ସାମନ୍ତ ସ୍ମରଣେ (୨୦)

  • ସାମନ୍ତ ସ୍ମରଣେ
    ………..୨୦………
    ଏପରି ଯନ୍ତ୍ରଟିଏ ଆଗରୁ ପାଇଥାନ୍ତି କି!
    (An account of the life and work of Samanta Chandrasekhar, the wonder Astronomer of 19th Century)
    ……………………………………………
    ପୃଥିବୀର ଘୂର୍ଣ୍ଣନ ବିଷୟରେ ସାମନ୍ତଙ୍କର ମତାମତକୁ କେନ୍ଦ୍ରକରି ତାଙ୍କର ପ୍ରତିଭାର ଆକଳନ କରିବା ସମ୍ପୂର୍ଣ୍ଣ ଭୁଲ୍ ହେବ।ନଗ୍ନ ଆଖିରେ,ଦୁଇଖଣ୍ଡି କାଠି ସାହାଯ୍ୟରେ,ପୃଥିବୀ ପୃଷ୍ଠରେ ଥାଇ,ଗ୍ରହ, ନକ୍ଷତ୍ର ମାନଙ୍କ ଦୂରତା ମାପିବା;ଗଣନା ଦ୍ବାରା ସଠିକ୍ ସମୟରେ ସୂର୍ଯ୍ୟପରାଗ,ଚନ୍ଦ୍ରଗ୍ରହଣ,ଏବଂ ମହାକାଶରେ ଘଟିବାକୁ ଯାଉଥିବା ଅନ୍ୟାନ୍ୟ ସମ୍ଭାବନାର ନିର୍ଭୁଲ ଭବିଷ୍ୟବାଣୀ କରିବା;ସୂକ୍ଷ୍ମ ଗଣନା ମାଧ୍ୟମରେ ଦିନ,ଦଣ୍ଡ,ଲିତା ଆଦି ସମ୍ପୂର୍ଣ୍ଣ ସଠିକ୍ ନିର୍ଦ୍ଧାରଣ କରିବା, ତାଙ୍କ ମହାକାଶ ଗବେଷଣାର ବିଶେଷତ୍ବ ଥିଲା ଏବଂ ତାହାହିଁ ପାଶ୍ଚାତ୍ୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।ଗବେଷଣା ପଛରେ ରାଜ-ଅନୁଗ୍ରହ ତ ନଥିଲା;ତେଣୁ ଦୂରବୀକ୍ଷଣ ଯନ୍ତ୍ର ଖଣ୍ଡପଡା ଭଳି ଅନଗ୍ରସର ଗଡଜାତରେ ଧନହୀନ ଚନ୍ଦ୍ରଶେଖର ପାଆନ୍ତେ ବା କେଉଁଠୁ?
    ସୂର୍ଯ୍ୟପରାଗ ବିଲାତରେ ଘଟିବ ବୋଲି ସେ ଯେଉଁ ଗଣନାତ୍ମକ ଭବିଷ୍ୟତ ବାଣୀ କରିଥିଲେ ତଥା ଆମେରିକାରେ ଚନ୍ଦ୍ରଗ୍ରହଣ ଏକ ନିର୍ଦ୍ଦିଷ୍ଟ ସମୟରେ ଘଟିବ ବୋଲି ଯାହା କହିଥିଲେ ,ସେ ଜ୍ୟୋତିଶ୍ଚକ୍ରୀୟ ଭବିଷ୍ୟତବାଣୀ ସତ୍ୟରେ ପରିଣତ ହେବାପରେ ସାମନ୍ତଙ୍କର ପ୍ରତିଭା ପାଶ୍ଚାତ୍ୟ ଜ୍ୟୋତିର୍ବିଦ ମାନଙ୍କୁ ଚମତ୍କୃତ କରିଥିଲା।

    ତଥାପି ଯେତେବେଳେ ସାମନ୍ତଙ୍କର ପ୍ରଫେସର ଯୋଗେଶଚନ୍ଦ୍ର ରାୟଙ୍କ ସହିତ ଭେଟହେଲା,ତାଙ୍କ ସହିତ ଉପସ୍ଥିତ ଥିବା ତାଙ୍କର ବନ୍ଧୁମାନେ ସାମନ୍ତଙ୍କ ଗଣିତ ଜ୍ୟୋତିଷକୁ ସନ୍ଦେହ ଆଖିରେ ଦେଖି ,ସାମନ୍ତ ଛଳନା କରୁଛନ୍ତି ବୋଲି ଭାବିଲେ।
    ସେଦିନ ସନ୍ଧ୍ୟା ସମୟ ଥିଲା।ମଙ୍ଗଳ ଓ ଶୁକ୍ର ଗ୍ରହ ପଶ୍ଚିମ ଆକାଶରେ ପରସ୍ପର ଠାରୁ ୬ ଡିଗ୍ରୀ ଦୂରରେ ଥିଲେ।ଗ୍ରହଦ୍ବୟଙ୍କ ମଧ୍ୟରେ ପ୍ରକୃତ ଦୂରତ୍ବ ମାପି ଦେଖାଇବାକୁ ସେମାନେ ସାମନ୍ତଙ୍କୁ ଅନୁରୋଧ କଲେ।ସାମନ୍ତ ସଙ୍ଗେ ସଙ୍ଗେ ଗୋଟିଏ ୪୨ ଆଙ୍ଗୁଳ ଲମ୍ବ କାଠିରେ ତାଙ୍କର ଶଙ୍କୁ ଯନ୍ତ୍ରଟିଏ ନିର୍ମାଣ କରିଦେଲେ ଓ ସାଢେ ୪ ଆଙ୍ଗୁଳ ଲମ୍ବର ଖଣ୍ଡିଏ ଛେଦନକାରୀ କାଠି ଶେଷ ଆଡକୁ ସଂଲଗ୍ନ କରିଦେଲେ।ତ୍ରିକୋଣମିତିର ଜ୍ୟା ଫର୍ମୁଲା ଆଦି ତାଙ୍କର ସବୁ ମୁଖସ୍ଥ ଥିଲା।ଅଚିରେ ଗ୍ରହ ଦୁଇଟିର ଦୂରତା ସେ ନିର୍ଭୁଲ ଭାବରେ ମାପି ଦେଇଥିଲେ।

    ସେତେବେଳେ ସେ ପ୍ରଫେସର ରାୟଙ୍କ ପାଖରେ ଦୂରବୀକ୍ଷଣ ଯନ୍ତ୍ରଟିଏ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଗ୍ରହମାନଙ୍କୁ ଦେଖାଇବାପାଇଁ ସେ ପ୍ରଫେସର ରାୟଙ୍କୁ ଅନୁରୋଧ କରିଥିଲେ।ଦୂରବୀକ୍ଷଣ ଯନ୍ତ୍ରଟି ଛୋଟ ଥିଲେମଧ୍ୟ ତାଦ୍ବାରା ସେ ଚନ୍ଦ୍ରର ବିଭିନ୍ନ ଓ ବିଚିତ୍ର ଦୃଶ୍ୟ ଦେଖିବାରେ ମଗ୍ନ ହୋଇଯାଇଥିଲେ।ଯନ୍ତ୍ରର ଆୟତ୍ତନ ବୃଦ୍ଧି କରିବା ଶକ୍ତି ବିଷୟରେ ସେ ଯେତେବେଳେ ପ୍ରଫେସର ରାୟଙ୍କୁ ପଚାରିଲେ ସେତେବେଳେ ପ୍ରଫେସର ରାୟ କହିଲେ”ଆପଣ ନିଜେ କରି ଦେଖନ୍ତୁ।” ସାମନ୍ତଙ୍କ ଦ୍ବାରା ତାହା ମଧ୍ୟ ସମ୍ଭବ ହୋଇଥିଲା।”ଦେଖ ଯନ୍ତ୍ରଟି ଶହେଗୁଣ ଆୟତ୍ତନ ବୃଦ୍ଧିକଲା” ବୋଲି ସାମନ୍ତ ଯେତେବେଳେ କହିଲେ,ପ୍ରଫେସର ରାୟ, ସାମନ୍ତଙ୍କର ପ୍ରତ୍ୟୁତ୍ପନ୍ନ ମତିତା ଦେଖି ସତରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଏହାପରେ ସାମନ୍ତ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଚନ୍ଦ୍ରର ବ୍ୟାସ ମାପିଥିଲେ ଏବଂ ଆଗରୁ ନିଜେ ନିର୍ଣ୍ଣୟ କରିଥିବା ବ୍ୟାସ ସହିତ ତୁଳନା କରିଥିଲେ।ଏହାପରେ ଯନ୍ତ୍ର ସାହାଯ୍ୟରେ ସେ ବୃହସ୍ପତି ଗ୍ରହକୁ ଭଲ ଭାବରେ ଦେଖିଥିଲେ।
    ବଡ ଅବସୋସ ସହିତ କହିଥିଲେ “ଆହା ଆଗରୁ, ଗବେଷଣା ସମୟରେ ମୁଁ ହେଲେ ଏପରି ଯନ୍ତ୍ରଟିଏ ପାଇଥାନ୍ତି !”
    କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *