Saturday, April 27, 2024
Satire

କ୍ରିକେଟାୟ ନମୋ ନମଃ

କ୍ରିକେଟାୟ ନମୋ ନମଃ
(ଲଘୁ ସଂଗୀତ)
—————-
‘କ୍ରିକେଟାୟ ନମୋ ନମଃ’ଗାଇ ଗାଇ, ବାଇ ବୀଣାଯନ୍ତ୍ର ଧ୍ୱନି,
ଗଣେଶଙ୍କ ପାଶେ ପହଞ୍ଚି ନାରଦ କହିଲେ ‘ହେ ଗୁଣମଣି ହେ
ଆହେ ବିଦ୍ୟା ସାଗର,
କିପାଁ ଏକା ବସିଛ ଏଠାର ହେ?

ସବୁ ଦେବାଦେବୀ ଇଁଲଣ୍ଡକୁ ଯାଇ ମ୍ୟାଚ୍ ଦେଖିବାରେ ବାଇ,
ବାକି ଥୋକେ ବସି ‘ବୋକା ବାକସ’କୁ ଉଣ୍ଡିଚନ୍ତି ଧ୍ୟାନ ଦେଇ ହେ
ତୁମ୍ଭର ଟିଭି କାହିଁ?
ଆମ୍ଭେ ଆସିଛୁ ଦେଖିବା ପାଇଁ ହେ।

କ୍ରିକେଟ ଦେବତା ‘କୋହଲି’ ପୂଜାରେ ସାରା ବିଶ୍ବ ମସଗୁଲ,
ତୁମ୍ଭେ ଏଠି ବସି ଢୁଳୋଉଚ ଖାଲି ଖାଇ ଲଡ୍ଡୁ ଗୋଲ ଗୋଲ ହେ
ଆହେ ଲମ୍ବ ଉଦର,
କ୍ରିକଟରେ କିପାଁ ତୁମ୍ଭ ବୈର ହେ?

ତୁମ୍ଭ ପିତା ଷଣ୍ଢ ବାହନରେ ଯାଇ, ବେକରେ ଗୁଡାଇ ସାପ,
ବାଘଛାଲ ପିନ୍ଧି ବାଉଣ୍ଡାରୀ ପାଶେ ପକାଇଛନ୍ତି ଶଅପ ହେ,
ଦୁଇ ଟିକେଟ କରି,
ସଙ୍ଗେ ଅଛନ୍ତି ମାତା ଗଉରୀ ହେ।

ଅର୍ଦ୍ଧନଗ୍ନ ନାରୀ ଇଁଲଣ୍ଡୀୟ ଗୋରୀ ବସିଛନ୍ତି ପାଶେ ଲାଗି,
ଧ୍ୟାନ ଭଗ୍ନହେବା ଡରେ ଭୋଳାନାଥ ଯାଆନ୍ତି ଦୂରେଇ ଭାଗି ହେ
ଟାଣନ୍ତି ତାଙ୍କ ହସ୍ତ,
‘ବସ ବସ’ ବୋଲି ଗୌରୀ ମାତ ହେ।

ତୁମ୍ଭେ ଏଠି କିପାଁ ଏକା ବସିଅଛ କ୍ରିକେଟେ କି ନାହିଁ ମନ?
ଶୁଣି ମୁନିବାଣୀ ଅଶ୍ରୁଳ ନେତ୍ରରେ ବୋଲନ୍ତି ଶିବନନ୍ଦନ ହେ,
ଆହେ କଳିହା ମୁନି,
‘ଶୁଣ କହୁଛି ଦୁଃଖ କାହାଣୀ ହେ।
———————0—————————-
ରୁଷି ଶୀରୋମଣି,ଶୁଣ ମୋ ଦୁଃଖ କାହାଣୀ ହେ,
ହଟହଟା କଲା ଯାହା ଏ କ୍ରିକେଟ ପୁଣି ହେ,
ରୁଷି ଶୀରୋମଣି।

ମୋର ପୂଜା ଦିବସରେ,ବ୍ୟାଟ୍ ଧରାଇ ହସ୍ତରେ,
ଉଇକେଟ ଆଗେ କରି ଅଣ୍ଟାଭଙ୍ଗା ଠାଣି ହେ,
କଲେ ହନ୍ତସନ୍ତ,ଅଣ୍ଟା ଧରିଦେଲା ବାତ ହେ।

ଡିଜେ ଅଶ୍ଲୀଳ ସଂଗୀତ,ଶୁଣି ପେଟୁ ଉଠେ ବାତ
ପଣାବୋଲି ପୂଜାକଲେ ସାମ୍ପେନର ମୂତ ହେ।
ପେଟୁ ଉଠେ ବାତ।

ଲଡ୍ଡୁ ବଦଳରେ ପିଲେ,କ୍ରିକେଟ ବଲ ପୂଜାକଲେ
ଧଳା ପ୍ୟାଡ୍ ମୋର ଦୁଇ ଗୋଡେ ବାନ୍ଧି ଦେଲେ ହେ
କଲବଲ କଲେ।

ଲଡୁ ଭାବି ମୂଷା ମୋର,ବଲରେ ଦାନ୍ତ ପ୍ରହାର
କରନ୍ତେ ଦୁଇଟି ଦାନ୍ତ ହେଲା ତାର ଚୂରହେ
ବାହନ ମୋହର,
ଅଛି ଡେଣ୍ଟିଷ୍ଟି ପାଶର ହେ।

ପାଠପାଇଁ କାଳେ କାଳେ,ପୂଜୁଥିଲେ ମୋତେ ବାଳେ,
ଏବେ କୋଅଚଙ୍କୁ ପୂଜି ମୋତେ ଭୁଲିଗଲେ ହେ,
ଲାଗେ ବଡ ଲାଜ
ବଡ ଦୁଃଖ ମୋର ଆଜ ହେ।

ପରୀକ୍ଷା ପୂର୍ବ ଦିନରେ ଖେଳ ଦେଖାରେ ମଜ୍ଜିଲେ
କପି ବିଡାବିଡା ଧରି ପରୀକ୍ଷାର ହଲେ ହେ
ନିଧୋକା ରାମ୍ପିଲେ।

ମୋର ଏଠି କିସ ଲୋଡା,ମୁଁ ତ କଣା ମାଟିଘଡା,
ଭାବୁଛି କାଲିଠାରୁ ମୁଁ  ହେବି ଦେଶ ଛଡାହେ,
ଯିବି ଆମେରିକା,
ନାହିଁ  (ତହିଁ)କ୍ରିକେଟର ଧୋକା ହେ।

ଗଣେଶ ବଚନ ଶୁଣି,କହୁଛନ୍ତି ମୁନିମଣି,
ଆମେରିକାରେ ଏ ରୋଗ ମାଡିତ ଗଲାଣି ହେ
ମୋର କଥା ମାନ
ଦିଅ କ୍ରିକେଟରେ ଧ୍ୟାନ  ହେ।

Click to rate this post!
[Total: 0 Average: 0]

Leave a Reply