ମିନତି ମୋ ବାହୁଡାରେ
- ମିନତି ମୋ ବାହୁଡାରେ
—————–
ମଣ୍ଡୁକ ହୋଇ ମୁଁ ସର୍ପର କବଳେ
ପଡିଛି ହେ ଚକ୍ରଧାରୀ,
କାମ କ୍ରୋଧ ଲୋଭ ମୋହ ବିଷ ମୋର
ଦେହରେ ଯାଇଛି ଚରି।
ଏ ବିଷାକ୍ତ ଦେହ,ମନ ,ଆତ୍ମା ନେଇ
ମରୁଛି ମୁଁ ଦିନ ରାତି,
ତୋ କରୁଣା ବିନା ମୁକତି ମୋ କାହିଁ
ନାହିଁ ହେ ଜଗତ ପତି।
ଅକର୍ମ,ବିକର୍ମ ଚେର ବାନ୍ଧିଲାଣି
ପ୍ରାଣକୁ ଶରୀର ଖୁଣ୍ଟେ,
ବୈରାଗ୍ୟ ଖଡଗ ତଳୁ ତୋଳିବାକୁ
ମନରେ ବଳ ନଅଣ୍ଟେ।
ପ୍ରକୃତି ବଶରେ ପଞ୍ଚ ଇନ୍ଦ୍ରିୟରେ
ହେଲି ପଥହୁଡା ମୁଁହି,
ଭଲ ଭେଲ କିଛି ପରଖି ନପାରି
ସୁଅ ଧାରେ ଗଲି ବହି।
ଭୁଲିଗଲି ମୁହିଁ ସତ୍ତା ମୋର, ହୋଇ
ତ୍ରିଗୁଣରେ ବିମଣ୍ଡିତ,
ନପାରିଲି ହେଜି ତୁହି ପରମାତ୍ମା
ମୁହିଁ ତୋର ଅନ୍ତର୍ଗତ।
ପତିତ ମାନଙ୍କୁ ଭେଟିବାକୁ ସିନା
ଆସିଛୁ ତୁ ବଡଦାଣ୍ଡ,
ଯାଇପାରୁ ନାହିଁ ତୋତେ ଦେଖିବାକୁ
ମୁଁ ହୀନ ପାପୀ ପାଷଣ୍ଡ।
ଦୂରୁଥାଇ ତୋତେ ଡାକୁଛି ସାଆନ୍ତେ
ଶୁଣ ବାରେ ଚକ୍ରଧର,
ଦେଖାଅ ଆଲୋକ ପଥ, ଗଡିଯାଇ
ଏ ବାହୁଡା ରଥ ମୋର।