ଦେବଯାନୀ (୨୫ ତମ କଳିକା)

ଦେବଯାନୀ
ପଞ୍ଚବିଂଶ କଳିକା
ରାଗ:—ଆହାରୀ
(କ୍ରମେ ମଧୁଶେଷ ହୁଅନ୍ତେ ପ୍ରବେଶ ହୋଇଲା ଗ୍ରୀଷମ ସମୟ ସ୍ୱରରେ ଗାଇବେ)
——————————————————————–
ଜାଣି କଚ ମନ,ଦୁଃଖରେ ମଗନ
ହୋଇଲା ବାଳା ଦେବଯାନୀ,
ଚକ୍ଷୁ ଭରି ନୀରେ, ଜନକ ଛାମୁରେ
ଆକୁଳେ କାନ୍ଦେ ରାମାମଣି,
ଦେଖିଣ,
ଘୋର ସନ୍ତାପେ ଶୁକ୍ର ମୁନି,
କଚ’କୁ ଡକାଇ ବୋଇଲେ ” ବୃତ୍ତାନ୍ତ
ବଖାଣ ଠିକେ ଧୀରମଣି”।।

ବୃହସ୍ପତି ସୁତ,ହୋଇ ଯୋଡହସ୍ତ,
ବଖାଣିଲେ ସର୍ବ ବୃତ୍ତାନ୍ତ,
ବୋଇଲେ “ହେ ପ୍ରଭୁ ! ଜନ୍ମି ତବ ଗର୍ଭୁ,
ପାଲଟିଛି ମୁଁ ତୁମ୍ଭ ସୁତ,
କେମନ୍ତ,
ଧରିବି ଦେବଯାନୀ ହସ୍ତ ?
ଭଗିନୀ ହରଣ, ଦୋଷରେ ମରଣ
ସମ ହେବିଟି ଜୀବନ୍ମୃତ”।।

ଦେଇ ପ୍ରବୋଧନ, ଶୁକ୍ର ତପୋଧନ,
ଦେବଯାନୀଙ୍କୁ ବୋଲୁଛନ୍ତି,
“ଦେବପୁତ୍ର ଉକ୍ତି,ଯଥାର୍ଥ ସୁପୁତ୍ରୀ !
ବିବାହ ଅସମ୍ଭବ ଅତି,
ନନ୍ଦିନୀ !
ମୋ ଉଦରୁ କଚ ଉତ୍ପତ୍ତି,
ଭଗ୍ନୀ ହୋଇ ଭ୍ରାତା ସଙ୍ଗେ ବିଭାହେଲେ,
ଅଯଶ ଲଭିବୁ ଏ କ୍ଷିତି।।

ବିଧାତା ବିଧାନ କେ କରିବ ଆନ,
ମନକୁ ସ୍ଥିରକର ବାଳା,
ହୋଇ ମହାକୋପ ଯେଉଁ ଅଭିଶାପ
କଚକୁ ଦେଇଛୁ ସରଳା,
ଅନ୍ୟାୟ,
ଆଚରଣ ତୋର ହୋଇଲା,
ସ୍ୱାର୍ଥ ହଳାହଳ ଗରଳ ଚପଳ
ମନକୁ ତୋର ନାଶ କଲା ।।

କର ଯୋଡି କଚ ,ବୋଲେ ” ମନେ ପାଞ୍ଚ,
ଅଟେ ମୋ ସ୍ୱଚ୍ଛ ଗୁରୁବର,
ଭଗିନୀ ମୋହର, ନିର୍ଦୋଷ ଆବର
ସବୁ ଅଦୃଷ୍ଟର ବିଚାର,
ପିତା ହେ !
ଶାପ୍ୟରୁ ମୋତେ ମୁକ୍ତି କର,
ମୋ ସାଧନା ଫଳ ନହେଉ ବିଫଳ,
କ୍ରୂର ଉପହାସେ ଭାଗ୍ୟର ।।”

ବୋଲୁଛନ୍ତି ଶୁକ୍ର ” କନ୍ୟା ଶାପ୍ୟ-ବାକ୍ୟ
ଅନ୍ୟଥା ନହେବ ନନ୍ଦନ,
ମୃତସଂଜୀବନୀ ମନ୍ତ୍ର ଧୀରମଣି,
ତୁମ୍ଭ ହସ୍ତେ ହେବ ଖଣ୍ଡନ,
କଚ ହେ !
କର ସେହି ଜ୍ଞାନ ବଣ୍ଟନ,
କରି ଉପଯୋଗ ଅନେକ ସୁଯୋଗ୍ୟ
ଦେବେ ହୋଇବେ କୀର୍ତ୍ତିମାନ ।।

ଜ୍ଞାନ ବିତରଣ, ପଥେ ହେ ନନ୍ଦନ
ଶାପ୍ୟର ବାଧା ନ ରହିବ,
ଜ୍ଞାନ ପାରାବାର ,ବାଣ୍ଟି ବାରି ତା’ର
କ୍ଷୟ କେହୁ କରିପାରିବ ?
କଚ ହେ !
ସାଧନା ବିଫଳ ନୋହିବ,
ତୁମ୍ଭ ଲବ୍ଧଜ୍ଞାନ ହେଲେ ପ୍ରସାରଣ,
ଜଗତ କଲ୍ୟାଣ ହୋଇବ।।

ବିଧାତା ବିଚାର ଆହେ କଚ ବୀର,
ଦେଖ ଫଳିଲା କେଉଁପରି,
ମୋ ଜ୍ଞାନ-ଧୃତିର ଘୋର ଅହଂକାର
ଚୂର୍ଣ୍ଣ କରିଲେ ଚକ୍ରଧାରୀ
କଚ ହେ !
ହେଲ’କି ତୁମ୍ଭେ ଅଧିକାରୀ ?
ଜଗତ କଲ୍ୟାଣ ପାଇଁ ଯାହା ସୃଷ୍ଟ
ପ୍ରଭୁ ଦେଲେ ତାକୁ ବିତରି ।।

ଦେବ ଦାନବଙ୍କ ଏ କଳହ ପଙ୍କ
ପଡିଲା ଶାଶ୍ୱତ ପ୍ରେମରେ,
ଉଣାକଲା ମନ,ଦେବଯାନୀ ଧନ,
କି ଦୋଷ ଥିଲା ତା ପ୍ରୀତିରେ ?
କଚ ହେ !
ଏହି ରୀତି ଅଟେ ସଂସାରେ,
ଦୁଇ ମତ୍ତହସ୍ତୀ ଯେବେଟି ଲଢନ୍ତି,
ତୃଣ ମରେ ପାଦ ପାତରେ “।।

ନେଇଣ ମେଲାଣି କଚ ଧୀରମଣି
ପ୍ରସ୍ଥାନ କଲେ ସ୍ୱର୍ଗ ପୁରେ,
ହତସ୍ତମ୍ଭ ହୋଇ ରହିଥିଲେ ଚାହିଁ
ଦେବଯାନୀ ଅଶ୍ରୁ ନେତ୍ରରେ,
ବିବୁଧେ,
ବଡ ଦୟାବନ୍ତ ଠାକୁରେ,
ସୃଷ୍ଟି ଭାରସାମ୍ୟ ରଖିଥାନ୍ତି ସାମ,
ଦାମ,ଦାନ,ଦଣ୍ଡ ଭେଦରେ।
——————————————————–‘———–
ଇତି, “ଦେବଯାନୀ ” କାବ୍ୟର ପ୍ରଥମ ପର୍ବ ସମାପ୍ତ
——————————————————————–

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *