ସ୍ବୟମ୍ବର
……୩…..
ଦ୍ରୋଣ-ଦ୍ରୁପଦ କଳହ
……………………….
ବସିଛନ୍ତି ରାଜ ସଭାରେ ଦ୍ରୁପଦ ନରମଣି,
ମଥାରେ ସୁବର୍ଣ୍ଣ ମୁକୁଟ,ଖଚିତ ନାନା ମଣି।
ଗହ ଗହ ସଭା କମ୍ପୁଛି,ସେନାପତି,ଅମାତ୍ୟ-
ପାରିସଦ ସଙ୍ଗେ ମନ୍ତ୍ରଣା ରତ ପାଞ୍ଚାଳ ନାଥ।
ପଡୁଛି ଆଲଟ ଚାମର,ଭାଟେ ରଟନ୍ତି ସ୍ତବ,
ରାଜର୍ଷି ସମାନ ଦିଶନ୍ତି ଦୀପ୍ତ ପାଞ୍ଚାଳ ଧବ।

ଦାରିଦ୍ର୍ୟ କଷାଘାତେ ଜର୍ଜରିତ ଦ୍ରୋଣ ବ୍ରାହ୍ମଣ,
ମୁଖେ ଶ୍ମଶ୍ରୁ,ଶୀର୍ଣ୍ଣ ଶରୀର ,ଅଙ୍ଗ ବସ୍ତ୍ର ମଳିନ।
ଦୂରୁ ଦେଖି ବାଲ୍ୟ ସଖାଙ୍କୁ ନଚିହ୍ନିଲେ ଦ୍ରୁପଦ,
ଗୁରୁକୁଳ କଥା କହନ୍ତେ ଶୁଣାଇଲେ ଦି ପଦ।
“ହେ ଲୋଭୀ ବ୍ରାହ୍ମଣ କେଉଁ ସାହସେ ଆସିଛ ଧାଇଁ?
ଆମ୍ଭେ ରାଜା ତୁମ୍ଭେ ଦରିଦ୍ର ପ୍ରଜା,ହେଜ କି ନାହିଁ?”
ପାଇ ଅପମାନ ଭାରଦ୍ବାଜ ଯେ କହିଲେ ଗର୍ଜି,
“କ୍ଷମତାରେ ଅନ୍ଧ ହୋଇଛ ତୁମ୍ଭେ ଦ୍ରୁପଦ ଆଜି।
ସ୍ମୃତି ବିଭ୍ରମ କି ହୋଇଲା,ସତ୍ୟ ଭୁଲି କି ଗଲ,
ରାଜ୍ୟରୁ ଅର୍ଦ୍ଧେକ ଦେବାକୁ କହିଥିଲ ପାଞ୍ଚାଳ।
ଭୀକ୍ଷାସୀ ବ୍ରାହ୍ମଣ ନୁହେଁ ମୁଁ ତଣ୍ଡୁଳ ଲୋଡାନାହିଁ।
କଥାରଖି ଦିଅ ଅର୍ଦ୍ଧେକ ରାଜ୍ୟ,ଯିବି ପଳାଇ।”

ଦ୍ରୁପଦ ବୋଇଲେ”ବ୍ରାହ୍ମଣ ହୋଇ ନୃପତି ଆଶା !
ନିଜ ବାହୁବଳେ ପୂରଣ କର ସେହି ଦୁଃରାଶା।
ପାଞ୍ଚାଳ ମୋ ନୁହେ ତଣ୍ଡୁଳ ,ଦେବି ଭିକ୍ଷାସୀ ଥାଳେ,
ସ୍ଥାପନା କରିଛି ଏ ରାଜ୍ୟ,ମୁଁ ମୋର ବାହୁବଳେ।
ଅଛି ଯେବେ ଶକ୍ତି ପାଞ୍ଚାଳ ଜୟକର ବ୍ରାହ୍ମଣ,
ବୀରଭୋଗ୍ୟା ଏହି ଧରିତ୍ରୀ,ତାହା ଭଲେ ତ ଜାଣ।”

ରକ୍ତାଭ ନୟନ ବ୍ରାହ୍ମଣ,କମ୍ପିତ କଳେବର
ବୋଇଲେ “ଦୁର୍ଭାଗ୍ୟ କିପାଇଁ ଡାକ ହେ ନରବର?
ପ୍ରତିଜ୍ଞା ନକଲେ ପାଳନ ,ପରିଣାମ ଭୋଗିବ,
ମୋର କ୍ରୋଧାନଳେ ପାଞ୍ଚାଳ ଭସ୍ମିଭୁତ ହୋଇବ।”
ପାଲଟା ବାକ୍ୟରେ ଦ୍ରୁପଦ ବୋଇଲେ “ହେ ବ୍ରାହ୍ମଣ,
ବାଚାଳ ସମ ବାକ୍ୟାଳାପେ,ଅଛି କି ପ୍ରୟୋଜନ?
ପ୍ରାଣେ ଆଶା ଥିଲେ ଏସ୍ଥାନ ଛାଡି ଯାଅ ପଳାଇ,
ବ୍ରହ୍ମହତ୍ୟା ଦୋଷ ଲାଗିବ,ହତ୍ୟା କରିବି ନାହିଁ।
ଥିଲ ଦିନେ ମିତ୍ର, ସେପାଇଁ ମନରେ ଦୟାଧରି,
ମୁଣ୍ଡ ରକ୍ଷାକଲି ,ପଳାଅ ପାଞ୍ଚାଳ ତ୍ୟାଗକରି।”

ରାଗେ କମ୍ପମାନ ଶରୀର ଭରଦ୍ବାଜ ନନ୍ଦନ,
ପାଞ୍ଚାଳ ଛାଡିଲେ ଶାର୍ଦ୍ଦୁଳ ସମ କରି ଗର୍ଜ୍ଜନ।
ଉର୍ଦ୍ଧେ ବାହୁ ତୋଳି ପଥରେ କରୁଥାନ୍ତି ପ୍ରତିଜ୍ଞା,
“ପ୍ରତିଫଳ ଦେବି ଦ୍ରୁପଦ,କଲୁ ଯେଉଁ ଅବଜ୍ଞା।
ବାହୁବଳେ ଅର୍ଦ୍ଧେ ରାଜ୍ୟ ତୋ ଦିନେ ନେବି ଛଡାଇ,
ପାଦେ ପଡି ଭିକ୍ଷା ମାଗିବୁ ପ୍ରାଣ ପାଞ୍ଚାଳ ସାଇଁ।”
ଏତେ ବୋଲି ଦ୍ରୋଣ ନଫେରି ନିଜ ଆଶ୍ରମ ପଥେ,
ମହେନ୍ଦ୍ର ଗିରିରେ ମିଳିଲେ ପର୍ଶୁରାମ ଅଗ୍ରତେ।

କ୍ରମଶଃ……..

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *