Saturday, April 27, 2024
Uncategorized

ଦେବଯାନୀ
ଷଡବିଂଶ କଳିକା
————–
ରାଗ:–ଚୋଖି
—————–
ମୃତ୍ୟୁ ସଞ୍ଜିବନୀ ମନ୍ତ୍ର   ହେଲା ଯହୁଁ ହସ୍ତଗତ
ନମି ବୃହସ୍ପତି ସୁତ ଗୁରୁ ଚରଣେ,
ତେଜିଲେ ଶୁକ୍ର-ଆଶ୍ରମ   ଚଳିଲେ ବିଜୁଳି ସମ
ମିଳିଲେ ସ୍ୱର୍ଗଭୂବନ ଆନନ୍ଦ ମନେ,
ପହଞ୍ଚିଲେ ଦେବ ସଭାରେ,
ବନ୍ଦିଲେ ସଭିଙ୍କ ପାଦ ଆନନ୍ଦଭରେ ।।

ଘଟିଥିଲା ଯାହା ଯାହା   ଶୁକ୍ର ଆଶ୍ରମରେ ତାହା,
ଅବଗତ ଥିଲେ ମହା ପ୍ରତାପୀ ଦେବେ,
ଶୁଭ ସମ୍ବାଦେ ସକଳେ  ଭାସିଲେ ଆନନ୍ଦ ଜଳେ
ଭୂରି ଭୂରି ପ୍ରଶଂସିଲେ କଚକୁ ସର୍ବେ,
ବୃହସ୍ପତି ହୃଦ-ସିନ୍ଧୁରେ,
ଉଠିଲା ତରଙ୍ଗ କଚ ଚନ୍ଦ୍ରାତପରେ।।

ପୁତ୍ରକୁ ଦେଇ ଆଶିଷ   ବୋଲନ୍ତି ଅଙ୍ଗିରା ଶିଷ୍ୟ
ଖର୍ବ ହେବ ରକ୍ଷବଂଶ  ଗରବ ରଣେ ,
ତୁମ୍ଭର ମହିମା ପୁତ୍ର  ତ୍ରିଦିବରେ ହେବ ଖ୍ୟାତ
ରଖିଲ ମୋର ମହତ  ଦେବଙ୍କ ଗଣେ,
ଗୁରୁକୁଳ କରି ନିର୍ମାଣ,
ସଂଜୀବନୀ ମନ୍ତ୍ର ଶିକ୍ଷା ଦିଅ ନନ୍ଦନ।।

ଏଣେ ବସି ଆଶ୍ରମରେ   ଦେବଯାନୀ ବାଳା ଝୁରେ
କଚ ପ୍ରେମ ବିରହରେ ଲୋତକ ଝରେ,
ସହଜେ ତ ପ୍ରେମଶୀଳା  ପୁଣି ଉରଜର ଶିଳା-
ଦ୍ୱୟ ସଙ୍ଗେ ବିରହର ଶିଳା ପ୍ରହାରେ,
ବେଳୁ ବେଳ ବଢେ ଯାତନା,
ସୁକୁମାରୀ କୋମଳାଙ୍ଗୀ ହୃଦ ବେଦନା।।

ଅଶ୍ରୁଧାର ଯାଏ ଝରି   ପ୍ଳାବିତ ଉରଜ-ଗିରି
ସ୍ରୋତସ୍ୱିନୀ ହୋଇ ଝରି ଯାଏ ତଳକୁ,
ନାଭୀ ଉପତ୍ୟକା ଦେଇ  ସେ ତଟିନୀ ଯାଏ ବହି
ନୀବିବନ୍ଧ ହୋଇ ବନ୍ଧ ରୋକିଛି ତାକୁ,
ନହେଲେ ସତେ କି ହୁଅନ୍ତା !!,
ଶୁକ୍ର-ଆଶ୍ରମକୁ ଭସାଇ ତ ନିଅନ୍ତା।।

ଆଲୁଳାୟିତ କୁନ୍ତଳ   ସତେ କି ଘନ ମଣ୍ଡଳ,
ହୋଇଛନ୍ତି ଠୁଳ ବାଳା ମନ ଆକାଶେ,
ଥମ ଥମ ଦିଶେ ମୁହଁ   ହୃଦରେ ଉଠଇ କୋହ,
କାଳ ବଇଶାଖୀ ଅବା ମାଡି କି ଆସେ,
ଅଭିମାନେ ହୃଦ ଦମକେ,
ଘଡଘଡି ଅବା ଥରେ ଘନର ବୁକେ ।।

କରଜରେ କାଟେ ଗାର   ଭୂମିରେ ନୟନ ସ୍ଥିର,
ଅଶନ ବ୍ୟସନ ଛାର କେ’ବା ପଚାରେ !
ଦେବାର୍ଚ୍ଚନାକୁ ସୁମନ   ଚୟନରେ ନାହଁ ମନ,
ଶରାହତ ମରାଳୀକି ସୁପ୍ତ  ଭୂମିରେ,
ଏ ତ କାମ ବାଣର ଟାଣ,
ରାମବାଣଠାରୁ ତାହା ସହସ୍ର ଗୁଣ।।

ଦେଖି ତା ପ୍ରେମ ବାତୁଳୀ   ଶୁକ୍ରାଚାର୍ଯ୍ୟ ହେଲେ ଭାଳି
କେମନ୍ତେ ସତେ ଯିବ ଏ ଦୁର୍ଦ୍ଦିନ ଟଳି,
କନ୍ୟାକୁ ବସାଇ ପାଶେ   ମଧୁର ମୃଦୁ ସମ୍ଭାଷେ
ବୁଝାଇ କହିଲେ ପିତୃବାତ୍ସଲ୍ୟ ଢାଳି,
“ଅଳିଅଳି କଲ୍ୟାଣୀ ମମ,
କଚକୁ ତୁ ଭୁଲିଯାଅ ଦୁଃସ୍ୱପ୍ନ ସମ”।।

ବୃଷପର୍ବାଙ୍କ ନନ୍ଦିନୀ   ସୁଶୀଳା ମଧୁ ହାସିନୀ
ଶର୍ମିଷ୍ଠା ରାଜ ନନ୍ଦିନୀ ପାଇ ସନ୍ଦେଶ,
ବାଲ୍ୟସଖୀ ପାଶେ ଆସି  କ୍ରୀଡା କଉତୁକେ ରସି
ଫେରାଇଲେ ଦେବଯାନୀ ମୁଖରେ ହସ,
ବୋଳି ଦେଲା ପ୍ରାୟ ଚନ୍ଦନ,
ଦେବଯାନୀ ହୃଦତାପ ହେଲା ଖଣ୍ଡନ।।

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply