ନୀଳାଚଳ ଵାସୀ ଶ୍ରୀଜଗନ୍ନାଥ (୧୨)

ନୀଳାଚଳବାସୀ ଶ୍ରୀଜଗନ୍ନାଥ
୧୨
===============================
ସ୍କନ୍ଦପୁରାଣରରେ ବର୍ଣ୍ଣିତ ଇନ୍ଦ୍ରଦ୍ୟୁମ୍ନ ଓ ନୀଳ ପର୍ବତ
===============================
ନୀଳପର୍ବତର ଆଖ୍ୟାନ ଅତ୍ୟନ୍ତ ଗୂଢ। କିମ୍ବଦନ୍ତୀ ଅନୁଯାୟୀ ତଥା ଅନେକ ପଣ୍ଡିତଙ୍କ ମତରେ କଣ୍ଟିଲୋ ନୀଳମାଧବଙ୍କ ପୀଠ ହିଁ ସ୍କନ୍ଦପୁରାଣରେ ବର୍ଣ୍ଣିତ ନୀଳ ପର୍ବତ ଏବଂ ସେଠାରେ ପୂଜା ପାଉଥିବା ନୀଳମାଧବ ହିଁ ସ୍କନ୍ଦପୁରାଣ ବର୍ଣ୍ଣିତ ଶ୍ରୀଜଗନ୍ନାଥ।କଣ୍ଟିଲୋଠାରୁ ଅନତି ଦୂରରେ ଥିବା କାଳିଆ ପଲ୍ଲୀ ନାମକ ଗ୍ରାମକୁ ଶବର ରାଜା ବିଶ୍ଵାବସୁଙ୍କ ବାସସ୍ଥାନ ଏବଂ ଅନତି ଦୂରରେ ଥିବା ବ୍ୟାଘ୍ର ଗୁମ୍ଫାକୁ ପୁରୁଷୋତ୍ତମ ବିଷ୍ଣୁଙ୍କର ଗୁପ୍ତ ପୂଜାସ୍ଥଳୀ ଭାବରେ କିଛି ପଣ୍ଡିତ ଓ ଗବେଷକ ବର୍ଣ୍ଣନା କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ଏବେ ଜଗନ୍ନାଥଙ୍କ ମନ୍ଦିରରେ ଯେଉଁ ଦଇତାପତିମାନେ ଜଗନ୍ନାଥଙ୍କ ସେବକ ଭାବରେ କାର୍ଯ୍ୟ କରୁଛନ୍ତି ସେମାନେ ସମସ୍ତେ, ବିଶ୍ଵାବସୁଙ୍କ କନ୍ୟା ଲଳିତା ଓ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ବ୍ରାହ୍ମଣ ଦୂତ ବିଦ୍ୟାପତିଙ୍କ ବଂଶଧର। ସେମାନେ ସମସ୍ତେ ଉପରୋକ୍ତ “କାଳିଆପଲ୍ଲୀ” ଗ୍ରାମରୁ ଆସିଥିବା କିମ୍ବଦନ୍ତୀ ସମର୍ଥିତ ।

କିନ୍ତୁ ସ୍କନ୍ଦ ପୁରାଣରେ ରହିଥିବା ବର୍ଣ୍ଣନା ଉପରୋକ୍ତ ବର୍ଣ୍ଣନା ଠାରୁ ଅନେକାଂଶରେ ଭିନ୍ନ। ସ୍କନ୍ଦପୁରାଣ ବ୍ୟାସଦେବକୃତ ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହାର ଉତ୍କଳ ଖଣ୍ଡରେ ବିଷ୍ଣୁଭକ୍ତ ଇନ୍ଦ୍ରଦ୍ୟୁମ୍ନ ଏବଂ ନୀଳପର୍ବତ ନିବାସୀ ପୁରୁଷୋତ୍ତମ ବିଷ୍ଣୁଙ୍କ ବିଷୟରେ ସବିଶେଷ ବର୍ଣ୍ଣନା ରହିଛି। ପୂର୍ବ ଅଧ୍ୟାୟରେ ଆମେ ଆଲୋଚନା କରିଛେ, କିପରି ସ୍କନ୍ଦ ପୁରାଣ ଅନୁଯାୟୀ ବିଷ୍ଣୁ,ବ୍ରହ୍ମାଙ୍କୁ କହିଛନ୍ତି ଯେ ଦକ୍ଷିଣ ମହୋଦଧି ତଟରେ ଥିବା ନୀଳପର୍ବତ ନାମକ ଗୋପନୀୟ ସ୍ଥାନରେ ସେ ଶରୀର ଧାରଣ କରି ନିତ୍ୟ ଅବସ୍ଥାନ କରୁଛନ୍ତି।

ସେହି ସ୍କନ୍ଦପୁରାଣ ଅନୁଯାୟୀ ମହାଲକ୍ଷ୍ମୀ ଯମଙ୍କୁ କହିଛନ୍ତି… ଶ୍ରୀକ୍ଷେତ୍ର ଶାଶ୍ବତ, ଅର୍ଥାତ୍ ଚିରନିତ୍ୟ। ସେଠାରେ ସୃଷ୍ଟି ଓ ପ୍ରଳୟ ହୁଏ ନାହିଁ। ସେହି କ୍ଷେତ୍ରରେ ପ୍ରବେଶ କରିବା ପ୍ରାଣୀ, ଯମରାଜାଙ୍କ ଅଧିକାରଭୂକ୍ତ ହୁଅନ୍ତି ନାହିଁ।ଚରାଚର ଜଗତ ପ୍ରଳୟ କାଳରେ ଲୀନ ହେଲେ ମଧ୍ୟ ବିଷ୍ଣୁ ଓ ଲକ୍ଷ୍ମୀ ଏହି କ୍ଷେତ୍ରରେ ଉପସ୍ଥିତ ରହିଥିବେ। ସାତ କଳ୍ପ ପାଇଁ ଅମର ବର ପାଇଥିବା ମାର୍କଣ୍ଡେୟ ଋଷି, ପ୍ରଳୟ ସମୟରେ ଏହି କ୍ଷେତ୍ରରେ କଳ୍ପ ବଟବୃକ୍ଷ ତଳେ ଗର୍ତ୍ତ ଖନନ କରି ତହିଁରେ ଆଶ୍ରୟ ନେଇଥିଲେ।” ତା’ପରେ ଲକ୍ଷ୍ମୀ ବ୍ରହ୍ମାଙ୍କୁ ଚାହିଁ କହିଲେ..ହେ ବିଦ୍ୱାନ! ତୁମେ ବିଷ୍ଣୁଙ୍କ ନାଭୀକମଳରୁ ଉତ୍ପନ୍ନ ହୋଇଛ।ତୁମେ ତ ଅବଗତ ଅଛ ଯେ ଭକ୍ତ ପାଖରେ ଭଗବାନ ନିଜକୁ ସମର୍ପି ଦିଅନ୍ତି। ଏହି କ୍ଷେତ୍ର ସୁବର୍ଣ୍ଣ ବାଲୁକା ଦ୍ଵାରା ଆବୃତ ହୋଇ ରହିବ। ଏଠାରେ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ, ଅନନ୍ତ ଓ ସୁଦର୍ଶନଙ୍କ ସହିତ ଅବସ୍ଥାନ କରିବେ। ପୁଣି ମନେରଖ, ବିଷ୍ଣୁ ପରାୟଣ ଭକ୍ତ ଏବଂ ସକଳ ଯଜ୍ଞାନୁଷ୍ଠାନକାରୀ ତଥା ଶାସ୍ତ୍ରଜ୍ଞ ପଣ୍ଡିତ ରାଜା ଇନ୍ଦ୍ରଦ୍ୟୁମ୍ନ, ଭବିଷ୍ୟତରେ ସତ୍ୟଯୁଗରେ ଜନ୍ମଗ୍ରହଣ କରିବେ।ସେ ଏଠାକୁ ଆସି ବିଷ୍ଣୁଙ୍କୁ ଭକ୍ତି ସହକାରେ ଆରାଧନା କରିବେ ତଥା ଭଗବାନଙ୍କ ପ୍ରୀତ୍ୟର୍ଥେ ଏକସହସ୍ର ଅଶ୍ଵମେଧ ଯଜ୍ଞ କରିବେ। ଭଗବାନ ତାଙ୍କ ପ୍ରତି ପ୍ରସନ୍ନ ହୋଇ ଦାରୁରେ ଚତୁର୍ଦ୍ଧା ମୂର୍ତ୍ତି ଭାବରେ ଆବିର୍ଭୂତ ହେବେ। ତୁମ୍ଭେ ତାଙ୍କ ପ୍ରତି ପ୍ରସନ୍ନ ହୋଇ ସେହି ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା କରିବ। ଲକ୍ଷ୍ମୀ ଦେବୀଙ୍କର ଏହି ବାକ୍ୟ ଶ୍ରବଣ କରି ଯମ ଓ ବ୍ରହ୍ମା ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ଏହି କ୍ଷେତ୍ରର ମହିମା କଥା ମନେ ମନେ ସ୍ମରଣ କରି ସ୍ବ ସ୍ବ କ୍ଷେତ୍ରକୁ ଗମନ କଲେ।

ସ୍କନ୍ଦପୁରାଣରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ବିଷୟରେ ବର୍ଣ୍ଣନା ଅଛି ଯେ ମାଳବର ସୂର୍ଯ୍ୟବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କର ଅଧସ୍ତନ ପଞ୍ଚମ ପୁରୁଷ ସନ୍ତାନ ଥିଲେ। ଅବନ୍ତି ନଗର ତାଙ୍କ ରାଜଧାନୀ ଥିଲା।ଥରେ ସେ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରୁଥିବା ସମୟରେ କିଛି ବିଦ୍ବାନ ,କବି , ତୀର୍ଥଯାତ୍ରୀ,ଦୈବଜ୍ଞ ଓ ଶ୍ରୋତ୍ରିୟ ମାନଙ୍କୁ ପଚାରିଲେ…ପୃଥିବୀର କେଉଁ ସ୍ଥାନରେ ଏପରି ଉତ୍ତମ ଧାମ ଅଛି ଯେଉଁଠି ଚର୍ମଚକ୍ଷୁ ଦ୍ବାରା ସାକ୍ଷାତ ଜଗନ୍ନାଥଙ୍କ ଦର୍ଶନ ମିଳିବ।”

ରାଜାଙ୍କ ପୁରୋହିତ ସେଠାରେ ଉପସ୍ଥିତ ଥିବା ତୀର୍ଥଯାତ୍ରୀମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ..ହେ ତୀର୍ଥଯାତ୍ରୀମାନେ ! ଆପଣମାନେ ଧାର୍ମିକ ଏବଂ ସର୍ବଦା ତୀର୍ଥ ପର୍ଯ୍ୟଟନରେ ବହୁ ଦେଶ ଦର୍ଶନ କରିଛନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ ଯାହା ପଚାରୁଛନ୍ତି, ଜାଣିଥିଲେ ଆପଣମାନେ କହନ୍ତୁ।” ସଭାମଧ୍ୟରେ ଉପସ୍ଥିତ, ବହୁ ତୀର୍ଥସ୍ଥାନ ଭ୍ରମଣ କରିଥିବା ଜଣେ ଜଟାଧାରୀ ବ୍ରାହ୍ମଣ କହିଲେ… ମୁଁ ବାଲ୍ୟକାଳରୁ ଏହି ଭୂମଣ୍ଡଳରେ ଅନେକ ତୀର୍ଥସ୍ଥଳୀ ଭ୍ରମଣ କରିଛି;ଆଉ ମଧ୍ୟ ଅନେକ ତୀର୍ଥଯାତ୍ରୀ ମାନଙ୍କଠାରୁ ଶୁଣିଛି ଯେ ଉତ୍କଳ ନାମରେ ଏକ ପବିତ୍ର ଦେଶ ରହିଛି। ସେଠାରେ ଅନେକ ତୀର୍ଥସ୍ଥାନ ରହିଛି। ଦକ୍ଷିଣ ସମୁଦ୍ର ତଟରେ, ପୁରୁଷୋତ୍ତମ ନାମକ କ୍ଷେତ୍ରରେ ନୀଳଗିରି ନାମକ ଗୋଟିଏ ପର୍ବତ ଅଛି।ତାର ଚତୁର୍ଦ୍ଦିଗ ବଣ ଜଙ୍ଗଲରେ ଆବୃତ।ତା ଭିତରେ ଏକକ୍ରୋଶ ବ୍ୟାପି ଗୋଟିଏ ବଟ ବୃକ୍ଷ ଅଛି। ସେହି ବୃକ୍ଷର ଛାୟା ସଂସ୍ପର୍ଶରେ ଆସିଲେ ବ୍ରହ୍ମହତ୍ୟା ଆଦି ସମସ୍ତ ପାପ ବିନଷ୍ଟ ହୁଏ।ତାର ପଶ୍ଚିମ ଭାଗରେ ରୋହିଣୀ ନାମକ ଏକ ବିଖ୍ୟାତ କୁଣ୍ଡ ଅଛି। ତାହା ପବିତ୍ର ଜଳରେ ପରିପୂର୍ଣ୍ଣ। ସେହି ଜଳର ସ୍ପର୍ଶରେ ମୁକ୍ତିଲାଭ ହୁଏ। ଏହି କୁଣ୍ଡର ପୂର୍ବତଟରେ ନୀଳକାନ୍ତମଣି ନିର୍ମିତ, ଶଙ୍ଖ ଚକ୍ର ଗଦା ଓ ପଦ୍ମ ଧାରଣ କରିଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ବିରାଜିତ।ପ୍ରଭୁ ସାକ୍ଷାତ ମୁକ୍ତି ଦାୟକ । ଯେଉଁ ବ୍ୟକ୍ତି ରୋହିଣୀ କୁଣ୍ଡରେ ସ୍ନାନକରି ପୁରୁଷୋତ୍ତମଙ୍କୁ ଦର୍ଶନ କରେ ସେ ସହସ୍ର ଅଶ୍ଵମେଧ ଯଜ୍ଞର ଫଳ ପାଇଥାଏ।ଏହାର ପଶ୍ଚିମ ଦିଗରେ “ଶବର ଦୀପକ”ନାମକ ଏକ ଶ୍ରେଷ୍ଠ ଆଶ୍ରମ ଅଛି।ଏହା ଶବର ଜାତିର ବ୍ୟକ୍ତିମାନଙ୍କ ଗୃହରେ ପରିପୂର୍ଣ୍ଣ। ସେହି ସ୍ଥାନରୁ ବିଷ୍ଣୁଙ୍କ ଆସ୍ଥାନକୁ ଯିବାକୁ ହୁଏ। ଯିବାପାଇଁ ଗୋଟିଏ ମାତ୍ର ଏକପଦି ମାର୍ଗ ରହିଛି।

ସ୍କନ୍ଦପୁରାଣର ଉପରୋକ୍ତ ବର୍ଣ୍ଣନାରୁ କଣ୍ଟିଲୋ ନୀଳମାଧବ କ୍ଷେତ୍ରକୁ ପୁରୁଷୋତ୍ତମଙ୍କ ଗୁପ୍ତ କ୍ଷେତ୍ର ବୋଲି କହିବାରେ କିଛି ବାଧା ଉପୁଜିବା ସ୍ବାଭାବିକ। ପ୍ରଥମତଃ ନୀଳମାଧବକ୍ଷେତ୍ର ଦକ୍ଷିଣ ସାଗର ତଟରେ ଅବସ୍ଥିତ ନୁହେଁ। ଦ୍ବିତୀୟରେ ବଟବୃକ୍ଷ ଏବଂ ରୋହିଣୀ କୁଣ୍ଡ ଜଗନ୍ନାଥ ଧାମ ପୁରୀରେ ହିଁ ରହିଛନ୍ତି। ଶ୍ରୀମନ୍ଦିରର ଭିତରେ ରୋହିଣୀ କୁଣ୍ଡର ପୂର୍ବରେ ପୁରୁଷୋତ୍ତମ ଜଗନ୍ନାଥଙ୍କ ଆସ୍ଥାନ। କିମ୍ବଦନ୍ତୀରେ ଯେଉଁ ଲଳିତା-ବିଦ୍ୟାପତି ପ୍ରଣୟ ଉପାଖ୍ୟାନ କଥା ଶୁଣିବାକୁ ମିଳେ, ସେପରି ବର୍ଣ୍ଣନା ସ୍କନ୍ଦପୁରାଣରେ ନାହିଁ।

ସ୍କନ୍ଦପୁରାଣ ପଢ଼ିବା ପରେ କଣ୍ଟିଲୋ ନୀଳମାଧବ କ୍ଷେତ୍ରକୁ ସ୍କନ୍ଦପୁରାଣ ବର୍ଣ୍ଣିତ “ନୀଳପର୍ବତ” ବୋଲି କହିବା ପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ମୋର ବ୍ୟକ୍ତିଗତ ମତ।
(କୁଳମଣି ଷଡଙ୍ଗୀ)
କ୍ରମଶଃ….

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *