Friday, April 26, 2024
Devotional Poems

ନୀଳାଚଳଵାସୀ ଶ୍ରୀଜଗନ୍ନାଥ

ନୀଳାଚଳଵାସୀ ଶ୍ରୀଜଗନ୍ନାଥ
୧୮
=================================
ଇନ୍ଦ୍ରଦ୍ୟୁମ୍ନଙ୍କର ନାରଦଙ୍କ ସହିତ ପୁରୁଷୋତ୍ତମ ଯାତ୍ରା ପ୍ରସ୍ତୁତି
=================================
ବିଦ୍ୟାପତିଙ୍କଠାରୁ ନୀଳମାଧବଙ୍କ ରୂପବର୍ଣ୍ଣନା ଶୁଣି ଭକ୍ତିଭାବରେ ଗଦ୍’ଗଦ ହୋଇ ଇନ୍ଦ୍ରଦ୍ୟୁମ୍ନ କହିଲେ..ଆର୍ଯ୍ୟ ବିଦ୍ୟାପତି ! ଆପଣଙ୍କ ମୁଖରୁ ପାପବିନାଶକାରୀ ପବିତ୍ର ନୀଳମାଧବ ଗାଥା ଶୁଣି ମୋର ସମସ୍ତ ଇନ୍ଦ୍ରିୟ ପବିତ୍ର ହୋଇଯାଇଛନ୍ତି।ମାଧବଙ୍କ ଅଙ୍ଗଲାଗି ହୋଇଥିବା ଦିବ୍ୟ ମାଳାର ସୁଗନ୍ଧରେ ମୋର ଅନ୍ତର ମହକି ଯାଇଛି।ବହୁ ଜନ୍ମରୁ ଅର୍ଜିତ ପ୍ରାରବ୍ଧ-ଗତ ପାପରାଶି ସମ୍ପୂର୍ଣ୍ଣ ବିନଷ୍ଟ ହୋଇଯାଇଛି ବୋଲି ମୋର ମନେହୁଏ।ପବିତ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଯାଇ ସେଠାରେ ମୁଁ ‘ଦୁର୍ଗ’ ଏବଂ “ପୁରୀ” ନିର୍ମାଣ କରି ନୀଳପର୍ବତସ୍ଥିତ ଜଗନ୍ନାଥଙ୍କ ପ୍ରୀତି ପାଇଁ ଅଶ୍ଵମେଧ ଯଜ୍ଞ ଅନୁଷ୍ଠାନ ସମାପନ କରିବି। ସେଠାରେ ଯାବତ୍’ଜୀବନ ରହି ପ୍ରତିଦିନ ଶତ ଶତ ଉପଚାର ଦ୍ଵାରା ଶ୍ରୀଜଗନ୍ନାଥଙ୍କୁ ପୂଜା କରିବି। ପ୍ରଭୁଙ୍କ ସନ୍ତୁଷ୍ଟି ପାଇଁ ବ୍ରତ ଉପବାସ ଓ ଅନ୍ୟ ସମସ୍ତ ଆବଶ୍ୟକୀୟ ନିୟମ ପାଳନ କରିବି। ନୀଳମାଧବକ୍ଷେତ୍ର ମୋତେ ଆହ୍ବାନ କରୁଛି।ମୋ ସହିତ ଯେଉଁମାନେ ଯିବାପାଇଁ ଚାହୁଁଛନ୍ତି,ଶୀଘ୍ର ପ୍ରସ୍ତୁତ ହୁଅନ୍ତୁ।

ଏହି ସମୟରେ ଭୁବନ ଦର୍ଶନରେ ଆସି ବ୍ରହ୍ମାଙ୍କ ପୁତ୍ର ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭାରେ ଉପସ୍ଥିତ ହେଲେ। ତାଙ୍କଠାରୁ ଅଧିକ ବିଷ୍ଣୁଭକ୍ତ ଆଉ ଜଗତରେ କାହାନ୍ତି !ସିଂହାସନରୁ ଉଠି ରାଜା ଇନ୍ଦ୍ରଦ୍ୟୁମ୍ନ ମୁନିଙ୍କ ପାଦ ବନ୍ଦନା କରି ଦିବ୍ୟ ଆସନରେ ବସାଇ କହିଲେ.. ଦେବର୍ଷି ! ଆପଣଙ୍କୁ ମୋ ରାଜସଭାରେ ପାଇ, ଆଜି ମୋର ସକଳ ଦାନ,ଯଜ୍ଞ,ଅଧ୍ୟୟନ ଓ ତପସ୍ୟା ସଫଳ ହେଲା।ଆପଣ ମୋର ଆରାଧ୍ୟ ଦେବତା ବିଷ୍ଣୁଙ୍କର ଶ୍ରେଷ୍ଠ ଭକ୍ତ। ଆପଣଙ୍କୁ ଦର୍ଶନ କରି ମୋର ମନେହେଉଛି ଯେପରି ଜଗନ୍ନାଥଙ୍କ କୃପାକଣିକା ମୋ ଉପରେ ବର୍ଷା ହୋଇଯାଉଛି।”

ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଶୀର୍ବାଦ କରି ନାରଦ କହିଲେ.. ମହାରାଜା ଇନ୍ଦ୍ରଦ୍ୟୁମ୍ନ ! ଆପଣ ହୁଏତ ଜାଣନ୍ତି ନାହିଁ;ଆପଣଙ୍କ ନିର୍ମଳ ଗୁଣରାଶିରେ ସମସ୍ତ ସିଦ୍ଧ,ମୁନି ଓ ଦେବତାମାନେ ସନ୍ତୁଷ୍ଟ। ସ୍ବୟଂ ବ୍ରହ୍ମାଙ୍କୁ ମଧ୍ୟ ଆପଣଙ୍କ ଗୁଣରାଶି ସନ୍ତୁଷ୍ଟ କରିଛି।ଆପଣଙ୍କ ଗୁଣ ସମୂହ ବହନ କରିଥିବା ବ୍ୟକ୍ତି ବ୍ରହ୍ମଲୋକରେ ବାସ କରିବାପାଇଁ ସମର୍ଥ ହୁଅନ୍ତି। ପୁରୁଷୋତ୍ତମ ନିତ୍ୟକ୍ଷେତ୍ରରେ ବସବାସ କରି ବିଷ୍ଣୁଙ୍କ ସେବା କରିବା ପାଇଁ ଆପଣ ଯେଉଁ ପ୍ରଚେଷ୍ଟା କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ।

ମୁଁ ବଦ୍ରିକା ଆଶ୍ରମ ଆସିଥିଲି ନାରାୟଣଙ୍କୁ ଦର୍ଶନ କରିବାପାଇଁ। ସେଠାରେ ଧ୍ୟାନ ବଳରେ ଆପଣଙ୍କର ଏହି ମହନୀୟ ପ୍ରଚେଷ୍ଟା ସମ୍ବନ୍ଧରେ ଜାଣିବାକୁ ପାଇଲି। ନୀଳାଚଳସ୍ଥିତ ବିଶ୍ବେଶ୍ବର ନୀଳମାଧବଙ୍କୁ ସେବା କରିବା କୃପା ସହଜରେ ମିଳେନାହିଁ। ସେଥିପାଇଁ ସହସ୍ର ଜନ୍ମର ତପସ୍ୟା କରିବାକୁ ପଡ଼ିଥାଏ। ମୋର ପିତା ବ୍ରହ୍ମଦେବ ବିଶ୍ବକର୍ତ୍ତା ବିଷ୍ଣୁଙ୍କୁ ଆରାଧନା କରି ସୃଷ୍ଟି ନିର୍ମାଣ କରିବାର ପ୍ରଭୁତ୍ବ ଲାଭ କରିଛନ୍ତି ତଥା ପିତାମହ ପଦ ପାଇଛନ୍ତି।ଆପଣ ସେହି ପିତାମହଙ୍କର ବଂଶର ପଞ୍ଚମ ପିଢ଼ିରେ ଜନ୍ମ। ଯେଉଁ ବିଷ୍ଣୁଙ୍କ ଆଶୀର୍ବାଦରେ ଚତୁର୍ବଗ(ଧର୍ମ,ଅର୍ଥ,କାମ,ମୋକ୍ଷ)ଫଳ ପ୍ରାପ୍ତି ହୋଇଥାଏ ସେପରି ଭକ୍ତିର ପଟାନ୍ତର ନାହିଁ ଏବଂ ତାହା କମ ତପସ୍ୟାର ଫଳ ନୁହେଁ।

ଅନାଦି କାଳରୁ ଯେଉଁ ‘ଅବିଦ୍ୟା’ ରହିଛି, ତାହା ଅତି ସୁଦୃଢ଼ ଏବଂ ଅନ୍ତଃକରଣରୁ ଦୂର କରିବା ସହଜ ନୁହେଁ। ଲୌକିକ ବିଦ୍ୟା ଲାଭ ଦ୍ବାରା ତାହା ଦୂର ହୋଇପାରେ ନାହିଁ। ସେହି ଅବିଦ୍ୟା କର୍ମ ସମ୍ବନ୍ଧୀୟ ପଞ୍ଚକ୍ଲେଶର କାରଣ ହୋଇଥାଏ। ସେହି ପାଞ୍ଚଟି କ୍ଲେଶ ହେଉଛନ୍ତି.. ଅବିଦ୍ୟା (&) ଅସ୍ମିତା($)ରାଗ, ଦ୍ୱେଷ ଏବଂ ଅଭିନିବେଶ (#).କେବଳ ବିଷ୍ଣୁ ଭକ୍ତି ହିଁ ଏହି ପାଞ୍ଚ କ୍ଲେଶକୁ ଦୂର କରିପାରିବ।
ନାରଦ କହିଲେ..ରାଜନ ! ସେଥିପାଇଁ ସାଧୁମାନେ ବିଷ୍ଣୁ-ଶକ୍ତିକୁ ମାତୃରୂପରେ ଆଶ୍ରୟ କରିଥାନ୍ତି। ସେମାନଙ୍କର ମାନସିକ,କାୟିକ ଓ ବାଚନିକ ପାପରାଶି ଅଗ୍ନିରେ ଶଲଭ (ପତଙ୍ଗ) ପରି ଭସ୍ମ ହୋଇ ଯାଇଥାଏ।
ଶ୍ରେଷ୍ଠ ବିଷ୍ଣୁଭକ୍ତ ନାରଦଙ୍କୁ ନିକଟରେ ପାଇ ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁଭକ୍ତିର ସ୍ବରୂପ ଅଧିକରୁ ଅଧିକ ଜାଣିବାକୁ ଚାହୁଁଥିଲେ। ରାଜା ପଚାରିଲେ.. ଦେବର୍ଷି! ଦୟାକରି ବିଷ୍ଣୁ ଭକ୍ତିର ସ୍ବରୂପ ମୋ ଆଗରେ ଅଧିକ ବର୍ଣ୍ଣନା କରନ୍ତୁ। ଇନ୍ଦ୍ରଦ୍ୟୁମ୍ନଙ୍କ ଜ୍ଞାନପିପାସା ମେଣ୍ଟାଇବା ପାଇଁ ନାରଦ କହିଲେ.. ମୁଖ୍ୟତଃ ବିଷ୍ଣୁ ଭକ୍ତି ତ୍ରିବିଧ, ଯଥା ସାତ୍ତ୍ୱିକ,ରାଜସିକ ଏବଂ ତାମସିକ।କାମ,କ୍ରୋଧ ଅଭିଭୂତ ଭକ୍ତିକୁ ତାମସିକ ଭକ୍ତି,ଯଶଲାଭ ଆଶାର କରାଯାଉଥିବା ଭକ୍ତିକୁ ରାଜସିକ ଏବଂ ଧର୍ମ ପରିତ୍ୟାଗ ନକରି ଆତ୍ମଜ୍ଞାନ ଲାଭ ପାଇଁ ଯେଉଁ ଭକ୍ତି କରାଯାଏ ତାହାକୁ ସାତ୍ତ୍ୱିକ ଭକ୍ତି କହନ୍ତି।ଏ ସମସ୍ତର ଉର୍ଦ୍ଧ୍ବରେ ତୁରୀୟ ଭକ୍ତି(ମାୟାର ଅତୀତ) ନାମକ ଏକ ଚତୁର୍ଥ ଭକ୍ତି ରହିଛି ଯାହା ସମସ୍ତ କାମନାରୁ ଉର୍ଦ୍ଧ୍ବରେ। ଏହି ଭକ୍ତି ଭାବରେ ମଜ୍ଜିଗଲେ ଅଦ୍ୟୈତ ଭକ୍ତି ମାର୍ଗର ଦର୍ଶନ ହୁଏ।ସେ ସମୟରେ ମନେହୁଏ ଜଗନ୍ନାଥଙ୍କ ବ୍ୟତୀତ ଆଉ କିଛି ନାହିଁ; ଜଗତ ହିଁ ଜଗନ୍ନାଥ ଏବଂ ଜୀବ ସ୍ବୟଂ ହିଁ ଜଗନ୍ନାଥ। ଏହି ଭକ୍ତି, ମୁକ୍ତିର ମାର୍ଗ ସରଳ କରିଦିଏ।

ନାରଦଙ୍କଠାରୁ ବିଷ୍ଣୁ ଭକ୍ତିର ଅନନ୍ୟ ସ୍ବରୂପ ମନଶ୍ଚକ୍ଷୁରେ ଦର୍ଶନ କରି କୃତକୃତ୍ୟ ହୋଇ ଇନ୍ଦ୍ରଦ୍ୟୁମ୍ନ ଯୋଡହସ୍ତରେ କହିଲେ… ଦେବର୍ଷି ! ଆପଣଙ୍କ ସାନ୍ନିଧ୍ୟ ଲାଭକରି ମୋ ଅନ୍ତର ଭିତରୁ ସମସ୍ତ ଅନ୍ଧକାର ଦୂର ହୋଇଛି। ନୀଳମାଧବଙ୍କ ପୂଜାର୍ଚ୍ଚନା ପାଇଁ ମନ ମୋର ବ୍ୟଗ୍ର ହେଲାଣି। ଆପଣ ବ୍ରହ୍ମାଣ୍ଡର ସମସ୍ତ ଲୋକ ଭ୍ରମଣ କରିବା ଯୋଗୁଁ ଆପଣଙ୍କ ନିକଟରେ କିଛି ଅଗମ୍ୟ ବା ଅଜ୍ଞାତ ନାହିଁ।ମୋ ସହିତ ଆପଣ ଚାଲନ୍ତୁ;ଆମେ ଦୁହେଁ ରଥ ଆରୋହଣ କରି ପୁରୁଷୋତ୍ତମ କ୍ଷେତ୍ର ନିବାସୀ ନୀଳମାଧବଙ୍କ ନିକଟରେ ପହଞ୍ଚିବା। ସେହି କ୍ଷେତ୍ରର ନିକଟରେ ମଧ୍ୟ ବହୁ ତୀର୍ଥସ୍ଥାନ ଅଛି ବୋଲି ମୁଁ ଲୋକମୁଖରୁ ଶୁଣିଛି।ଆପଣଙ୍କ ଦୟାରୁ ସେ ସମସ୍ତ ପ୍ରତ୍ୟକ୍ଷ ଦର୍ଶନ କଲେ ମୋର ମନୋକାମନା ପୂର୍ଣ୍ଣ ହେବ।
ରାଜାଙ୍କର କୃତାଞ୍ଜଳିପୁଟରେ ନିବେଦନ ଦେଖି ଆନନ୍ଦ ମନରେ ନାରଦ କହିଲେ.. ନିଶ୍ଚିତ ଭାବରେ ମୁଁ ପବିତ୍ର ପୁରୁଷୋତ୍ତମ କ୍ଷେତ୍ର ଏବଂ ତା’ର ଚତୁର୍ଦ୍ଦିଗରେ ଥିବା ତୀର୍ଥସ୍ଥଳ ଦର୍ଶନ କରାଇବି। ତୁମକୁ ଅନୁଗୃହିତ କରିବାପାଇଁ ନିଜେ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ହୋଇ ତୁମକୁ ଦର୍ଶନ ଦେବେ। ସେହି ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କଲେ ମାନବର ମୁକ୍ତିଲାଭ ସୁନିଶ୍ଚିତ।

ଶୁଭ ମୁହୂର୍ତ୍ତ ଦେଖି ରାଜା ଇନ୍ଦ୍ରଦ୍ୟୁମ୍ନ ଓ ନାରଦ ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି,ପୁଷ୍ୟାନକ୍ଷତ୍ର ଶୁଭ ଲଗ୍ନରେ ପୁରୁଷୋତ୍ତମକ୍ଷେତ୍ର ଅଭିମୁଖେ ବାହାରିଲେ।

ରାଜା ଇନ୍ଦ୍ରଦ୍ୟୁମ୍ନ ରାଜ୍ୟରେ ଘୋଷଣା କଲେ.. ମୁଁ ମୋର ସମସ୍ତ ବନ୍ଧୁଗଣ ଏବଂ ସୈନ୍ୟ ସାମନ୍ତ ସହିତ ନୀଳାଚଳକ୍ଷେତ୍ର ଯାଇ ସେଠାରେ ପ୍ରଭୁଙ୍କ ସେବାରେ ଯାବଜ୍ଜୀବନ ବାସ କରିବି।ମୋ ସହିତ ଯିବାପାଇଁ ଯେଉଁମାନେ ଇଚ୍ଛୁକ, ବିନା ସଙ୍କୋଚରେ ମୋ ସହିତ ଆସନ୍ତୁ।ମୋର ପରିବାର ବର୍ଗ,ଧନାଗାର ସହିତ ସମସ୍ତ ଅମାତ୍ୟ,ରାଜପୁରୁଷଗଣ,ହସ୍ତୀ ଅଶ୍ଵ ପଦାତିକ ସୈନ୍ୟ, ଅଗ୍ନହୋତ୍ରୀ ଅଷ୍ଟାଦଶ ବିଦ୍ୟାବିଶାରଦ ବ୍ରାହ୍ମଣ ପଣ୍ଡିତଗଣ, ଜ୍ୟୋତିର୍ବିଦ, ଆୟୁର୍ବେଦାଚାର୍ଯ୍ୟ ଚିକିତ୍ସକଗଣ ଏବଂ ଇଚ୍ଛୁକ ପ୍ରଜାଗଣ,ପଣ୍ୟତୋହର (ସ୍ବର୍ଣ୍ଣକାର),ଚାଟୁକାର ଏବଂ ବିଭିନ୍ନ ଶ୍ରେଣୀର ବୈଷୟିକ ବିଦ୍ୟାରେ ପାରଙ୍ଗମ ପ୍ରଜାଗଣ ମୋ ସହିତ ପୁରୁଷୋତ୍ତମ କ୍ଷେତ୍ର ଯିବାପାଇଁ ପ୍ରସ୍ତୁତ ହୁଅନ୍ତୁ।”

ଇନ୍ଦ୍ରଦ୍ୟୁମ୍ନ, ସାହସୀ ଚୋରମାନଙ୍କୁ ମଧ୍ୟ ଆହ୍ବାନ କଲେ ତାଙ୍କ ସହିତ ଯାତ୍ରା କରିବାପାଇଁ; ଉଦ୍ଦେଶ୍ୟ ପୁରୁଷୋତ୍ତମକ୍ଷେତ୍ରର ସାନ୍ନିଧ୍ୟରେ ଆସି ସେମାନେ ହୁଏତ ଉତ୍ତମ ଜୀବନ ଧାରଣ ପନ୍ଥା ଅନୁସରଣ କରିବେ।
ଶାସ୍ତ୍ରବିଧି ଅନୁଯାୟୀ ବୃଦ୍ଧିଶ୍ରାଦ୍ଧ (ଆଭ୍ୟୁଦାୟିକ,ମାଙ୍ଗଳିକ)ସହ ଗଣଦେବତାଙ୍କର ଯଥାବିଧି ହୋମ ଓ ବଳିଦାନ ଆଦି ବିଧାନ ଶେଷକରି ଶଙ୍ଖ ଧ୍ୱନି ସହିତ,ନାରଦଙ୍କ ସହିତ ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତ୍ତମକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ।

(ସ୍କନ୍ଦପୁରାଣ ଆଧାରିତ)

କ୍ରମଶଃ…
============================
& ଅବିଦ୍ୟା..lack of knowledge
$ ଅସ୍ମିତା..over identifying with own ego
# ଅଭିନିବେଶ..attachment and fear
============================
(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply