ନୀଳାଚଳ ବାସୀ ଶ୍ରୀଜଗନ୍ନାଥ (୬)

ନୀଳାଚଳବାସୀ ଶ୍ରୀଜଗନ୍ନାଥ

=============================
ଅରୁଣ ସ୍ତମ୍ଭର କାହାଣୀ
=============================
ଶ୍ରୀମନ୍ଦିର ଆଗରେ ଦଣ୍ଡାୟମାନ ଅରୁଣ ସ୍ତମ୍ଭର କାହାଣୀ ଜାଣିବା ପୂର୍ବରୁ ଆମେ ସୂର୍ଯ୍ୟଙ୍କ ସାରଥି ଅରୁଣଙ୍କ ବିଷୟରେ ଜାଣିବା ଉଚିତ। ବିଭିନ୍ନ ପୁରାଣ ଓ ମହାଭାରତ ଅନୁଯାୟୀ କଶ୍ୟପଙ୍କର ଦୁଇଟି ପତ୍ନୀ ଥିଲେ। ସେମାନଙ୍କ ନାମ ଥିଲା କଦ୍ରୁ ଓ ବିନତା।ସେ ଦୁହେଁ ଦକ୍ଷପ୍ରଜାପତିଙ୍କ କନ୍ୟା ଥିଲେ।ସପତଣୀ ହୋଇଥିବାରୁ ଦୁଇଜଣଙ୍କ ମଧ୍ୟରେ ସହଜାତ ଈର୍ଷା ପରସ୍ପରପ୍ରତି ରହିଥିଲା। ଜ୍ୟେଷ୍ଠା କଦ୍ରୁ ଧୂର୍ତ୍ତ ଥିଲେ ଏବଂ ବିନତା ଥିଲେ ସରଳ ବିଶ୍ୱାସୀ।ନାଗମାତା କଦ୍ରୁ କଶ୍ୟପଙ୍କ ଔରଷରୁ ଏକସହସ୍ର ନାଗପୁତ୍ର ପାଇବାପାଇଁ ବର ମାଗି ନେଇଥିଲେ।ବିନତା ସ୍ବାମୀଙ୍କୁ ମାଗିଥିଲେ ମାତ୍ର ଦୁଇଟି ବଳଶାଳୀ ପୁତ୍ର।

ଦୁହେଁ ଏକ ସମୟରେ ଗର୍ଭଧାରଣ କଲେ।କଦ୍ରୁଙ୍କର ଏକସହସ୍ର ଅଣ୍ଡାରୁ ସହସ୍ରେ ନାଗପୁତ୍ର ଜନ୍ମ ହେଲେ।ବିନତା ଦେଇଥିଲେ ଦୁଇଟି ଅଣ୍ଡା।ସେ ଅଣ୍ଡା ଦୁଇଟିରୁ ଛୁଆ ହେବାପାଇଁ ବିଳମ୍ବ ହେବାରୁ କ୍ରୋଧ ଏବଂ ଇର୍ଷାରେ ବିନତା ଗୋଟିଏ ଅଣ୍ଡାକୁ ସମୟ ପୂର୍ବରୁ ଫୁଟାଇ ଦେଲେ।ସେଥିରୁ ଯେଉଁ ଶାବକଟି ବାହାରିଲା ତାର ଶରୀର ସମ୍ପୂର୍ଣ୍ଣ ବିକଶିତ ହୋଇ ନଥିଲା। ରକ୍ତବର୍ଣ୍ଣର ସେହି ଶାବକଟି ଶୀତରେ ଥରି ଥରି କରୁଣ ସ୍ବରରେ କ୍ରନ୍ଦନ କରିବାକୁ ଲାଗିଲା।ବିନତା ମନଦୁଃଖରେ ସ୍ବାମୀ କଶ୍ୟପଙ୍କୁ ସବୁକଥା ଜଣାଇଲେ। ଉତ୍ତାପ ଦେଇ ଶାବକଟିର ଜୀବନ ରକ୍ଷା କରିବାପାଇଁ କଶ୍ୟପ ତାକୁ ସୂର୍ଯ୍ୟଙ୍କୁ ପ୍ରଦାନ କଲେ।ସେହି ବିକଳାଙ୍ଗ ଶାବକଟିର ନାମ ଥିଲା ଅରୁଣ। କାଳକ୍ରମେ ଦିବ୍ୟଶକ୍ତି ଲାଭକରି ଅରୁଣ ସୂର୍ଯ୍ୟଙ୍କର ଏକଚକ୍ର ବିଶିଷ୍ଟ,ସପ୍ତାଶ୍ବ ବିଯୋଡିତ ରଥରେ ସାରଥୀ ହୋଇ ତାହା ଚାଳନ କଲେ ଏବଂ ସମଗ୍ର ବିଶ୍ବକୁ ମାତ୍ର ଗୋଟିଏ ଦିନରେ ପରିକ୍ରମଣ କଲେ।ପ୍ରଭାତରେ ସୂର୍ଯ୍ୟ ଉଦୟ ପୂର୍ବରୁ ପୂର୍ବଆକାଶରେ ଯେଉଁ ଲାଲିମା ଦେଖାଯାଏ ତାହା ଅରୁଣଙ୍କର ଜ୍ୟୋତି।
ବ୍ରହ୍ମବୈବର୍ତ୍ତ ପୁରାଣରେ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି:–

“ବିନତା ଗର୍ଭରୁ ଜନମିଲେ ପୁତ୍ର ଦୁଇ,
ଆନ କଥାମାନ ଶୁଣ ମନକର୍ଣ୍ଣଦେଇ।
ବିଷ୍ଣୁ ତୁଲ୍ୟ ବଳ ପରାକ୍ରମୀ ସେ ହୋଇଲେ,
ଅରୁଣ ଗରୁଡ ନାମ ସେ ଦୁହେଁ ବହିଲେ।
ଅରୁଣ ସାରଥି ହେଲେ ସୂର୍ଯ୍ୟଦେବଙ୍କର,
ଗରୁଡ଼ ବାହନ ହୋଇଲେ ଶ୍ରୀ ବିଷ୍ଣୁଙ୍କର।”

ଶ୍ରୀମନ୍ଦିର ସିଂହଦ୍ବାର ଚକଡାରେ ଯେଉଁ ବିଶାଳ ସ୍ତମ୍ଭ ରହିଛି ତା ଉପରେ ଶ୍ରୀମନ୍ଦିରକୁ ଚାହିଁ ଯୋଡହସ୍ତରେ ବସିଛନ୍ତି ଅରୁଣ।ସତେ ଯେପରି ସହସ୍ର ସୂର୍ଯ୍ୟଙ୍କ ଜ୍ୟୋତିଧାରୀ ଶ୍ରୀଜଗନ୍ନାଥଙ୍କୁ ଅବିରତ ପ୍ରଣାମ କରୁଛନ୍ତି ସୂର୍ଯ୍ୟସାରଥି। ସିଂହଦ୍ବାର ଚକଡାରେ ଅରୁଣଙ୍କ ଉପସ୍ଥିତି ସୂଚାଇଦିଏ ଯେ ଶ୍ରୀବିଷ୍ଣୁ ସୂର୍ଯ୍ୟଙ୍କ ପ୍ରତୀକ।ମଣ୍ଡୁକ୍ଯ ଉପନିଷଦରେ ବର୍ଣ୍ଣନା ଅଛି ଯେ ସୂର୍ଯ୍ୟ ହେଉଛନ୍ତି ତ୍ରିମୂର୍ତ୍ତି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର :–

“ଉଦୟେ ବ୍ରହ୍ମଣ ରୂପମ୍ ମଧ୍ୟାହ୍ନେ ତୁ ମହେଶ୍ୱର,
ଅସ୍ତମାନେ ସ୍ବୟଂ ବିଷ୍ଣୁଃ ତ୍ରିମୂର୍ତ୍ତି ଚ ଦିବାକର।”

ଶୁଭ୍ର,ଶ୍ୟାମ ଏବଂ ଅରୁଣିମା, ଏହି ତିନୋଟି ରଙ୍ଗ ଜଗନ୍ନାଥଙ୍କ ଠାରେ ବିଦ୍ୟମାନ। ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତି ଆରମ୍ଭରେ ସୂର୍ଯ୍ୟ ପୂଜା କରାଯାଏ। ଏହି ସମସ୍ତ କାରଣରୁ ସମ୍ଭବତଃ ଅରୁଣ ସ୍ତମ୍ଭକୁ ସିଂହଦ୍ବାର ସମ୍ମୁଖରେ ସ୍ଥାପନ କରାଯାଇଛି।
ମାଦଳା ପାଞ୍ଜି ଅନୁଯାୟୀ ଖୋର୍ଦ୍ଧାର ଭୋଇ ବଂଶର ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ବା ଦିବ୍ୟସିଂହ ଦେବଙ୍କ ଅମଳରେ ମରହଟ୍ଟା ଗୁରୁ ବ୍ରହ୍ମଚାରୀ ଗୋସାଇଁଙ୍କ ଦ୍ବାରା କୋଣାର୍କରୁ, ଗୋଟାମୁଗୁନି ପଥର ନିର୍ମିତ ଅରୁଣସ୍ତମ୍ଭକୁ ଅଣାଯାଇ ଶ୍ରୀମନ୍ଦିରର ସିଂହଦ୍ଵାର ବା ‘ଧର୍ମଦ୍ବାର’ ସମ୍ମୁଖରେ ସ୍ଥାପନା କରାଯାଇଥିଲା।

ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ନିବନ୍ଧ “ଶ୍ରୀଜଗନ୍ନାଥ ଚେତନାରେ ଶଙ୍କା ପଞ୍ଚକମ୍”ଅନୁଯାୟୀ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦିରେ କୋଣାର୍କ ମନ୍ଦିରର ପତନ ଘଟିଥିଲା। କିଛି ଐତିହାସିକଙ୍କ ମତ ଅନୁଯାୟୀ କୋଣାର୍କ ମନ୍ଦିରର ପତନ ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ହୋଇଥିଲା। ମନ୍ଦିର ଭିତରେ ମୂର୍ତ୍ତି ପୂଜା ପାଉ ନଥିଲେ। ଓଡ଼ିଶାର ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ(ଦିବ୍ୟସିଂହ ଦେବ)ଙ୍କ ରାଜତ୍ବ କାଳରେ(ଖ୍ରୀଷ୍ଟୀୟ ୧୭୨୧ ରୁ ୧୭୩୬)କୋଣାର୍କରେ ଥିବା ଉପାସିତ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିମାକୁ ଆଣି ପୁରୀରେ ଶ୍ରୀମନ୍ଦିରରେ ବେଢାରେ ସ୍ଥାପନ କରାଯାଇଥିଲା। ସେହି ସମୟରେ ଅରୁଣ ସ୍ତମ୍ଭକୁ ମଧ୍ୟ ସିଂହଦ୍ବାର ଗୁମୁଟିରେ ସ୍ଥାପନ କରାଯାଇଥିଲା।

ଡଃ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ ଅନୁଯାୟୀ ଅରୁଣ ସ୍ତମ୍ଭର ଉଚ୍ଚତା ୩୪ଫୁଟ। ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହା ୩୬ ଫୁଟ ଥିଲା ବୋଲି କହିଛନ୍ତି। ସୁରମା ବଳୀୟାର ସିଂହଙ୍କ ପ୍ରବନ୍ଧ “ଶ୍ରୀମନ୍ଦିରର ସିଂହଦ୍ଵାର” ଅନୁଯାୟୀ ପୀଠ ଉପରୁ ଏହାର ଉଚ୍ଚତା ୨୫ ଫୁଟ ଦୁଇ ଇଞ୍ଚ।ଅତଃ ଏହି ସ୍ତମ୍ଭି ୯ ରୁ ୧୧ ଫୁଟ ପୋତା ଯାଇଛି ବୋଲି ଅନୁମାନ କରାଯାଏ।କଳା ମୁଗୁନି ପଥରରେ ଗୋଟିଏ ପଥରରେ(monolithic) ନିର୍ମିତ ଏହି ସ୍ତମ୍ଭ କୋଣାର୍କ ମନ୍ଦିର ଗଠନ ସହିତ ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ଦ୍ବାରା ଖ୍ରୀଷ୍ଟୀୟ ୧୨୩୮ରୁ ୧୨୬୪ ମସିହା ମଧ୍ୟରେ ହୋଇଥିବା ଅନୁମାନ କରାଯାଏ।

ଏହି ସ୍ତମ୍ଭର ଶୀର୍ଷରେ ଷୋଡ଼ଶଦଳ ପଦ୍ମର ସିଂହାସନ ଉପରେ ଯୋଡହସ୍ତରେ ବିରାଜମାନ ହୋଇଛନ୍ତି ସୁନ୍ଦର ପକ୍ଷଯୁକ୍ତ ସୂର୍ଯ୍ୟ-ସାରଥି ଅରୁଣ। ସୃଷ୍ଟିରେ କେହି ନିଜକୁ ବିକଳାଙ୍ଗ ମନେ କରିବା ଉଚିତ ନୁହେଁ; ମାନସିକ ଶକ୍ତି ହିଁ ବାସ୍ତବ ଶକ୍ତି ଏବଂ ପ୍ରଭୁଙ୍କ ଚରଣାଶ୍ରିତ ହେଲେ ଏହା ମିଳିଯାଇଥାଏ,ମୂକ ବାଚାଳତା କରିପାରେ ଏବଂ ପଙ୍ଗୁ ଗିରି-ଲଂଘନ କରିପାରେ,ଏହି ବାର୍ତ୍ତା ସ୍ତମ୍ଭ ଉପରେ ଆସୀନ ଅରୁଣ ଜଗତକୁ ପ୍ରଦାନ କରୁଛନ୍ତି।

ଅରୁଣ ସ୍ତମ୍ଭର ପୀଠରେ ରହିଛି ଓଲଟ ପଦ୍ମର ଡାଳି ଏବଂ କାରୁକାର୍ଯ୍ୟ ସହିତ ଯୋଡ଼ାସିଂହ ମୂର୍ତ୍ତି। ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଅରୁଣ ସ୍ତମ୍ଭକୁ ତିନି ଭାଗରେ(ତଳ,ମଧ୍ୟ ଓ ଉର୍ଦ୍ଧ୍ବ ଭାଗ) ଯଥାକ୍ରମେ ଭୌତିକ,ତାମସିକ ଏବଂ ସାତ୍ତ୍ୱିକ ଗୁଣାବଳୀ ହିସାବରେ ବିଭକ୍ତ କରାଯାଇପାରେ। ପ୍ରଥମ ବା ତଳ ଭାଗ ରାଜା ଲାଙ୍ଗୁଡା ନରସିଂହ ଦେବଙ୍କ ରାଜକୀୟ, ପାରିବାରିକ ଓ ଚତୁରଙ୍ଗ ସେନା ମାନଙ୍କ ତଥ୍ୟାବଳୀ ରହିଛି।ମଧ୍ୟଭାଗ,ଯାହାକୁ ଭକ୍ତମାନେ ଆଲିଙ୍ଗନ କରି ଜଗନ୍ନାଥଙ୍କୁ ଧନ,ଜନ ସୁଖ ଶାନ୍ତି ଇତ୍ୟାଦି ମାଗିଥାନ୍ତି ତାହା ତାମସିକ ଭାବର ପରିଚାୟକ।ଉପରିଭାଗ, ଯେଉଁଠାରେ ଅରୁଣ କାୟମନୋବାକ୍ୟରେ ଜଗନ୍ନାଥଙ୍କୁ ଅବିରତ ପ୍ରାର୍ଥନା କରୁଛନ୍ତି ସାତ୍ତ୍ୱିକ ଭାବର ପରିଚୟ ପ୍ରଦାନ କରେ। ତେଣୁ ତାତ୍ତ୍ବିକତା ଦୃଷ୍ଟିରୁ ଅରୁଣ ସ୍ତମ୍ଭ ମହାନ ଆଧ୍ୟାତ୍ମିକ ବାର୍ତ୍ତା ପରିବେଷକ।

କ୍ରମଶଃ….
===============================
ସହାୟକ ପ୍ରବନ୍ଧ:—
*ଶ୍ରୀମନ୍ଦିରର ସିଂହଦ୍ଵାର (ସୁରମା ବଳୀୟାରସିଂହ)
*ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ପ୍ରବନ୍ଧ “ଶ୍ରୀଜଗନ୍ନାଥ ଚେତନାରେ ଶଙ୍କା ପଞ୍ଚକମ୍”
*ଓଡ଼ିଶା ଇତିହାସ
============≠===================
(କୁଳମଣି ଷଡଙ୍ଗୀ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *