ସାଆନ୍ତେ ତୁମର

ସାଆନ୍ତେ ! ତୁମର ଚାକର ମୁଁ  ବୋଲି
କେତେ କହି ବୁଲୁଥିଲି,
ବଡ ଦାଣ୍ଡଟାରେ ନଚିହ୍ନୁଛ ମତେ
ଡିହମାରି ଦେଲ ଠେଲି,
ଆହେ ନୀଳାଚଳିଆ,
ତମ ପାଦତଳିଆ କୁଳିଆ ମୁଁ,ଆହେ ନୀଳାଚଳିଆ।

ଅଇଁଠା ଭାତରୁ ମୁଠେ ଦେଉଥିଲେ
ପାଦ ଚାଟି ପଡିଥିବି,
ଆନନ୍ଦ ବଜାର ଅଗଣା ତମର ,
ନିତିଦିନ ଓଳାଇବି,
ତମ ପହୁଡ ବେଳେ,
ବିଂଚୁଥିବି ଆଲଟ ଚାମରେ ହେ।

ବଜାର ସଉଦା କରି ଦେଉଥିବି
ସାଆନ୍ତାଣୀ ମନଲାଖି,
ବାସନ କୁସନ ମାଜି ଦେଉଥିବି
ପାଣି ଦେଉଥିବି ରଖି,
ତମ କରୁଣା ବାରି,
ପିଉଥିବି ମୁଁ  ଚାତକ ପରି ହେ।।

ଦାନା କନା ମୋର ଲୋଡାନାହିଁ,ଗଲା
ବେଳେ ତ ଫୁଙ୍ଗୁଳା ଯିବି,
ଭାବନା ଟିକିଏ ଦିଅ ହେ ସାଆନ୍ତେ
ନିର୍ମଳ ମନରେ ଥିବି,
ସମସ୍ତଙ୍କୁ ଆଦରି,
ହେବି ଏ ସଂସାର ଘାଟ ପାରି ହେ।।

ତମର ଚାକର ହେବାକୁ ସାଆନ୍ତେ
ଦେବତାଏଁ ହାଇଁପାଇଁ
ଧାଡି ଲମ୍ବିଲାଣି ସିଂହ ଦୁଆରରେ
ସେ ଅଳି କରିବା ପାଇଁ,
ଭାଗ୍ୟ ହେବ କି ମୋର!
ହେବି ସାଆନ୍ତଙ୍କର ଚାକର   !

(ଅବିନାଶ- —କଲମର ନାମ)

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *