ଜଗତ୍ପତି ଜଗନ୍ନାଥଙ୍କର ନବଦିନ ଘୋଷଯାତ୍ରା ଅବସରରେ ସାମନ୍ତ ଚନ୍ଦ୍ରଶେଖରଙ୍କର ଅମୃତମୟୀ ଲେଖନୀରୁ ନିସୃତ ଏବଂ ସିଦ୍ଧାନ୍ତ ଦର୍ପଣରେ ସ୍ଥାନିତ ଗୋଟିଏ ଅନୁପମ ଭକ୍ତିରସାତ୍ମକ ଶ୍ଲୋକର ଭାବାନୁବାଦ ପରିବେଷଣ କରିବାର ଧୃଷ୍ଟତା କରୁଛି।ଭୁଲ୍ ଥିଲେ ଉଦାର ହୃଦୟରେ କ୍ଷମାଦେବେ।
********************************************

“ଭ୍ରାମ୍ୟଦ୍ଭାତି ଯଦୀୟଭାସ୍ବର-ବପୁର୍ବିଭ୍ର-ଦ୍ଭଚକ୍ର ପ୍ରଭାଂ
ଭିନ୍ଦଦ୍ଭୀମତମଃ ସୁଦର୍ଶନମିତି ଖ୍ୟାତଂ କ୍ଷୟାନ୍ତଂ କ୍ଷିତୌ
ଭକ୍ତାନାଂ ଭବଭିତି–ସମ୍ଭବ ଭିଦେ ଭୂଭାର ଭୂତଚ୍ଛିଦେ
ଧାମ୍ନେ ଶ୍ୟାମଧରାଧରାଧିପତୟେ କସ୍ମୈଚିଦସ୍ମୈ ନମଃ”।
(ଶ୍ଲୋକ ସଂ.୨୫…ସିଦ୍ଧାନ୍ତ ଦର୍ପଣ….ଦ୍ବିତୀୟ ପ୍ରକାଶ)
******************************************
              ଭାବାନୁବାଦ
               *********
କ୍ରାନ୍ତିବୃତ୍ତ ସମ ସୁଦର୍ଶନ ଚକ୍ର ଧରିଛନ୍ତି ପ୍ରଭୁ ମୋର,
ତେଜରେ ତାହାର ଦୂର ହୋଇଯାଏ ଏ ବିଶ୍ବର ଅନ୍ଧକାର।
ପ୍ରଳୟ ପର୍ଯ୍ୟନ୍ତ ସୁଦର୍ଶନ ଚକ୍ର କରୁଥାଏ ତାର କାର୍ଯ୍ୟ,
ଭାରଭୁତ ପ୍ରାଣୀ ସଂହାରଣ କରି ଦେଖାଉ ଥାଏ ତା ଓଜ।
ଦୁଷ୍ଟ ଧ୍ବଂସକାରୀ,ଭକ୍ତ ମନୋହାରୀ ସଦା ସୁଦର୍ଶନ ଧାରୀ,
ପ୍ରଣମଇ ଭକ୍ତିଭରେ ତୁମ୍ଭପାଦେ ପୁରୁଷୋତ୍ତମ ବିହାରୀ।
******************************************
ମହାକାଶରେ ଥିବା ତେଜୋଦୀପ୍ତ ଭଚକ୍ର ବା କ୍ରାନ୍ତି ବୃତ୍ତକୁ ସାମନ୍ତ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ସହିତ ତୁଳନା କରିଛନ୍ତି।ଭଚକ୍ର ସଦୃଶ ତେଜୋବାନ ସୁଦର୍ଶନ ଦ୍ବାରା ପ୍ରଭୁ ଦୁଷ୍ଟ ନିବାରଣ ଓ ସନ୍ଥ ପାଳନ କରି ଧର୍ମ ସଂସ୍ଥାପନା କାର୍ଯ୍ୟରେ ସତତ ପ୍ରଯତ୍ନଶୀଳ ରହିଛନ୍ତି।ପ୍ରଳୟ ପର୍ଯ୍ୟନ୍ତ ସୁଦର୍ଶନ ପ୍ରଭୁଙ୍କ ହାତରେ ବୁଲୁଥିବ ଓ ଦୁଷ୍ଟ ନିବାରଣ କରୁଥିବ।ମହାକାଶରେ ସର୍ବଦା ବିଚରଣ କରୁଥିବା ସାମନ୍ତ ,ଭଚକ୍ର ଭିତରେ ସ୍ରଷ୍ଟାଙ୍କର ଅସୀମ ଶକ୍ତିର ସାଙ୍କେତିକ ଦର୍ଶନ କରିଛନ୍ତି।
ଶ୍ରୀମଦ୍ଭଗବତ୍ ଗୀତାର ଚତୁର୍ଥ ଅଧ୍ୟାୟ ପଞ୍ଚମ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ ସାଧୁ ମାନଙ୍କର ପରିତ୍ରାଣ କରି ଧର୍ମ ସଂସ୍ଥାପନା ପାଇଁ ସେ ଯୁଗେ ଯୁଗେ ଜନ୍ମ ନିଅନ୍ତି।ସାମନ୍ତଙ୍କର ଉପରୋକ୍ତ ଶ୍ଲୋକରେ ସେହି ଚିରନ୍ତନ ବାଣୀର ଝଲକ ଦେଖାଯାଏ।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *