ଗୀତାଜ୍ଞାନ(୪)

ଗୀତା ଜ୍ଞାନ (୪)
===============
ଶ୍ରୀମଦ୍ଭଗବଦ୍ ଗୀତା
ପ୍ରଥମ ଅଧ୍ୟାୟ
ଅର୍ଜୁନବିଷାଦଯୋଗ
ଭାବାନୁବାଦ
(ଶ୍ଳୋକ ସଂଖ୍ୟା ୨୪ରୁ ୩୩)
===================================
ନିଦ୍ରାଜୟୀ ପାର୍ଥ ବୋଲନ୍ତେ ଏମନ୍ତ
ଅନ୍ତର୍ଯ୍ୟାମୀ ଅବହେଳେ,
ନନ୍ଦିଘୋଷ ନେଇ ସ୍ଥାପିଲେ ଗୋସାଇଁ
ବେନି ସେନା ମଧ୍ୟସ୍ଥଳେ।

ଏକପକ୍ଷେ ଛନ୍ତି ଭୀଷ୍ମ ମହାମତି,
ଦ୍ରୋଣାଚାର୍ଯ୍ୟ,କୁରୁବଳ,
ଅପର ପକ୍ଷରେ ଉଭା ପାଣ୍ଡୁବୀରେ
ଘେନି ସେନାନୀ ବିଶାଳ।

ଦେଖିଲେ ଅର୍ଜୁନ ବେନି ସେନାଗଣ
ମଧ୍ୟରେ ଆତ୍ମୀୟ ଜନ,
ତହିଁ ଉପସ୍ଥିତ ଭ୍ରାତା, ପୁତ୍ର, ପୌତ୍ର,
ସୁହୃଦ ଓ ବନ୍ଧୁଗଣ।

ଅଛନ୍ତି ସେଠାରେ ବାନ୍ଧବେ,ଶ୍ବଶୁରେ,
ପିତା,ପିତାମହ,ବନ୍ଧୁ
ଦେଖି ଗୁରୁଜନେ ଶତ୍ରୁଙ୍କ ଆସନେ
ଉଦ୍ବେଳିତ ହୃଦସିନ୍ଧୁ।

ଦେଖି ଉପସ୍ଥିତ ସମରେ ଏମନ୍ତ
ବାନ୍ଧବଙ୍କୁ କୁନ୍ତୀ ପୁତ୍ର,
ଅତ୍ୟନ୍ତ କାତର ବିଷାଦ ଅନ୍ତର
ହୋଇ ହେଲେ ଶୋକଗ୍ରସ୍ତ।

କହିଲେ କୃଷ୍ଣଙ୍କୁ “କୁଟୁମ୍ବଗଣଙ୍କୁ
ଏ ଯୁଦ୍ଧ ପ୍ରାଙ୍ଗଣେ ଦେଖି,
ହେଉଛି ଶିଥିଳ ମୋ ଅଙ୍ଗ ସକଳ
ପାଟି ଯାଉଅଛି ଶୁଖି।

ଶରୀର କମ୍ପୁଛି ରୋମ ଟାଙ୍କୁରୁଛି
ହସ୍ତୁ ଖସିପଡେ ଧନୁ,
ଚର୍ମ ଦହ୍ୟମାନ ଭ୍ରମିତ ମୋ ମନ,
ଭାଙ୍ଗି ପଡୁଅଛି ତନୁ।

ବିଲକ୍ଷଣ ସର୍ବ ଦେଖୁଛି କେଶବ
ସ୍ୱଜନ ନିଧନେ ମୁହିଁ,
କିଛି ତ କଲ୍ୟାଣ ନୁହେଁ ଦୃଶ୍ୟମାନ
ଏ ଯୁଦ୍ଧେ ଦ୍ବାରକା-ସାଇଁ।

ନ ଚାହେଁ ବିଜୟ ଅବା ରାଜ୍ୟ ଜୟ
ସୁଖଭୋଗ ଲୋଡା ନାହିଁ,
ସ୍ୱଜନଙ୍କୁ ମାରି ରଣେ ଚକ୍ରଧାରୀ
କି ଯଶ ଲଭିବି ମୁହିଁ।

କୁଟୁମ୍ବ ହରାଇ ରାଜ୍ୟ ଫେରିପାଇ
କି ଲାଭ ହେବ ଧରାରେ ?
ଯାହା ପାଇଁ ରାଜ୍ୟ ଚାହୁଁଅଛୁ ଆଜ
ଅଛନ୍ତି ସର୍ବେ ଏଠାରେ।

ଧନ,ପ୍ରାଣ ପାଇଁ ଆଶା ତ୍ୟାଗଦେଇ
ଯୁଦ୍ଧେ ଛନ୍ତି ଉପସ୍ଥିତ,
କି ସୁଖ ମିଳିବ ମୋତେ ହେ କେଶବ
ଯଦି ହେବେ ସର୍ବେ ହତ ?
===================================
ଅନ୍ତଃଦୃଷ୍ଟି
===================================
ଅର୍ଜୁନ ହେଉଛନ୍ତି ସଂସାରରେ ପୁରୁଷୋତ୍ତମଙ୍କ ପ୍ରତୀକ। ସେଥିପାଇଁ ଗ୍ରନ୍ଥକାର ତାଙ୍କୁ ଗୁଡାକେଶ(ନିଦ୍ରାଜୟୀ,ତନ୍ଦ୍ରାଜୟୀ ବା ଆଳସ୍ୟ-ରହିତ)ବୋଲି ବର୍ଣ୍ଣନା କରିଛନ୍ତି।ସଂସାରରେ ଆଳସ୍ୟ ରହିତ ମାନସିକତା ନିଷ୍କାମ କର୍ମଯୋଗ ପାଇଁ ଅତ୍ୟନ୍ତ ଆବଶ୍ୟକ।
କୁରୁକ୍ଷେତ୍ରରେ ଭୀଷଣ ସଂଗ୍ରାମ ପାଇଁ ଉପସ୍ଥିତ ନିଜ ଆତ୍ମୀୟ ସ୍ବଜନ ମାନଙ୍କୁ ଦେଖି ଅର୍ଜୁନଙ୍କୁ ସାଂସାରିକ/ଅପତ୍ୟ ମୋହ ଗ୍ରାସକରିଛି।
ପ୍ରିୟଜନଙ୍କ ରକ୍ତରେ କର୍ଦମାକ୍ତ ରାଜସିଂହାସନରେ ଉପବେଶନ କରିବା ଅପେକ୍ଷା ସନ୍ୟାସ ନେବା ଶ୍ରେୟସ୍କର ବୋଲି ସେ ଚିନ୍ତା କରିଛନ୍ତି। କିନ୍ତୁ ଏପରି କର୍ମବିମୁଖତା ଜଣେ କ୍ଷତ୍ରିୟ ପାଇଁ ଶୋଭା ପାଏ ନାହିଁ। ଅର୍ଜୁନ ସାଧାରଣ ବ୍ୟକ୍ତି ନୁହଁନ୍ତି;ଅଧର୍ମ ଶକ୍ତିର ବିନାଶ କରି ଆର୍ଯ୍ୟାବର୍ତ୍ତରେ ଧର୍ମରାଜ୍ୟ ସ୍ଥାପନା କରିବା ପାଇଁ ସ୍ରଷ୍ଟା ତାଙ୍କୁ ମାଧ୍ୟମ କରିଛନ୍ତି।ଏହି ପରିପ୍ରେକ୍ଷିରେ ଜଣେ ସାଧାରଣ ମନୁଷ୍ୟର ମୋହ ତାଙ୍କୁ ଯାବୁଡି ଧରିଲେ କ୍ଷତ୍ରିୟର ବିହିତ କର୍ମ ସେ କିପରି ସମ୍ପାଦନ କରିବେ ?
ତାଙ୍କର ଏହି ମୋହ ଏବଂ କର୍ମବିତୃଷ୍ଣା ଦୂର କରିବା ପାଇଁ ଶ୍ରୀକୃଷ୍ଣ ନିଷ୍କାମ କର୍ମଯୋଗ ର ଯେଉଁ ଅବତାରଣା କରିଛନ୍ତି ତାହା ଆମେ ପରବର୍ତ୍ତୀ ପରିବେଷଣରେ ଆଲୋଚନା କରିବା।
===================================
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *