Friday, April 26, 2024
Other Poems

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ୧୮)

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ(18)
————————————-
ପ୍ରଣୟିନୀର ମିଳନ ନହେବା ଯନ୍ତ୍ରଣାଠାରୁ ବିରହ ଅବସ୍ଥା  ବରଂ ଶ୍ରେୟ।ବିରହ-ବିଧୁରା ରାଧାଙ୍କ ମନର ଏହି କଥା କବିର ଲେଖନୀ ସ୍ପର୍ଶରେ ଜୀବନ୍ତ ହୋଇଉଠେ।ଶ୍ରୀକୃଷ୍ଣଙ୍କ ସହିତ  ଶ୍ରୀରାଧାଙ୍କ ମିଳନ ଅଭିଳାଷା କ୍ରମେ କ୍ଷୀଣ ହୋଇ ଆସୁଛି।ରାଧାରାଣୀଙ୍କର ମନର ବେଦନା ଠାରୁ ସଖୀ ଲଳିତାଙ୍କ ସମ୍ବେଦନଶୀଳ ହୃଦୟ,ରାଧାଙ୍କ  ଯନ୍ତ୍ରଣାକୁ ଅଧିକ ଅନୁଭବ କରେ,କାରଣ କାୟ, ମନ ,ବାକ୍ୟରେ ସେ ଶ୍ରୀରାଧାଙ୍କର ଅତି ଅନ୍ତରଙ୍ଗ ସଖୀ।ତେଣୁ ଅଭିସାର ଇଚ୍ଛାନେଇ କୁଞ୍ଜବନକୁ ଆସିଥିବା ଶ୍ୟାମଙ୍କୁ ଲଳିତା କହୁଛନ୍ତି: –
——————————————————————–

“ଶ୍ୟାମ ! ଫେରିଯା ହେ,କାମନାଟି ପୂରିଲାଣି,
ବାମନୟନାର ସୌଭାଗ୍ଯ ସୁନ୍ଦର ବୀଜ ତ ଗଜୁରିଲାଣି।0।
ତୁମ୍ଭ ହୃଦ ଘନ ଶିଳାରେ ଶୟନ ଯୋଗ କେଣେ ଗଲା ଚାଲି,
ଏଣିକି କୋମଳ ଜଳରୂହ ଦଳ ତଳପେ ଶୋଉଛି ଖାଲି।1।
ସେତ ଏ ସଂସାର ସାର,ଅଳଙ୍କାର କି ହେବ ଭୂଷଣ ଭାର?
ବିଧିକି କେବଳ ବଳୟ ଯୁଗଳ ମଣିବନ୍ଧେ ଅଛି ତାର।2।
ନତଶିରେ ନ୍ୟାସି ଥାଏ ଛାର ବାସି ଅତସୀ କୁସୁମ ମାଳା,
ଶୁଭ୍ର ସୁକୁମାର ବିସଲତା ହାର ଏବେ ଲମ୍ବାଇଛି ବାଳା।3।
ସୁତୀକ୍ଷ୍ଣ କରଜେ ତା କଳେବର ଯେ ଭାଗ୍ୟରୁ ନୁହନ୍ତେ ଚିରା,
ଏବେ ତ ନିଖୁଣ ରହିଛି ସେ ଗୁଣ,ପଣ୍ଡିତ ମଣ୍ଡଳୀ ହୀରା।4।
କୁଞ୍ଜତଳେ ମାତି ବିଧୂସର କାନ୍ତି ବହିବା ନୋହିଲା ତେଣୁ,
ଜାଗି ସଖୀପନ୍ତି ଲାଗି କରୁଛନ୍ତି କର୍ପୂର ଚନ୍ଦନ ରେଣୁ।5।
ଭଲ ଶିକ୍ଷାପାଇ ଗଲ ଯା ଭୁଲାଇ କଲ ବଡ ଉପକାର,
କଲେ ଏହିଭଳି ଦେବ ଚନ୍ଦ୍ରାବଳୀ ସୁବିଧାରେ ପୁରସ୍କାର ।6।
ରହି ଗଦାଧର ପାରିନ୍ଦ୍ର ହାଜର ହା କିଶୋରୀ ଡାକି ଡାକି,
ସେ ଅଭିସରଣ ବାହୁଡା ଚରଣ ଧୂଳିକି ରହିଛି  ଟାକି।7।

ଟୀକା
——–
ବାମ ନୟନା—ଶ୍ରୀମତୀ  (ରାଧା)
ସୌଭାଗ୍ଯ ସୁନ୍ଦର ବୀଜ–ସର୍ବ ପରିପୂର୍ଣ୍ଣତାର ମଂଜି(ଦୁଃଖ ଯାଇ ସୁଖର ଆରମ୍ଭ ହେଲାଣି।
ହୃଦ ଘନଶିଳା–ପଥର ଛାତି ବା ହୃଦୟହୀନ ଛାତି।
ଜଳରୂହ ଦଳ–ପଦ୍ମପତ୍ର।
ବିଧିକି କେବଳ–ନାମକୁ ମାତ୍ର
ବଳୟ ଯୁଗଳ—କଙ୍କଣ ଦ୍ୱୟ
ମଣିବନ୍ଧ–କଚଟି ଗଣ୍ଠିରେ
ନତଶିରେ —ନତମସ୍ତକ ହୋଇ
ନ୍ୟାସି–ଚାହିଁ ରହିବା
ଅତସୀ କୁସୁମ–କେସୁ ଫୁଲର ମାଳା
ବିସଲତା–ମୃଣାଳ ଲତା–ପଦ୍ମନାଳ ମାଳ
ସୁତୀକ୍ଷ୍ଣ କରଜ—ଶ୍ରୀକୃଷ୍ଣଙ୍କ ତୀକ୍ଷ୍ଣ ନଖ
ପାରିନ୍ଦ୍ର—ସିଂହ
——————————————————————–
ସରଳାର୍ଥ
————–
ଲଳିତା କହୁଛନ୍ତି “ହେ ଶ୍ୟାମ,ତୁମେ ଫେରିଯାଅ।ଶ୍ରୀମତୀର ବିରହ ଜନିତ ଦୁଃଖ ଯାଇ ସୁଖର ଆରମ୍ଭ ହେଲାଣି।ତୁମର ଶିଳାସଦୃଶ ହୃଦୟରେ ଶୟନ କରିବା ଯୋଗ ନଥିଲେ କଣ ହେଲା,ଶୀତଳ ପଦ୍ମପତ୍ରରେ ସେ ବିରହିଣୀ ଶୟନ କରୁଛି,ଏହା ସୌଭାଗ୍ଯ ନୁହେଁ ତ ଆଉ କଣ?ସେ ତ ନିଜେ ସଂସାରର ଅଳଙ୍କାର ସଦୃଶା,ତାର ଅଳଙ୍କାର କଣ ହେବ?ତେଣୁ ସେ ଅଳଙ୍କାର ଭାରରୁ ନିଜକୁ ମୁକ୍ତକରି ଦେଇଛି।ବିଧିକି ମାତ୍ର କେବଳ କଂକଣ ଦି’ପଟ ,ବିରହ ଯୋଗୁଁ କୃଶ ହୋଇଥିବା ହାତର କଚଟି ଗଣ୍ଠିରେ ରହିଛନ୍ତି ।ଆଗରୁ ତୁମ ଗଳାର ବାସି ଅତସୀ କୁସୁମକୁ ଚାହିଁ ରହିଥାଏ।ଏବେ କିନ୍ତୁ ପଦ୍ମନାଡର ହାରକୁ ଧାରଣ କରିଛି(ବିରହ କାଳରେ ଏହା ଧାରଣ କରାଯାଏ)।ଏହା ଭାଗ୍ୟର କଥା ନୁହେଁ  ତ ଆଉ କଣ?
ତୁମର ସୁତୀକ୍ଷ୍ଣ ନଖଦ୍ୱାରା ତାର କଳେବର ଚିରା ନହେବା ତାପାଇଁ ଭାଗ୍ୟର କଥା;ସେ ପଣ୍ଡିତା ମାନଙ୍କ ଦ୍ୱାରା ଅଭିସାର କରୁଥିଲା ବୋଲି ନିନ୍ଦିତ ହେବନାହିଁ ।ତୁମ ସହିତ କୁଞ୍ଜତଳେ ମାତି,ଆଗେ ଧୁଳିଧୂସର କଳେବର ହେଉଥିଲା।ଏବେ କିନ୍ତୁ ସଖୀମାନେ ତା ଦେହରେ କର୍ପୂର ବୋଳୁଛନ୍ତି,ଏହା ତ ନିଶ୍ଚିତ ଭାବରେ  ସୌଭାଗ୍ଯର କଥା ।ଚନ୍ଦ୍ରାବଳୀର କୁଶିକ୍ଷାପାଇ ତମେ ରାଈକୁ ଭୁଲିଯାଇ ବଡ ଉପକାର କରିଛ।ଏପରି କଲେ ଚନ୍ଦ୍ରାବଳୀ ଠାରୁ ପୁରସ୍କାର ପାଇବ ହିଁ ପାଇବ।
ତେଣୁ ହେ ଶ୍ୟାମ,ତୁମେ ଫେରିଯାଅ।
——————————————————————–
ଗଦାଧର ସିଂହଙ୍କର ଏହି ରାଧା-କୃଷ୍ଣ ପ୍ରେମାମୃତସିକ୍ତ ଗୀତଟି ପାଲା,ଦାସକାଠିଆ,ଢୁମ୍ପା ସଂଗୀତ କଳାକାର ମାନଙ୍କର ଅତି ପ୍ରିୟ ପରିବେଷଣ ଭିତରୁ ଗୋଟିଏ।
( ଗଦାଧର ସିଂହ ସାମନ୍ତ ,ବିଶ୍ୱପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖରଙ୍କର ମଧ୍ୟମ ପୁତ୍ର ଥିଲେ।1877 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ 1964 ମସିହାରେ ତାଙ୍କର ମହାପ୍ରୟାଣ ହୋଇଥିଲା।)
_________________________________________
An article by kulamani Sarangi on Gadadhara Singh Samanta,son of the illustrious astroscientistSamanta Chandrasekhar.
Email:—kulamanisarangi@gmail.com

Click to rate this post!
[Total: 0 Average: 0]

Leave a Reply