Friday, April 26, 2024
Uncategorized

ସ୍ବୟମ୍ବର
…..୧୪….
କୃଷ୍ଣ,ସାତ୍ୟକି ଓ ଉଦ୍ଧବଙ୍କର ଆର୍ଯ୍ୟାବର୍ତ୍ତ ଯାତ୍ରା
*********************************
ଧର୍ମ ସଂସ୍ଥାପନା ପ୍ରସଙ୍ଗରେ ଶକ୍ରାଜିତ ସଙ୍ଗେ ବଳରାମ,
ମୁହାଁ ମୁହିଁ ହେବା ଦେଖି ବାସୁଦେବ ଉଠିଲେ ତେଜି ଆସନ।
ସୁମଧୁର ବାଣୀ କହି ଦୈବକେୟ ଦୁହିଁଙ୍କୁ କରିଲେ ଶାନ୍ତ,
ବୋଇଲେ “ଅଗ୍ରଜ ବଚନ ହେ ଆର୍ଯ୍ୟ ଲାଗଇ ମୋତେ ଉଚିତା
ଧର୍ମ ସଂସ୍ଥାପନା ସଙ୍ଗେ ସଙ୍ଗେ ଯଦୁବଂଶର ଗୌରବ ପାଇଁ,
ଆର୍ଯ୍ୟାବର୍ତ୍ତ ରାଜନୀତିରୁ ଦ୍ବାରକା ନପାରିବ ଦୂରେ ରହି।
ଗୁରୁ ସନ୍ଦିପନୀ ପାଞ୍ଚାଳରୁ କାଲି କରିଛନ୍ତି ଆଗମନ,
ପାଞ୍ଚାଳ ନରେଶ ପଠାଇ ସନ୍ଦେଶ କରିଛନ୍ତି ନିମନ୍ତ୍ରଣ।
ତାଙ୍କ ସଙ୍ଗେ ଜମ୍ବୁଦ୍ବୀପ ରାଜନୀତି ବିଚାର କରିବା ପାଇଁ,
ରାଜ ପରିଷଦ ଆଜ୍ଞାଦେଲେ, କାଲି ପ୍ରଭାତରୁ ଯିବି ମୁହିଁ।”

ରାଜପରିଷଦେ ବିଚାର କରିଲେ ଉଗ୍ରସେନ ମହାରାଜେ,
ଅନୁମତି ଦେଲେ କୃଷ୍ଣ ବାସୁଦେବ ଯିବେ ପାଞ୍ଚାଳ ରାଇଜେ।
ସଙ୍ଗେ ତାଙ୍କ ଯିବେ ସାତ୍ୟକି,ଉଦ୍ଧବ ଆଉ କିଛି ଯଦୁସେନା,
ଆର୍ଯ୍ୟାବର୍ତ୍ତେ କୃଷ୍ଣ ଉଡାଇ ଫେରିବେ,ଯାଦବ ଗୌରବ ବାନାା

ନେଇ ଅନୁମତି ପିତା,ପିତାମହ ଠାରୁ ଦେବକୀ ନନ୍ଦନ,
ଆର୍ଯ୍ୟାବର୍ତ୍ତ ଅଭିମୁଖେ ଯିବାପାଇଁ ସାଜିଲେ ନିଜ ସ୍ୟନ୍ଦନ।
ସାତ୍ୟକି,ଉଦ୍ଧବ ସଙ୍ଗେ ଯଦୁବଂଶ ମହାରଥୀ କିଛି ନେଇ,
ଗୁରୁ ଗର୍ଗଙ୍କର ଆଶୀର୍ବାଦ ଅନ୍ତେ ଚଳିଲେ ଦ୍ବାରକା ସାଇଁ।
ଉଦୟ ଭାସ୍କର କର ସ୍ପର୍ଶକଲା ଯେବେ ନନ୍ଦିଘୋଷ ଚୂଡା,
ଦ୍ବାରକା ଛାଡିଲେ କୃଷ୍ଣ; ବାଗଭିଡି ସାରଥି ଚାଳିଲା ଘୋଡା।

ପଥରେ ଦେବକୀ ନନ୍ଦନ,ହସ୍ତିନା ରାଜ ଦରବାରେ ଯାଇ,
ରାଜ ପରିବାରେ କ୍ଷୋଭ ପ୍ରକାଶିଲେ ପାଣ୍ଡବ ନିଧନ ପାଇଁ।
ପଚାରିଲେ କୃଷ୍ଣ,”ଗଙ୍ଗାସୁତ ଥାଉଁ,ଯୁଧିଷ୍ଠିରଙ୍କୁ କେମନ୍ତେ,
ଯୁବରାଜ ପଦୁ ରୀକ୍ତକରି ପଠିଆଇଲେ ବାରୁଣାବନ୍ତେ?
କାହା ଆଦେଶରେ ଜତୁଗୃହେ ପଣ୍ଡୁପୁତ୍ରେ କଲେ ଅବସ୍ଥାନ,
କିଏ ଗଢିଥିଲା ଲାକ୍ଷାଗୃହ,କିଏ କଲା ଅଗ୍ନି ସଂଯୋଜନ?”

ବାସୁଦେବ ବାଣୀ ଶୁଣି ଗୁପତରେ ବୋଇଲେ ଗଙ୍ଗା ନନ୍ଦନ,
“ହସ୍ତିନାର ରାଜନୀତି କଥା ତୁମ୍ଭେ ଜନାର୍ଦ୍ଦନ କି ନଜାଣ?
ଗୋଟିଏ କୋଷରେ ଦୁଇଟି ଖଡଗ ରହିପାରିବ କି ହରି?
ଯୁଧିଷ୍ଠିର,ଦୁର୍ଯ୍ୟୋଧନ ହସ୍ତିନାରେ ରହିଥିଲେ ସେହିପରି।
କର୍ଣ୍ଣ,ଶକୁନୀଙ୍କ ବଳେ ବଳୀୟାନ ହୋଇ ଗାନ୍ଧାରୀ ନନ୍ଦନ,
ଷଡଯନ୍ତ୍ର କରି ପାଣ୍ଡବଙ୍କୁ ମାରିବାକୁ କରିଥିଲା ପଣ।
ଦୁଃଶାସନ,ଅଶ୍ବତ୍ଥାମା ଅନୁକ୍ଷଣେ ଦୁର୍ଯ୍ୟୋଧନ ପାଶେ ରହି,
ଯତ୍ନ କରୁଥିଲେ ପାଣ୍ଡବ ବିନାଶ ଅଗ୍ନିରେ ଆହୂତି ଦେଇ।
ପୁତ୍ରମୋହେ ଘାରି,ହୋଇ ଦ୍ରୋଣାଚାରୀ ନେଇଛନ୍ତି କୁରୁପକ୍ଷ,
ରାଜ ସିଂହାସନେ ବନ୍ଧା ମୋ ଜୀବନ,ବିବଶତା ମୋର ଦେଖ।

ବିଷଲଡୁ ଦେଇ ଭୀମକୁ ମାରିବା ଷଡଯନ୍ତ୍ର କୁନ୍ତୀ ଦେଖି,
ପୁତ୍ରଙ୍କ ଜୀବନ ରକ୍ଷା ଚିନ୍ତା ନେଇ ,ଥିଲେ ମନେ ମହା ଦୁଃଖୀ।
କୌରବ,ପାଣ୍ଡବ ମଧ୍ୟରେ ସଂଘର୍ଷ ଏଡାଇବାକୁ ତକ୍ଷଣ,
ବାରୁଣାବନ୍ତକୁ,ପଞ୍ଚ ପାଣ୍ଡବଙ୍କୁ ଧୃତରାଷ୍ଟ୍ର କଲେ ଦାନ।
ଯେଉଁ ଅଘଟଣ ଘଟିଲା ସେଠାରେ କାରଣ ତାର ଅସ୍ପଷ୍ଟ,
ଶୋକେ ମଗ୍ନ କୁରୁ ପରିବାର ସହ,ମହାରାଜା ଧୃତରାଷ୍ଟ୍ର।”
ସନ୍ତୋଷ ଜନକ ଉତ୍ତର ନପାଇ କୃଷ୍ଣ ବୋଇଲେ “ହେ ବୀର,
ଏତ ଅଗ୍ରଭାଗ ମାତ୍ର, ଜଳଧିରେ ମଗ୍ନ ଅଧର୍ମ ମେରୁର।
ଷଡଯନ୍ତ୍ରର ଯେ ଆଭାଷ ମିଳୁଛି କୁରୁ ରାଜ ପରିବାରେ,
ଆର୍ଯ୍ୟାବର୍ତ୍ତେ ଧର୍ମ ସଂସ୍ଥାପନାରେ ତା ପରିପନ୍ଥି ହୋଇପାରେ।
ସମୟରୁ ନ ହୋଇଲେ ସାବଧାନ ଆହେ ଗଙ୍ଗାପୁତ୍ର ଭୀଷ୍ମ,
ଅଧର୍ମ ମାର୍ଗରେ ଯାଇ କରୁରବ ଗଉରବ ହେବ ଭଷ୍ମ।
ଡେଙ୍ଗା ମୁଣ୍ଡେ ଠେଙ୍ଗା ପରି ସବୁ ଦୋଷ ଯିବ ତୁମ୍ଭରି ଉପରେ,
ପିତାମହ ତୁମ୍ଭେ ଦାୟୀ ହେବ କୁରୁ ଗଲେ ଅଧର୍ମ ପଥରେ।”

ବାସୁଦେବଙ୍କର ପ୍ରଶ୍ନକୁ ଏଡାଇ ବୋଇଲେ ଗଙ୍ଗା ନନ୍ଦନ,
“ମାତା ସତ୍ୟବତୀ,ବିଦୂର ସହିତେ ଦେଖା କରି ଯିବ କୃଷ୍ଣ।”
ଦରବାରୁ ନେଇ ବିଦାୟ କେଶବ ଗଲେ ସତ୍ୟବତୀ ପାଶ,
ଉଚିତ ସମୟେ ଗଙ୍ଗାସୁତ ସହ ବିଦୂର ହେଲେ ପ୍ରବେଶ।
କୃଷ୍ଣଙ୍କ କର୍ଣ୍ଣରେ ଯାହା ଅତିଧୀରେ କହିଲେ ବିଜ୍ଞ ବିଦୂର,
ସ୍ମିତ ହସ ଯଦୁପତିଙ୍କ ମୁଖରେ ଆଣିଦେଲା ତା ସତ୍ବର।
ବୋଇଲେ ବିଦୂର”ଏ ସମ୍ବାଦ ଧୀର ଅଟେ ଅତି ଗୋପନୀୟ,
ପଞ୍ଚ ପାଣ୍ଡବଙ୍କ ସୁରକ୍ଷା ପାଇଁ ତା ପିତାମହଙ୍କ ନୀର୍ଣ୍ଣୟ।
କୁରୁ ପରିବାରେ ତିନିଜଣ ଛଡା ଅନ୍ୟ କେହି ନଜାଣନ୍ତି,
ବିଦୂର,ଗାଙ୍ଗେୟ ବ୍ୟତିରେକ, ମାତା ସତ୍ୟବତୀ ଜାଣିଛନ୍ତି।”
ଗୋପନୀୟ ସମ୍ବାଦକୁ ଗୋପନୀୟ ରଖିବାର ପ୍ରତିଶୃତି,
ଦେଇ ବାହାରିଲେ ପାଞ୍ଚାଳ ଯାତ୍ରାରେ ବିଦାନେଇ ଯଦୁପତି।
ବୋଇଲେ ଗାଙ୍ଗେୟ “ଶୁଣହେ ବାର୍ଷ୍ଣେୟ,ଯା କରୁଛ ପ୍ରଭୁକର,
ଯାଜ୍ଞସେନୀ ହାତ ଧରି କୌରବଙ୍କ ସଙ୍ଗେ ନକରିବ ବୈର।”
ସ୍ମିତ ହସ ହସି ତହୁ ଯଦୁବଂଶୀ ଫେରିଲେ ବିଦାୟ ନେଇ,
ପଥେ ଉଦ୍ଧବଙ୍କୁ ଡକାଇ ପାଶକୁ ବୋଇଲେ ଦ୍ବାରକା ସାଇଁ।
“ରାକ୍ଷସାବର୍ତ୍ତକୁ ତୁରନ୍ତ ଉଦ୍ଧବ ଗୋପନେ କର ଗମନ,
ଯତୁଗୃହମଧ୍ୟୁ ଯାଇ ପଣ୍ଡୁପୁତ୍ରେ କରୁଛନ୍ତି ଅବସ୍ଥାନ।
ଗଙ୍ଗା କୂଳେ କୂଳେ ଯାଇଛନ୍ତି ସେହୁ,ଯିବ ତୁମ୍ଭେ ସେହି ପଥେ,
ନାଗଲୋକ ଠାରୁ ନେବ ସହାୟତା ପଡିବ ଯେବେ ବିପଦେ।
ନାଗକୂଟ ରାଜା ‘ଆର୍ଯ୍ୟକ’ ଅଟନ୍ତି ତୁମ୍ଭର ପ୍ରପିତାମହ,
ଅନାୟାସେ ସହାୟତା ତାଙ୍କଠାରୁ ପାଇବ ତୁମ୍ଭେ ନିଶ୍ଚୟ।

ପାଣ୍ଡବ ସମ୍ବାଦ ଆଣିବ ଉଦ୍ଧବ ଦେଇ ତାଙ୍କୁ ଆଶ୍ବାସନା,
କହିବ ଧର୍ମଙ୍କୁ ପାଞ୍ଚଭାଇ ପଛେ ଅଛନ୍ତି ଯାଦବ ସେନା”।
କ୍ରମଶଃ…………

Click to rate this post!
[Total: 0 Average: 0]

Leave a Reply