ପଲ୍ଲୀ ଗୀତ (ଝଡି ପାଗ)
ପଲ୍ଲୀଗୀତ(4)
—————
ଝଡି ପାଗ
—————-
କାଲିଠୁଁ ନାଗିଚି ଝଡି ଲୋ ବଉଳ,କାଲିଠୁ ନାଗିଚି ଝଡି,
ଗଦେଇ ଗୁଡିଆ ମାଇପ ଭାଜିଚି ଉସୁମୁ ଉସୁମୁ ମୁଢି।
ଚଣା ଦି’ପୋସ ଦେଇଲୋ ବଉଳ ,ଚଣା ଦି’ପୋସ ଦେଇ,
ନଟ ବା’ କହିଲା “ବତୁରେଇ ଥା ପକଡି ଛାଣିବା ପାଇଁ।”
ଦଶଟଙ୍କା ନେଇ ଯା’ରେ ନଟିଆ,ସୋରିଷ ତେଲ ଆଣିବୁ,
ଆଇଲା ବେଳକୁ ସାବିବୋଉ ଘରୁ ପିଆଜଟେ ଆଣିଥବୁ।
ଝଡିପୋକ ଦେଖି ଭୁଆ ଡେଉଁଚି ଲୋ ଖପର ଖପର କରି,
ପାଚେରୀ ଉପରେ କେଙ୍କଟ ଦଉଡେ ଅଧାଗିଳା କଙ୍କି ଧରି।
ଦିହରେ ନାଗିଚି ପିନ୍ଧା ନୁଗା,ଘାସ ଉପାଡୁଥିଲି ବାଇରେ,
ସର ସର ତିନ୍ତି ଗଲା ମୋ ତେଲିଙ୍ଗୀ ଜୁଡା ଝଡି ବରଷାରେ।
ଫୁଙ୍ଗୁଳା ଦିହରେ ଟିପି ଟିପି ପାଣି,ନଟ ବା’ ହସୁଥେଲା,
ଚାଙ୍ଗୁଡିରେ ମୁଢି ପକଡି ଦେ’ଲୋ,ପାଗ ହେଇଚି କୋହଲା।