ଅଭିମନ୍ୟୁ
……..୩……
ଉପପ୍ଲାବ୍ୟ ସମାଗମ
………………
ଉପପ୍ଲାବ୍ୟ ନାମେ ସୁରମ୍ୟ ନଗରୀ ମତ୍ସ୍ୟଦେଶେ ବିରାଜିତ,
ପହଞ୍ଚିଲେ ତହିଁ ପାଣ୍ଡବେ ଅଜ୍ଞାତ ବାସ ହୋଇବାରୁ ଅନ୍ତ।
ଡଙ୍କି, ଚଟୁ ଫିଙ୍ଗି ବାଉନ ଭାରର ଗଦା ତୋଳିଛନ୍ତି ଭୀମ,
ପ୍ରଚଣ୍ଡପାଣ୍ଡବ ଅର୍ଜୁନ କାନ୍ଧରେ ଗାଣ୍ଡିବ ସୁଶୋଭାବନ।
ରାଜ ପରିଚ୍ଛଦେ ଇନ୍ଦ୍ରସମ ଦିଶୁଛନ୍ତି ଧର୍ମ ଯୁଧିଷ୍ଠିର,
ସଦ୍ୟସ୍ନାତା ପଦ୍ମକଳି ସମ ଝଟକଇ ମୁଖ କୃଷ୍ଣାଙ୍କର।
ଅଶ୍ବିନୀ କୁମାର ଦେବପୁତ୍ର ସମ ଦିପ୍ତିମାନ ମାଦ୍ରୀସୁତେ,
ବିପୁଳ ଆନନ୍ଦେ ମଗ୍ନ ନଗ୍ରବାସୀ ଦେଖି ପାଞ୍ଚ ପଣ୍ଡୁ ପୁତ୍ରେ।

ସଜ୍ଜିତ ସ୍ୟନ୍ଦନେ,ମହାହୃଷ୍ଟମନେ ବସିଛନ୍ତି ଯାଜ୍ଞସେନୀ,
ସୁମଧୁର ଆଳାପରେ ମଜ୍ଜିଛନ୍ତି,ସହିତେ ସୁଦେଷ୍ଣା ରାଣୀ।
ଯୁଧିଷ୍ଠିଙ୍କସହ ବିରାଟ ରାଜନ ବସିଛନ୍ତି ରଥୋପରେ,
ଦିଶୁଛନ୍ତି ଯଥା ବ୍ରହ୍ମା ବସିଛନ୍ତି ବିଷ୍ଣୁସଙ୍ଗେ ତ୍ରିଦିବରେ।
ପର୍ବତ ସମାନ ଭୀମ କଳେବର ଦେଖି ନଗ୍ରବାସୀ ଗଣ,
ଅବିଶ୍ବାସେ ଚାହୁଁଛନ୍ତି ବିସ୍ଫାରିତ କରି ମୁଖ,ନେତ୍ର,କର୍ଣ୍ଣ।
ଉପପ୍ଲାବ୍ୟ ନଗ୍ରେ ପଣ୍ଡୁପୁତ୍ର ଆଗମନେ କି ଉତ୍ସବ ସତେ!
ଗୃହଶୂନ୍ୟକରି ଆବାଳ ବନୀତା ବୁଲୁଛନ୍ତି ରାଜପଥେ।
ନଗର ମଧ୍ୟରେ ତୋରଣ ସଜ୍ଜିତ,ପୂର୍ଣ୍ଣକୁମ୍ଭ ପ୍ରତିଦ୍ବାରେ,
କମ୍ପିଉଠେ ରାଜମାର୍ଗ ହୁଳହୁଳି ହରିବୋଲ ଶବଦରେ।
ପୁଷ୍ପବୃଷ୍ଟି ହେଉଥାଏ ଯେଉଁପଥେ ଯାଆନ୍ତି ଅତିଥିଗଣ,
ଦେଖିବାକୁ ପଣ୍ଡୁପୁତ୍ରେ ବେଳୁବେଳ ବଢେ ଜନ ସମାଗମ।

ଦେଖିବାକୁ ରାଣୀ ସୁଦେଷ୍ଣା ସହିତେ କୃଷ୍ଣା ଅନିନ୍ଦ୍ୟ ସୁନ୍ଦରୀ,
ରନ୍ଧାବଢା ଛାଡି ଧାଇଁ ଆସିଛନ୍ତି ଉପପ୍ଲାବ୍ୟ ପୁରନାରୀ।
କେଉଁ ନାରୀର ତ,କେଶ ମୁକୁଳିତ ବାନ୍ଧିବାକୁ ନାହିଁ ତର,
ଆନ କେ ଧାଇଁଛି ,କାନ୍ଦିବା ଶିଶୁକୁ ବକ୍ଷରୁ ଖୁଆଉଁ କ୍ଷୀର।
ବିପଣୀକୁ ଛାଡି,ଆସନ୍ତି ଦଉଡି ବଣିକ ବେପାରୀ ଜନେ,
ଖୋଲା ବିପଣୀକୁ ନାହିଁ ଚୋରଭୟ ବିରାଟ ରାଜ୍ୟରେ ଦିନେ।
ନଗର ପ୍ରାନ୍ତରେ ବିଶାଳ ପ୍ରାସାଦ ହୋଇଥିଲା ସୁସଜ୍ଜିତ,
ଯାଜ୍ଞସେନୀ,ଚାରିଭାଇ ସଙ୍ଗେ ତହିଁ ବିରାଜିଲେ ଧର୍ମସୁତ।

ଦ୍ବାରକା ନଗ୍ରରୁ ଏ ସମୟେ ଆସି ଦୂତ ପ୍ରକାଶିଲା ବାଣୀ,
ଅଭିମନ୍ୟୁ ସଙ୍ଗେ ସୁଭଦ୍ରାକୁ ଘେନି ଆସୁଛନ୍ତି ଚକ୍ରପାଣି।
ସାତ୍ୟକି ସହିତେ ଭ୍ରାତା ବଳରାମ,ଅନେକ ଯାଦବ ବୀର,
ପୁରନାରୀ ସଙ୍ଗେ ଆସୁଛନ୍ତି,ହେବ ଅଭିମନ୍ୟୁ ବିଭାଘର।
କାଶୀରାଜ,ଶୈବ ନରେଶ ସହିତ ଅନେକ ରାଜେନ୍ଦ୍ରଗଣ,
ଦ୍ରୁପଦ ସହିତେ ଧୃଷ୍ଟଦ୍ୟୁମ୍ନ ଆସିଛନ୍ତି ପାଇ ନିମନ୍ତ୍ରଣ।
ନିମନ୍ତ୍ରିତ ହୋଇଛନ୍ତି ,ପିତାମହ ସଙ୍ଗେ କୁରୁ ନରପତି,
ଯେତେ ସମର୍ଥକ,ସଖା ଓ ସୋଦର ନିମନ୍ତ୍ରଣ ପାଇଛନ୍ତି।
ବାସନ୍ତିର ନବ ପଲ୍ଲବିତ ପତ୍ର ସମ ମନ ଉତ୍ତରାର,
ପୁଲକିତ ହୁଏ ସ୍ବପନ ସମୀରେ ହେବବୋଲି ବାହାଘର।
ମହା ସମରୋହେ ବିବାହ ଉତ୍ସବ ହୋଇଗଲା ସମାପନ,
କନ୍ୟାଦାନ କଲେ ବିରାଟ ନରେଶ ,ଦେଇ ଅକଳନ ଧନ।
ସମୟ ଲେଖିଲା ନୂତନ ଅଧ୍ୟାୟ ମହାଭାରତ ପୃଷ୍ଟାରେ,
ମିଳିଲା ବିରାଟ ସେନା ସମର୍ଥନ ପାଣ୍ଡବେ ଧର୍ମଯୁଦ୍ଧରେ।
କ୍ରମଶଃ…………….

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *