ଦେବଯାନୀ
ଅଷ୍ଟବିଂଶ କଳିକା
ରାଗ:–ଚୋଖି
———–
ବସନ ରଖି କୂଳରେ  ଶର୍ମିଷ୍ଠା ସଖୀ ମେଳରେ,
ଦେବଯାନୀ ସହିତରେ ସରସୀ ଜଳେ
ତେଜି ବ୍ରୀଡା କୁତୁହଳେ ଖେଳନ୍ତି ନିର୍ମଳ ଜଳେ
ନିର୍ଜନ ବନାନୀ କୋଳେ ଆନନ୍ଦଭୋଳେ,
ପୁଷ୍କରିଣୀ ନଳିନୀ ପୂର୍ଣ୍ଣ,
ବାଳାଙ୍କ ଉରଜ ଦିଶେ କଳିକା ସମ।।

ପଦ୍ମ କଳିକା ଲାଜରେ  ବୁଡିଲେ ଜଳମଧ୍ୟରେ
ଗରବେ ମଥା ଟେକିଲେ ଉରଜଶ୍ରେଣୀ,
ଭ୍ରମରେ ପଡି ଭ୍ରମରେ ବସିଲେ ତହିଁ ଉପରେ,
ଚୁମ୍ବନ୍ତି ବାଳୀଙ୍କ ମୁଖ ପଦ୍ମିନୀ ମଣି,
ଆହା କେଡେ ଭାଗ୍ୟ ଅର୍ଜିଲେ,
ମଧୁହାସିନୀଙ୍କ ମଧୁ ଅଳି ଚାଖିଲେ।।

ଏ ସମୟରେ ପବନ  ଦେଖି ଏମନ୍ତ ବିଧାନ,
କାମ ପଞ୍ଚଶରେ ହେଲେ ବିଦଗ୍ଧ ମନ,
ଚକ୍ଷୁ ନପାରିଲେ ଫେଇ  ଅଧିକ ଦର୍ଶନ ପାଇଁ
ଉଡାଇ ନେଲେ ଯୁବତୀଙ୍କର ବସନ,
ଇତସ୍ତତ କରି ମିଶାଇ,
ରଖିଲେ ଅନତି ଦୂରେ  ବସନ ନେଇ।।

ସ୍ନାନ ଶେଷରେ ବାଳାଏ  ଅଳସୀ ମରାଳୀ ପ୍ରାୟେ
ପହଞ୍ଚି ଖୋଜିଲେ  ନିଜ ବସନ ତହିଁ,
ଦେଖି ବସନ ଏକତ୍ର ଲାଜେ ଚାହିଁ ଇତସ୍ତତ
ଭାବିଲେ କେ ଦେଖୁଛିକି ଗୁପତେ ରହି,
ତରତରେ ଶର୍ମିଷ୍ଠା ବାଳୀ,
ଦେବଯାନୀର ବସନ ପିନ୍ଧେ ଛଇଳୀ।।

କିଛି ସମୟରେ ଫେରି  ଦେବଯାନୀ ସ୍ନାନସାରି
ଦେଖିଲେ ନିଜ ବସନ ଶର୍ମିଷ୍ଠା ଅଙ୍ଗେ,
କ୍ରୋଧେ ବାଳା ଗଲେ ଥରି ଅଦିନର ଝଡ ପରି
ରକ୍ତାଭ ମୁଖେ ସୁନ୍ଦରୀ ବୋଇଲେ ରାଗେ,
କି ସାହସ ! ଶର୍ମିଷ୍ଠା ତୋର,
ବାମନ ହୋଇ ଚନ୍ଦ୍ରକୁ ବଢାଉ କର।।

ତୁହି ରାକ୍ଷସ ନନ୍ଦିନୀ  ଅନାର୍ଯ୍ୟ ,ମାଂସ ଭକ୍ଷିଣୀ
ଅପବିତ୍ର କାୟା ତୋର ରକ୍ଷ ତରୁଣୀ,
ମୁହିଁ ଶୁକ୍ରାଚାର୍ଯ୍ୟ ବାଳା  ଆଚାରରେ ଶୁଚିଶୀଳା
ଜନ୍ମରେ କର୍ମରେ ବ୍ରାହ୍ମଣର ନନ୍ଦିନୀ,
ପିନ୍ଧିଲୁ ତୁ ମୋର ବସନ,
ମୁହିଁ  ଗୁରୁ ପୁତ୍ରୀ ମୋର ପିତା ମହାନ।।

ଅପମାନ ସଜନୀର   ଶୁଣି ରାଗେ ଥରହର
ହୋଇଲେ ରାଜନନ୍ଦିନୀ ସଖୀ ସମାଜ,
ବୋଇଲେ  ମଉନମୁହୀଁ  ହୃଦୟରେ ଅଛୁ ବହି,
କେତେ ଅସୂୟା ଲୋ ତୁହି ଜାଣିଲୁ ଆଜ,
କାହାକୁ ତୁ କହୁଛୁ କିସ,
ତୋର ପିତା ପରା ବୃଷପର୍ବାଙ୍କ ଦାସ।

ପୁଣି ବୋଇଲା ସଜନୀ “ଅହଂକାରୀ ଦେବଯାନୀ !
କହି ନିଜ ବଂଶ ଟେକ କରୁ ବଡାଇ,
ତୋର ଏ ପ୍ରକୃତି ହେଜି କଚ ଗଲା ତୋତେ ତେଜି
ବଡପଣ ତୋର ଆଜି ଦେବୁ ଛଡାଇ,”
ଏତେବୋଲି ଝିଙ୍କି କୁନ୍ତଳ,
ବୋଇଲା ନିର୍ଲଜ୍ଜୀ ଶୀଘ୍ର ଏ ସ୍ଥାନୁ ଚଳ।।

କ୍ଷତରେ ଲାଗିଲେ ଚୂନ   ଯାତନା ହୁଏ ଯେସନ
ହେଲା ଦେବଯାନୀ ମନ  ଶୁଣି ମରମ
ଝରେ ନେତ୍ରୁ ଅଶ୍ରୁଧାର  ବୋଇଲା “ରାକ୍ଷସୀ ତୋର
କଥାର ଦେବି ଉତ୍ତର  ଫେରି ଆଶ୍ରମ,
ଶର୍ମିଷ୍ଠାକୁ ଦାସୀ ରୂପରେ,
ଖଟାଇବି ଆଜୀବନ ମୋର ପୟରେ”।।

ଶୁଣିଣ ଶର୍ମିଷ୍ଠା ବାଳୀ    ମହାକ୍ରୋଧେ ଗଲେ ଜଳି,
କରିଣ ସଖୀଙ୍କୁ ମେଳି ବୋଇଲେ ଶୁଣ,
ଅଛି ଏଠି ଅନ୍ଧକୁପ ଦେବଯାନୀକୁ ନିକ୍ଷେପ
ବନଯନ୍ତୁ ମୁଖେ ତାର ଯାଉ ଜୀବନ,
ସହଚରୀ ଶୁଣି କୋପରେ
ପିଙ୍ଗିଲେ ଦେବଯାନୀକୁ ଅନ୍ଧ କୁପରେ।।

କ୍ରମଶଃ:—–

(କଲମର ନାମ ଅବିନାଶ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *