Wednesday, April 24, 2024
Uncategorized

ଘୋଷଯାତ୍ରା ୧

ଘୋଷ ଯାତ୍ରା

……………..
ମଙ୍ଗଳ ଆଳତି,ମଇଲମ ନୀତି ତଡପ ଲାଗି ସରିଲା,
ରୋଷ,ହୋମ,ଅବକାଶ,ସୂର୍ଯ୍ୟପୂଜା,ଦ୍ବାରପାଳ ପୂଜା ହେଲା,
ତହୁଁ ହେଲେ ବାହାର,
ଘୋଷଯାତ୍ରାରେ ତିନି ଠାକୁର।
ଜଗନ୍ନାଥ କହୁଛନ୍ତି “ଗୋ କମଳା! ଲାଗିଲା ତୁମକୁ ଘର,
ନବଦିନ ଯାତ୍ରାପାଇଁ ଯାଉଅଛୁ ଘେନି ଭଗିନୀ ସୋଦର,
ଡାକେ ଗୁଣ୍ଡିଚା ଘର,
ଛାଡି ଯାଉଅଛୁ ଶ୍ରୀମନ୍ଦିର।
ଆମ୍ଭ ଜନ୍ମସ୍ଥାନେ ସାତଦିନ ରହି ଭଗତଙ୍କୁ ଦେଖାକରି,
ଜରୁଆ ଏ ଚିଡା ମନକୁ ବାହାର ପବନେ ହାଲୁକା କରି,
ଶୀଘ୍ର ଆସିବୁଁ ଫେରି,
ଘର ଜଗିଥାଅ ପ୍ରାଣେଶ୍ବରୀ।
କମଳିନୀ କହୁଛନ୍ତି”ହେ ଶ୍ରୀପତି, କାହିଁକି ଜଗିବି ଘର,
କେତେବେଳେ ସଙ୍ଗେ ନେଲ ନାହିଁ ଯେବେ ଗଲ ଛାଡି ଶ୍ରୀମନ୍ଦିର,
ସଂସାରେ ପତି ପତ୍ନୀ,
କହ ଏମିତି କିଏ ଅଛନ୍ତି?
ଭାଇ,ଭଉଣୀଙ୍କୁ ସଙ୍ଗେନେଇ ସଦା ଯାଉଅଛ ତୁମେ ଚାଲି,
ଘରକାମେ ଅଣ୍ଟା ଭାଙ୍ଗି ମୋ ପଡୁଛି,ସତେ କି ତମ ପୋଇଲି,
ସବୁ କରି ଥୋଇଲି,
ତୁମ ସଙ୍ଗେ ଦିନେ ନ ବୁଲିଲି।’
ଜଗନ୍ନାଥ କହୁଛନ୍ତି ରୃଷନାହିଁ ଆଉ ମୋ କେତକୀ ଫୁଲ,
ମନ ମୋର ତୁମ ସ୍ନେହ, ପ୍ରେମେ ବନ୍ଧା ତୁମେ ମୋ ଅମୂଲ ମୂଲ,
ବଡଭାଇ ସାଙ୍ଗରେ,
କେହ୍ନେ ନେବି ତୁମ୍ଭକୁ ସଙ୍ଗରେ?
ଓଡିଆ ଘରର ବିଧି କି ନଜାଣ ଦେଢଶୁର,ଭାଇବୋହୂ,
ମୁହଁ ଚୁହାଁ ଚୁହିଁ ନହୁଅନ୍ତି ଲକ୍ଷ୍ମୀ,କେମିତି ଯିବାକୁ କହୁ,
ଭ୍ରାତା ଯେବେ ଶୁଣିବେ,
କ୍ରୋଧେ ଅବନୀ କମ୍ପାଇ ଦେବେ।
ଲକ୍ଷ୍ମୀ ପଚାରନ୍ତି କେଉଁ ବେଦପୋଥି ଅଶୁଦ୍ଧ ହେବ ତୁମର,
ଏକାକି ନଣନ୍ଦ ଯାଉଛନ୍ତି ତାଙ୍କସଙ୍ଗେ ଯିବି ମନ ମୋର,
କୁହ ଭାଇଙ୍କୁ ଯାଇ,
କଥା ଅନ୍ୟଥା କରିବେ ନାହିଁ।
କହନ୍ତି ଜଗତନାଥ ତୁ ଅଝଟ ହୁଅନି ସରଗତରା,
ଭାଇଙ୍କି କହିବାପାଇଁ ମୋ ମନରେ ସାହାସ ନାହିଁଟି ପରା,
ଶୁଣିଲେ ତୋର କଥା,
ରାଗେ ଘୂରିଯିବ ତାଙ୍କମଥା।
ତୁମ୍ଭେ ସଙ୍ଗେ ଗଲେ ଶ୍ରୀମନ୍ଦିର ଆମ୍ଭ ଶ୍ରୀହୀନ ହୋଇବ ଗୋରୀ,
ଭଗତେ ଆସିବେ ନାହିଁ ମନ୍ଦିରକୁ ଦେବତା ଦର୍ଶନକରି,
ପାର୍ଶ୍ବ ଦେବତାଗଣ
ସର୍ବେ ହୋଇଯିବେ ହୀନିମାନ।
ବିଳମ୍ବ ତୁ କରନାହିଁ ମହାଲକ୍ଷ୍ମୀ ଭାଇ ହେଲେଣି ଉଚ୍ଛନ,
ନିତିକାନ୍ତି ସାରି ଦିଅ ମତେ ଗୋରୀ ଅଳପ ଖେଚୁଡି ଅନ୍ନ,
ଷାଠିଏ ପଉଟିକୁ,
ଆଜି ବେଳନାହିଁ ଭୁଞ୍ଜିବାକୁ।
କ୍ରମଶଃ……….

Click to rate this post!
[Total: 0 Average: 0]

Leave a Reply