଣା ସ୍ବୟମ୍ବର ସ୍ଥିର କଲେ ଯାଜ୍ଞସେନ*।
ସନ୍ଦିପନୀ,ଗର୍ଗ ମୁନି ସଙ୍ଗେ ପରାମର୍ଶ,
କରି ଦିନ ଧାର୍ଯ୍ୟକଲେ ପାଞ୍ଚାଳ ନରେଶ।
ଧନୁ,ଚକ୍ର,ଜଳକୁଣ୍ଡ ନିର୍ମାଣ ଆବର-
ସ୍ପର୍ଦ୍ଧାର ନିୟମ ଶ୍ବେତକେତୁ କଲେ ସ୍ଥିର।
ଅନ୍ତରାଳେ ରହି ଚକ୍ରୀ ଦିଅନ୍ତି ନିର୍ଦ୍ଦେଶ,
ପାଳୁଥାନ୍ତି ଠିକେ ଠିକେ ପାଞ୍ଚାଳ ନରେଶ।
କନ୍ୟା ସ୍ବୟମ୍ବର ପାଇଁ ପାଞ୍ଚାଳ ରାଜନ,
ପଠାଇଲେ ଭିନ୍ନ ଭିନ୍ନ ଦେଶେ ନିମନ୍ତ୍ରଣ।
ସାରା ଜମ୍ବୁଦ୍ବୀପେ ଥିଲେ ଯେତେ ନରପତି,
ଅବା ଛତ୍ରପତି,ଅଶ୍ବପତି,ଗଜପତି।
ରାଜା ବା ସମ୍ରାଟ ଥିଲେ ଯେ ଯେଉଁ ଦେଶରେ,
ଦୂତ ହସ୍ତୁ ନିମନ୍ତ୍ରଣ ସର୍ବେ ଗ୍ରାହ୍ୟ କଲେ।

ମଗଧ ସମ୍ରାଟ,କାଶୀ ଦେଶ ନରପାଳ,
ଅଙ୍ଗ,ବଙ୍ଗ ରାଜା,ଚେଦୀରାଜ ଶିଶୁପାଳ,
କୁଣ୍ଡିନ ନଗ୍ରୁ ଭୀଷ୍ମକ ପୁତ୍ର ରୃକ୍ମି ବୀର,
କଳିଙ୍ଗ ନରେଶ ପୁଣି କୋଶଳାଧିଶ୍ବର।
ନିମନ୍ତ୍ରିଲେ ଯାଜ୍ଞସେନ ଦ୍ବାରକା ବୀରଙ୍କୁ, କୃଷ୍ଣ,ବଳରାମ,ଯୁଯୁଧାନ#,ଉଦ୍ଧବଙ୍କୁ।
ବିଧିମତେ ଆମନ୍ତ୍ରିଲେ କଉରବ ବୀରେ,
ଥିଲା ଏହି ନିମନ୍ତ୍ରଣ କୃଷ୍ଣ ନିର୍ଦ୍ଦେଶରେ।
ଏହାଛଡା ଆର୍ଯ୍ୟାବର୍ତ୍ତେ ଯେତେ ନରପତି,
ସମସ୍ତଙ୍କୁ ନିମନ୍ତ୍ରିଲେ ପାଞ୍ଚାଳ ଭୂପତି।

କାମ୍ପିଲ୍ୟ+ ବାହାରେ ଗଙ୍ଗା ସିକତା ଉପରେ,
ଅନେକ ଛାଉଣୀ ଗଢାଇଲେ ଆଡମ୍ବରେ।
ଅନ୍ୟଦେଶୁ ଆସିଥିବା ସେନା ସେନାପତି,
ନିଜ ନିଜ ଛାଉଣୀରେ ସୁଖେ ବିରାଜନ୍ତି।
ସ୍ବୟମ୍ବର ପୂର୍ବଦିନ ସବୁ ନରପାଳ,
ଗଙ୍ଗାକୂଳେ ପହଞ୍ଚିଲେ ଘେନି ଦଳ ବଳ।
ଅସ୍ଥାୟୀ ସଉଧ ଗଢା ଛାଉଣୀ ପାଖରେ
ଆମନ୍ତ୍ରିତ ନରପତି ରହିଲେ ତହିଁରେ।।

ପାଞ୍ଚାଳ ଦୂତ ହାତରୁ ନିମନ୍ତ୍ରଣ ପାଇ,
ମଗଧ ସମ୍ରାଟ ରାଗେ ଜର ଜର ହୋଇ,
ଗୁମ୍ଫାରେ ଗର୍ଜେ ଯେସନେ ଆହତ କେଶରୀ,
ମଗଧ ଗୁମ୍ଫାରେ ଗର୍ଜେ ଜରା ସେହିପରି।
ବୋଲେ “ମୋର ଗଦାଘାତେ ବିଶ୍ବ ଥରହର,
ଜାଣେନା କି ମୋ ପ୍ରତାପ ପାଞ୍ଚାଳ ଈଶ୍ବର?
ପ୍ରତ୍ୟାଖ୍ୟାନ କଲା ମୋର ପ୍ରସ୍ତାବ କିପରି,
ମୋ ପୌତ୍ର କି ନୁହେଁ ତାର କନ୍ୟା ସମସରି?
ଲକ୍ଷେ ନରପତି ଖଟୁଛନ୍ତି ମୋ ପାଦରେ,
ଅନେଶ୍ବତ ରାଜା ବନ୍ଧା ମୋର କାରାଗାରେ।
ସମ୍ରାଟ ବୋଲାଏ ମୁହିଁ ଭାରତ ମଣ୍ଡଳେ,
ତୁଳା ସମ ଉଡାଇବି କ୍ଷଣକେ ପାଞ୍ଚାଳେ।
ଦୂତ ହସ୍ତେ ଦେଇଥିଲି ଯେ ପ୍ରସ୍ତାବ ମୁହିଁ,
ଦ୍ରୌପଦୀର ପରିଣୟ ମେଘସନ୍ଧି@ ପାଇଁ,
ଉପେକ୍ଷା କରି ତାହା ସେ ରଚେ ସ୍ବୟମ୍ବର,
ନିଶ୍ଚୟ ଏ କୂଟବୁଦ୍ଧି ଗୋପାଳ କୃଷ୍ଣର।
ବାରମ୍ବାର ଯାଏ କୃଷ୍ଣ ପାଞ୍ଚାଳ ନଗରୀ,
ଦ୍ରୁପଦର ବୁଦ୍ଧିଭ୍ରଷ୍ଟ ସେହି ଥିବ କରି।
ତା ନହେଲେ କି ସାହସେ,ହୋଇ ପିପୀଲିକା,
ବାଇ ହୋଇ ଦ୍ରୁପଦ ଚଢୁଛି ଦୀପ ଶିଖା।
ଯାଦବ କୃଷ୍ଣ ସାହସେ କରୁଛି ଏ ଲୀଳା,
ଶୀଘ୍ର ସାଙ୍ଗ କରିବି ମୁଁ ତାର ଭବଲୀଳା।
କାମ୍ପିଲ୍ୟକୁ ଧ୍ବଂସସ୍ତୁପେ କରି ପରିଣତ,
ବିଜୟ ଗର୍ବେ ଫେରିବେ ମୋ ସୈନ୍ୟ,ସାମନ୍ତ।
ମଗଧ ବିଶାଳ ସେନା ଆଗେ ଧୁଳିପରି,
କ୍ଷଣକରେ ଉଡିଯିବ କାମ୍ପିଲ୍ୟ ନଗରୀ।”
ଏତେ ବୋଲି ଜରାସନ୍ଧ ରାଗେ ଅନ୍ଧହୋଇ,
ବିଚାର କରେ ପାଞ୍ଚାଳ ଆକ୍ରମଣ ପାଇଁ।

ପିତାର ବିଚାର ଶୁଣି ପୁତ୍ର ସହଦେବ,
ବୋଲେ”ଦୁଃସାହସ ନକରହେ ପିତୃଦେବ।
ପାଞ୍ଚାଳରେ ଏ ସମୟେ ଭାରତ ବର୍ଷର,
ଏକତ୍ରିତ ହୋଇଛନ୍ତି କେତେ ମହାବୀର।
ହସ୍ତୀନା ବିଶାଳ ସେନା ତହିଁ ଉପସ୍ଥିତ,
ଆର୍ଯ୍ୟାବର୍ତ୍ତ ସବୁ ରାଜା ସେଠାରେ ଏକତ୍ର।
କୃଷ୍ଣ,ବଳରାମ ନାରାୟଣୀ ସେନା ନେଇ,
ଆସିଛନ୍ତି ପାଞ୍ଚାଳକୁ ସ୍ବୟମ୍ବର ପାଇଁ।
ସ୍ବୟଂ ପାଞ୍ଚାଳର ସେନା ଦୁର୍ଦ୍ଧର୍ଷ ଯୁଦ୍ଧରେ,
ସର୍ବେ ଏକତ୍ର ହୋଇବେ ଆମ୍ଭ ବିରୁଦ୍ଧରେ।
ରଣେ ହାରିଗଲେ ହେବ ଘୋର ଅପମାନ,
ଧୁଳିରେ ମିଶିବ ସିନା ମଗଧ ସମ୍ମାନ।
କରଦ ରାଜା ଅଛନ୍ତି ଯେ ଆମ୍ଭ ଅଧୀନ,
ଦୁର୍ବଳ ମଣି ଆମ୍ଭଙ୍କୁ ହୋଇବେ ସ୍ବାଧୀନ।
ସହଜେ ତ ଆର୍ଯ୍ୟାବର୍ତ୍ତେ ଛନ୍ତି ଯେତେ ରାଜା,
ଈର୍ଷା କରନ୍ତି ଦେଖିଲେ ମଗଧର ଧ୍ବଜା।
ସୁଯୋଗ ଚାହିଁ ବସିଛି କୃଷ୍ଣ ବାସୁଦେବ,
ମଗଧ ସାର୍ବଭୌମତ୍ବ ଧ୍ବଂସ କରିଦେବ।
ଭାବପ୍ରବଣ ହେବାର ଉଚିତ ସମୟ,
ମୋର ବିଚାରରେ ଏହା ନୁହଇ ହେ ରାୟ।
ସ୍ବୟମ୍ବର ନିମନ୍ତ୍ରଣ ଗ୍ରହଣ କରିବା,
ଉଚିତ ସମୟ ଦେଖି ନିର୍ଣ୍ଣୟ କରିବା।
ବଡ କୁଟିଳ ହେ ତାତ କୃଷ୍ଣ ବାସୁଦେବ,
କୁଟିଳ ସଙ୍ଗେ କର୍ତ୍ତବ୍ୟ କୁଟିଳ ସ୍ବଭାବ।
ଗୋପାଳ ବୋଲି କୃଷ୍ଣକୁ କରି ହେୟଜ୍ଞାନ,
ଭୋଗିଛ ଯେଉଁ ଦୁର୍ଦ୍ଦଶା ତାହା କି ନଜାଣ?”

ପୁତ୍ର ସହଦେବ ଉପଦେଶେ ନରରାଣ
ସ୍ବୟମ୍ବର ନିମନ୍ତ୍ରଣ କରିଲା ଗ୍ରହଣ।

କ୍ରମଶଃ….
*ଯାଗ୍ୟଂସେନ—ଦ୍ରୁପଦ#
ଯୁଯୁଧାନ–ସାତ୍ୟକି
କାମ୍ପିଲ୍ୟ–ପାଞ୍ଚାଳର ରାଜଧାନୀ
@ମେଘସନ୍ଧି—ଜରାସନ୍ଧର ନାତି

Click to rate this post!
[Total: 0 Average: 0]

Leave a Reply