ସ୍ବୟମ୍ବର
……୧୩…..
ଦ୍ବାରକାରେ ଆର୍ଯ୍ୟାବର୍ତ୍ତ ଚିନ୍ତା
********************
ରାଜ ଦରବାରେ ସିଂହାସନେ ବସିଛନ୍ତି ରାଜା ଉଗ୍ରସେନ,
ବାମପାଶେ ଗୁରୁ ଗର୍ଗାଚାର୍ଯ୍ୟ,ଆର୍ଯ୍ୟ ଅକୃର ଛନ୍ତି ଆସୀନ।
ଦକ୍ଷିଣ ପାର୍ଶ୍ବରେ ବସିଛନ୍ତି ଶୂର ବସୁଦେବ ଧୀରମଣି,
ତାଙ୍କସଙ୍ଗେ ଛନ୍ତି ଆସୀନ ଉଦ୍ଧବ,କୃଷ୍ଣ,ବଳରାମ ପୁଣି।
ଯୁଯୁଧାନ,କୃତବର୍ମା,ଶକ୍ରାଜିତ,ବୃହଦ୍ବଳ ଆଦି ମିଶି,
ଯଦୁବଂଶ ମହାରଥି ନିଜ,ନିଜ ଆସନେ ଅଛନ୍ତି ବସି।
ସଭାମଧ୍ୟେ ଚାଲିଅଛି ରାଜନୀତି,କୂଟନୀତି ଆଲୋଚନା,
କୃଷ୍ଣଙ୍କ ନେତୃତ୍ବେ କିପରି ବଢୁଛି ଯାଦବ ବଂଶ ଗରିମା।

ମହାବଳୀ ହଳୀ ଉଠି ବାହୁତୋଳି କହିଲେ “ହେ ନରବର,
ଆର୍ଯ୍ୟାବର୍ତ୍ତେ ଆଜି ଯଦୁବଂଶ ଧ୍ବଜା ଉଡାଇଛି ଭାଇ ମୋର।
ଏହି ମୋ ଅନୁଜ ବାସୁଦେବ ପାଇଁ ଯଦୁବଂଶ ପୂର୍ଣ୍ଣ ଇନ୍ଦୁ,
ଜମ୍ବୁଦ୍ବୀପ ନଭେ ଉଜ୍ଜ୍ବଳେ ଝଲସେ,ବିଚ୍ଛୁରିତ ଜ୍ୟୋସ୍ନା ବିନ୍ଦୁ।
ସାଗର ପଥରେ ଦ୍ବାରକାର ପୋତ ବଡ ନାମ ଅର୍ଜିଛନ୍ତି ,
ଦେଶ ଦେଶାନ୍ତରୁ ଯାଦବ ବଣିକେ ସୁବର୍ଣ୍ଣ ବୋହି ଆଣନ୍ତି।
ଧର୍ମ ସଂସ୍ଥାପନା ପଥେ ଜରାସନ୍ଧ ହୋଇବାରୁ ଅନ୍ତରାୟ ,
କୂଟନୀତି ବଳେ ଯାଦବେ ତାହାକୁ କରି ପାରିଛନ୍ତି ଜୟ।
ବିବାହ ବନ୍ଧନେ ବାନ୍ଧି ହେବାପରେ କୃଷ୍ଣ ରୃକ୍ମିଣୀ ସହିତ,
ଜରାସନ୍ଧ ମିତ୍ର ଭୀଷ୍ମକ ଆମ୍ଭର ହୋଇଛନ୍ତି ଅନୁଗତ।
ଜରାସନ୍ଧ ଦର୍ପ ହ୍ରାସହେବା ଦେଖି ଚେଦି ରାଜ ଦମଘୋଷ,
ଯାଦବଙ୍କ ପ୍ରତି ଗୁପ୍ତ ଆନୁଗତ୍ୟ ବଢାଇଲେଣି ଅବଶ୍ୟ।
ଧର୍ମ ସଂସ୍ଥାପନା ପାଇଁ କୁରୁଶ୍ରେଷ୍ଠ ଗଙ୍ଗାସୁତ ସହିତରେ,
କରିଅଛୁ ଆମ୍ଭେ ମିତ୍ରତା ସ୍ଥାପନ କେଶବ ସହାୟତାରେ।

ସାରା ଆର୍ଯ୍ୟବର୍ତ୍ତେ ଯଦୁବଂଶୀଙ୍କର ଉଡୁଛି କୀର୍ତ୍ତି ପତାକା,
କେବଳ କୌରବ ରାଜ ଦରବାରେ ରହିଅଛି କିଛି ଶଙ୍କା।
ସେଠାରେ ଶକୁନି ମାମୁଁସଙ୍ଗେ ମିଶି ଯୁବରାଜ ଦୁର୍ଯ୍ୟୋଧନ,
ବାରୁଣାବନ୍ତରେ ଲାକ୍ଷାଗୃହେ ପାଣ୍ଡବଙ୍କୁ କରିଛି ଦହନ।
ଯେପରି ସନ୍ଦେଶ ଦେଇଛନ୍ତି ଆସି ଯଦୁବଂଶ ଗୁପ୍ତଚରେ,
ପାଣ୍ଡବଙ୍କ ମୃତ୍ୟୁ ସେଠାରେ ରହିଛି ସନ୍ଦେହର ବଳୟରେ।
ପାଣ୍ଡବେ ଆମ୍ଭର ଅତି ପ୍ରିୟ,ଯେଣୁ କୁନ୍ତୀ ପିଉସୀଙ୍ଗ ପୁତ୍ର,
କୌରବଙ୍କ ପ୍ରତି ଯଦୁବଂଶ ନୀତି ହେବ ତେଣୁ ପ୍ରଭାବିତ।
ଏଣେ ଗୁରୁ ଦ୍ରୋଣ ପାଞ୍ଚାଳ ନରେଶ ସଙ୍ଗେ ରଖି ତିକ୍ତଭାବ,
ହସ୍ତିନା,ପାଞ୍ଚାଳ ରାଜ୍ୟମଧ୍ୟେ ସୃଜିଛନ୍ତି ଅଯଥା ଆହବ।
ଶୁଣିଅଛୁ ଆମ୍ଭେ ନିଜ ଦୁରାକାଂକ୍ଷା କରିବାପାଇଁ ପୂରଣ,
କୁରୁ-ପାଣ୍ଡୁ ରାଜନୀତିରେ କୌରବ ପକ୍ଷ ନେଇଛନ୍ତି ଦ୍ରୋଣ।

ହସ୍ତିନାର ରାଜ ଦରବାରେ ସଦା ଗୁରୁ ଦ୍ରୋଣ ରହିଥାନ୍ତି,
ପରିବାର ରାଜନୀତିରେ ବ୍ରାହ୍ମଣ କୌରବ ପକ୍ଷ ନିଅନ୍ତି।
ନିଜ ରାଜ୍ୟ ଅହିଛତ୍ରେ କେବେ ପାଦ ରଖିନାହାନ୍ତି ସେ ଥରେ,
ତଥାପି ଚାହାନ୍ତି ସାରା ପାଞ୍ଚାଳକୁ ନେବେ ନିଜ ଅଧିକାରେ।
ଘୃଣାଭାବ ପୋଷି ମନରେ ଦ୍ରୁପଦ ଶପଥ ଯେ ନେଇଛନ୍ତି,
ପ୍ରତିଶୋଧ ନେବେ,ଯେଉଁଅପମାନ ଦ୍ରୋଣ ତାଙ୍କୁ ଦେଇଛନ୍ତି।
ଆର୍ଯ୍ୟାବର୍ତ୍ତପାଇଁ ନୁହେଁ ଶୁଭଙ୍କରୀ ସମ୍ବାଦ କଦାପି ଏହି,
ଧର୍ମ ସଂସ୍ଥାପନା ପଥେ ଅନ୍ତରାୟ ଅଟେ ହେ ଯାଦବ ସାଇଁ।
ଧର୍ମ ରକ୍ଷାକାରୀ ହସ୍ତିନା,ପାଞ୍ଚାଳ ଅଟନ୍ତି ଦୁଇ ଶକତି,
ସେ ଯେବେ ଲଢିବେ କ୍ଷୁର୍ଣ୍ଣହେବ ସିନା ଆର୍ଯ୍ୟାବର୍ତ୍ତ ଧର୍ମନୀତି।
ଏଥିପାଇଁ କିଛି ପ୍ରତିକାର କରିବାକୁ ହେବ ନରବର,”
କହି ଏ ବଚନ ନିଜ ଆସନରେ ବସିଗଲେ ହଳଧର।

ନିଜ ଆସନରୁ ଉଠି ଶକ୍ରାଜିତ ବୋଇଲେ “ହେ ଯଦୁବୀରେ,
ଅଯଥା କାହିଁକି ଖେଳାଇବା ମଥା ଆମ୍ଭେ ସେ ରାଜନୀତିରେ?
ଲଢିଲେ ଲଢନ୍ତୁ ପାଞ୍ଚାଳ,ହସ୍ତିନା ଆମ୍ଭର ତହିଁ କି କାର୍ଯ୍ୟ,
ଯାଦବେ କାହିଁକି ଅଯଥା ତହିଁରେ ଲିପ୍ତ ହୋଇବେ ହେ ଆର୍ଯ୍ୟ?
ଜରାସନ୍ଧ ସହ କଳହରେ ମାତି ବହୁ କିଛି ଭୋଗିଲେଣି,
ଧନ ହାନୀ,ପ୍ରାଣ ପୀଡା ଯଦୁବଂଶ ଅନେକ ସହ୍ୟ କଲାଣି।
ଆର୍ଯ୍ୟାବର୍ତ୍ତେ ଧର୍ମ ସ୍ଥାପିତ ହେଉ ବା ହେଉ ତାର ଅବକ୍ଷୟ,
ସେଥିପାଇଁ କିପାଁ ଯାଦବଙ୍କ ହେବ ଧନ,ଜନ,ମାନ କ୍ଷୟ?”

“ସାଧୁ ଶକ୍ରାଜିତ ସାଧୁ”ବୋଲି ଥୋକେ ସଭାରେ କରିଲେ ରୋଳ
ଧରଣୀରେ ଗଦା କଚାଡି କ୍ରୋଧରେ ଉଭାହେଲେ କାମପାଳ।
ବୋଲେ ବଳରାମ”ବୁଦ୍ଧି କି ବିଭ୍ରମ ହେଲାଣି ହେ ଶକ୍ରାଜିତ,
ଧର୍ମ ସଂସ୍ଥାପନା ପାଇଁ ଯଦୁବଂଶେ ଆମ୍ଭେ ଦୁଇଭାଇ ଜାତ।
କଂସକୁ ନିଧନ କରି ମଥୁରାକୁ କରିଅଛୁ ଆମ୍ଭେ ତ୍ରାଣ,
ସେହିପରି ଆର୍ଯ୍ୟାବର୍ତ୍ତେ ଧର୍ମଅର୍ଥେ ବିସର୍ଜି ପାରିବୁ ପ୍ରାଣ।
ନିଜ ସ୍ବାର୍ଥନେଇ ଦ୍ବାରକାରେ ଶୋଇ ରହିବ ହେ କେତେଦିନ?
ଅଧର୍ମ ଉତ୍ପାତେ ଦ୍ବାରକା ବି ଦିନେ ସିନ୍ଧୁରେ ହୋଇବ ଲୀନ।”

 କ୍ରମଶଃ

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *