Wednesday, April 24, 2024
Uncategorized

ସ୍ବୟମ୍ବର
…..୩୩….
ବ୍ରାହ୍ମଣ ବେଶରେ ପାଣ୍ଡବ
***********
ଦେଖି ଯାଜ୍ଞସେନୀଙ୍କର ସୌନ୍ଦର୍ଯ୍ୟ ଅପୂର୍ବ,
ଉପସ୍ଥିତ ଜନେ ଆସେ ଭିନ୍ନ,ଭିନ୍ନ ଭାବ।
କୃଷ୍ଣଙ୍କ ଆଗେ ଦିଶିଲେ ସୁଭଦ୍ରାଙ୍କ ଭଳି,
ଶିଶୁପାଳକୁ ଦିଶିଲେ ଯେହ୍ନେ ଉଗ୍ରକାଳୀ।
ଦୁର୍ଯ୍ୟୋଧନ ଭାଳେ ଏ କି ଦୁର୍ଗା ଅବତାର!
କର୍ଣ୍ଣ ଭାବନ୍ତି ଏ କନ୍ୟା ମୋହିନୀ ସ୍ବର୍ଗର।
ଚାହିଁଥିଲେ ପଣ୍ଡୁପୁତ୍ରେ ଦ୍ବିଜଙ୍କ ଗହଣେ,
ତାଙ୍କୁ ଦେଖାଗଲେ ରମ୍ଭା,ମେନକା ଯେସନେ।
ବଳରାମଙ୍କୁ ଦିଶିଲେ ନିଜ ଭଗ୍ନୀପରି,
ବିରାଟ ଭାବନ୍ତି’ଏ ତ ମୋର ପୌତ୍ରୀ ସରି’।
ଯାହାର ଯେପରି ଭାବ ତାହାକୁ ସେ ଭଳି,
ଦେଖାଗଲେ ଭିନ୍ନ,ଭିନ୍ନ ରୂପେ ରାଜବାଳୀ।
ଭାଳନ୍ତି କେଶବ’ଧର୍ମ ସଂସ୍ଥାପନା ପାଇଁ,
ରାଜନୀତି ପାଲିରେ ମୋ ଶ୍ରେଷ୍ଠ ଗୋଟି ଏହି’।
ତେଜୋଦୀପ୍ତ ରୂପଦେଖି ରାଜଯେମାଙ୍କର,
ଅଧା ବଳ କମିଗଲା ଦୁଷ୍ଟ ରାଜାଙ୍କର।
ଦୁର୍ଗାଙ୍କୁ ଦେଖି ମୋହିତ ମହିଷା ଯେପରି,
ବିମୋହିତ ହେଲେ ଖଳମାନେ ସେହିପରି।

ଏ ସମୟେ ଧୃଷ୍ଟଦ୍ୟୁମ୍ନ ସମ୍ବୋଧି ସଭାକୁ,
ବୁଝାଇଲେ ଲକ୍ଷଭେଦ ନିୟମ ସଭିଙ୍କୁ।
ପୁଣି ବୋଇଲେ “ଯେ ଉଚ୍ଚକୁଳରେ ସମ୍ଭୂତ,
ଶସ୍ତ୍ର,ଶାସ୍ତ୍ରେ,ବଳ,ବିର୍ଯ୍ୟେ ଅଟେ ରୁଦ୍ଧିମନ୍ତ,।
ଲକ୍ଷଭେଦ ସ୍ପର୍ଦ୍ଧା ଯେବେ ପାରିବ ସେ ଜିଣି,
ଗ୍ରହଣ କରିବ ସେହୁ ଯାଜ୍ଞସେନୀ ପାଣି।”

ସଭା ମଧ୍ୟେ ବସିଥିଲେ ବୀର ଦୁର୍ଯ୍ୟୋଧନ,
ଶଲ୍ୟ,ଜୟଦ୍ରଥ,ଶିଶୁପାଳ ପୁଣି କର୍ଣ୍ଣ।
କୁଣ୍ଡିନ ନଗ୍ରରୁ ଆସିଥିଲେ ରୃକ୍ମ ବୀର,
ଆସିଥିଲେ ବିନ୍ଦ,ଅନୁବିନ୍ଦ ଅବନ୍ତିର।
ପୁତ୍ର,ପୌତ୍ର ସଙ୍ଗେ ବସି ମଗଧ କେଶରୀ,
ପୂର୍ବ ରାତି କଥା ଖାଲି ହେଉଥିଲା ଘାରି।

ବ୍ରାହ୍ମଣଙ୍କ ମଧ୍ୟେ ବସିଥିଲେ ପଞ୍ଚବୀର,
ଶୁଭ୍ର ଉପବିତ କନ୍ଧେ ଶୋଭା ସଭିଙ୍କର।
କପାଳେ ଚନ୍ଦନ,ଚିତା,ଗାମୁଛା କାନ୍ଧରେ,
ବସିଥିଲେ ପାଞ୍ଚଭାଇ ଗୋଟିଏ କୋଣରେ।
ରାଜକନ୍ୟା ମୁଖେ ଥିଲା ଦୃଷ୍ଟି ଭାଇଙ୍କର,
“କାହିଁ ଥିଲା ଏ ସ୍ବର୍ଗୀୟ ସୁଷମା ସମ୍ଭାର!”
ଜେମାରୂପ ମଧୁଚକ୍ରେ ସର୍ବେ ହେଲେ ଘାରି,
ମୃଦୁ,ମୃଦୁ ହସୁଥିଲେ ଏକା ଚକ୍ରଧାରୀ।

ପାଣ୍ଡବଙ୍କୁ ଦେଖି କୃଷ୍ଣ ବ୍ରାହ୍ମଣ ମେଳରେ,
ବଳରାମଙ୍କ କର୍ଣ୍ଣରେ କହିଲେ ସଧୀରେ।
“ଭାଇ ! ଦେଖ ବଞ୍ଚିଛନ୍ତି ପାଣ୍ଡୁ ପାଞ୍ଚଭାଇ,
ବ୍ରାହ୍ମଣଙ୍କ ମେଳେ ଛଦ୍ମ ବେଶେ ଛନ୍ତି ରହି।”
ଶ୍ରୀକୃଷ୍ଣଙ୍କ କଥା ଶୁଣି ବୀର କାମପାଳ,
ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ବ୍ରାହ୍ମଣଙ୍କ ମେଳ।
“ସନ୍ଦେହ ଏଥିରେ କାହ୍ନା ନାହିଁ ତିଳେମାତ୍ର,
ଏ ଆଶ୍ଚର୍ଯ୍ୟ ପଛେ ନିଶ୍ଚେ ଅଛି ତୋର ହାତ”।
ଶ୍ରୀକୃଷ୍ଣ ବୋଇଲେ “ଭ୍ରାତା,କ୍ଷମ ମୋର ଦୋଷ,
ଦେଇ ନାହିଁ ତୁମ୍ଭଙ୍କୁ ଯା ପାଣ୍ଡବ ସନ୍ଦେଶ।
ଲାକ୍ଷା ଗୃହରୁ ପଳାଇଛନ୍ତି ପାଞ୍ଚ ଭାଇ,
ମାତା କୁନ୍ତୀ ସଙ୍ଗେ ଛଦ୍ମ ବେଶେ ଛନ୍ତି ରହି।
ଭିକ୍ଷା ମାଗି ଦ୍ବାରେ,ଦ୍ବାରେ ପୋଷନ୍ତି ସେ ପେଟ,
ତାଙ୍କ ଉଦ୍ଧାର ପାଇଁ ଏ ସ୍ବୟମ୍ବର ନାଟ।
ମହାମୁନି ବ୍ୟାସଦେବଙ୍କର ମାଧ୍ୟମରେ,
ଦେଇଛି ନିର୍ଦ୍ଦେଶ ମୁହିଁ ପାଣ୍ଡୁ ପାଞ୍ଚ ବୀରେ-।
ଦ୍ରୌପଦୀ ସ୍ବୟମ୍ବରରେ ଯୋଗ ଦେବାପାଇଁ,
ବ୍ରାହ୍ମଣ ମେଳରେ ବସିଛନ୍ତି ପାଞ୍ଚ ଭାଇ।”
ଶୁଣି କୃଷ୍ଣବାଣୀ ରୁଷ୍ଟ ହେଲେ ହଳଧର,
ବୋଇଲେ “ଏଡେ କପଟୀ ତୁହି ଚକ୍ରଧର!
ଏତେବଡ କଥା କାହ୍ନୁ ରଖିଲୁ ଲୁଚାଇ,
ତୋ ସହିତ ମୋର ଆଉ ବାକ୍ୟାଳାପ ନାହିଁ।”
ଭ୍ରାତାଙ୍କୁ ତୁଷ୍ଟ କରିବା ପାଇଁ ଯଦୁମଣି,
ଅନୁନୟ,ବିନୟେ ଧରିଲେ ପାଦ,ପାଣି।
ଜଣେ ଅନାଦି ଆରେକ ଅଟନ୍ତି ଅନନ୍ତ,
ଦେଖ ଅବତାରେ ଲୀଳା କରନ୍ତି କେମନ୍ତ!
କୃଷ୍ଣଙ୍କ ବିନୟ ଦେଖି ଭାଇ ବଳରାମ,
ତରଳି ଗଲେ ଯେସନେ ଭାନୁ କରେ ହିମ।
ମୃଦୁ କର୍ଣ୍ଣମୋଚନ,ଚପେଟାଘାତ ପରେ,
ଆଲିଙ୍ଗନ କଲେ ଶ୍ରୀକୃଷ୍ଣଙ୍କୁ ସ୍ନେହଭରେ।
କ୍ରମଶଃ…………..

Click to rate this post!
[Total: 0 Average: 0]

Leave a Reply