ପଲ୍ଲୀ ଗୀତ(ନାହାକ କହିଛି)

  1. ପଲ୍ଲୀଗୀତ  7
    ***********
    ନାହାକ କହିଚି ଚାରିଦିନ ପରେ
    ବା’ ଘର ଯୋଗ ଅଛି,
    ଘୋଡୀ ପରି ଖାଲି ଡେଉଁଚୁ କେତେ ଲୋ
    ନେତ ତୋ ଘୋଡା ଆଉଚି।

ଗୁଡ ଚା’ସାଙ୍ଗେ ଉଷୁମୁ ହୁଡୁମ୍ବ,
ଅଦା ଖଣ୍ଡେ ଦେ କାଟି,
ରତ ରତ ସଂଜ ଗଡିଯାଉଚି ଲୋ,
ଘରେ ବହୁତୁ ପାଇଟି।

ତଣ୍ଟି ଶୁଖିଯାଏ ଦଦା ଦଦା ବୋଲି,
ଦଦା ପଚାରିଲା ନେଇଁ,
ଫେଟା ଖଣ୍ଡେ ମୋ ଝୁଅକୁ ଦବାକୁ
ଅଣ୍ଟାରେ କଉଡି ନାହିଁ ।

ଡାହାଣିଆ ଖରା ଚାଳରେ ପଡିଚି,
ଚୁଲିରୁ ଉଠୁଚି ଧୂଆଁ,
ଅଳତା ସୁନ୍ଦୁର ନଗେଇଦିଅ ଲୋ
ଯିବ ମୋ ତୋଳା କନିଆଁ ।

ଚାଳରୁ ଝଡିଲା ଝିଟିପିଟି ମୋର
ନୁଗାପଟା ମାରା ହେଲା,
ପାଣି ଛିଞ୍ଚିଦେଇ ଶୁକୁଟା ଜେଜୀ ଲୋ
ତୁଳସୀ ପତର ଦେଲା।

ଖୁଁ ଖୁଁ ଖାସେ ଶୁକୁଟା, ବଇଚି
ଏଣ୍ଡି ଚାଦର ଘୋଡେଇ,
ଗଙ୍ଗା-ଯମୁନା ତା ନାକରୁ ବୋହୁଚି,
ଚାଟିଦିଏ ରହି ରହି।

ଜଗୁ ବଇଦର ଚଷମା ହଜିଚି
ଦୁଶୁନି ଭଲ ଆଖିକି,
ଉସୁମା ପେଇଁକି ଓଷଦ ଖାଇଲେ,
ନସମା ହବ ରାତିକି।

ସୋରିଷ ମାଲପା ପିଠିରେ ଘଅସେ
ଛାତିରେ ଦେ’ଲୋ ସେକ,
କୁକୁର ଚେକି ସେ ମାରି ଶୋଇଯିବ,
ଯେମିତି ତେଲୁଣି ପୋକ।

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *