Friday, April 26, 2024
Uncategorized

ସ୍ବୟମ୍ବର
…..୧୬….
ଶ୍ରୀକୃଷ୍ଣଙ୍କର ବିନମ୍ର ପ୍ରତ୍ୟାଖ୍ୟାନ
***********************
ବହୁ ପ୍ରତୀକ୍ଷିତ ସମୟର ଆଗମନେ,
ହୃଷ୍ଟମନେ ଦ୍ରୁପଦ ଭେଟିଲେ ଜନାର୍ଦ୍ଦନେ।
କୃଷ୍ଣଙ୍କର ଅପେକ୍ଷାରେ ଥିଲେ ରାଜେଶ୍ବର,
ପହଞ୍ଚି ରାଜାଙ୍କୁ ପ୍ରଣମିଲେ ଚକ୍ରଧର।
ଶ୍ବେତଶ୍ମଶ୍ରୁ,ତେଜୋଦୀପ୍ତ ମୁଖ ରାଜାଙ୍କର,
ମଥାରେ ଶୋଭେ ଉଜ୍ବଳ କିରୀଟ ସ୍ବର୍ଣ୍ଣର।
ମାଣିକ୍ୟରେ ପୂର୍ଣ୍ଣ କଳେବର ଆଭୂଷଣ,
ହସ୍ତିଦନ୍ତ ସିଂହାସନେ ନୃପତି ଆସୀନ।
କୋଳାଗ୍ରତ କରି ରାଜା ଦେବକୀ ନନ୍ଦନ,
ଏକାନ୍ତେ ଚର୍ଚ୍ଚାପାଇଁକି  ବଳାଇଲେ ମନ।
ସାତ୍ୟକିଙ୍କୁ ଦେଇ ତହିଁ ରାଜ ସନମାନ,
ଅତିଥି ଗୃହରେ ରଖାଇଲେ ଧୃଷ୍ଟଦ୍ୟୁମ୍ନ।

ବିନା ଉପକ୍ରମଣିକା ଦେଇ ପାଞ୍ଚାଳେଶ,
ବୋଇଲେ “ହେ ବାସୁଦେବ ସନ୍ଦିପନୀ ଶିଷ୍ୟ।
ତୁମ୍ଭେ ହି ଯୋଗ୍ୟ ଜାମାତା ମୋ କଲ୍ୟାଣୀ ପାଇଁ,
ପାଞ୍ଚାଳ ତୁମ୍ଭ ସମ୍ବନ୍ଧ ଚାହେଁ ଯଦୁସାଇଁ।
ରୂପମତୀ କୃଷ୍ଣା ମୋ ଧୀମତୀ ତେଜସ୍ବିନୀ,
ଯଜ୍ଞରୁ ସଂଭୂତା ତେଣୁ ନାମ ଯାଜ୍ଞସେନୀ।”

ହସି ବୋଇଲେ ଶ୍ରୀକୃଷ୍ଣ “ମୁଁ ଛାର ଗୋପାଳ,
ଆର୍ଯ୍ୟାବର୍ତ୍ତେ ଘୂରିବୁଲେ ମୁଣ୍ଡେ ନାହିଁ ଚାଳ।
ଦ୍ବାରକାଧିପତି ବୋଲି ବୋଲୁଥାନ୍ତି ସିନା,
ମୁଁ ବା କିସ ଦ୍ବାରକାର ଜଗୁଆଳୀ ବିନା?
ଚକ୍ରବର୍ତ୍ତୀ ଘରେ ରାଜା କନ୍ୟା ଦାନକର,
କୃଷ୍ଣା କିପାଁ ହେବ ବଧୂ ଗଉଡ କୃଷ୍ଣର?”

ଶୁଣି ବୋଇଲେ ଦ୍ରୁପଦ “ତୁମ୍ଭ ପରିଚୟ,
ଆମ୍ଭପାଶେ ଅଜ୍ଞାତ କି ଦେବକୀ ତନୟ?
ତୁମ୍ଭ ବଡପଣ,ଥାଇ ଏତେ ବଡପଣ,
ନିଜକୁ ମଣୁଛ ସାଧାରଣେ ସାଧାରଣ।
ରାଜା ନହୋଇ ବି ତୁମ୍ଭେ ରାଜରାଜେଶ୍ବର,
ମୁକୁଟହୀନ ସମ୍ରାଟ ଏ ଆର୍ଯ୍ୟାବର୍ତ୍ତର।
ଗୋପାଳ ହୋଇ ମାନବ ଗାଈ ଚରାଉଛ,
ପ୍ରେମ,ଭକ୍ତି ଦୁଗ୍ଧ ସମସ୍ତଙ୍କୁ ପିଆଉଛ।
କୂଟନୀତି ସଂଜ୍ଞା କରିଅଛ ନିରୂପଣ,
ରଣଛଡା ହୋଇ ମଧ୍ୟ ଜିଣୁଅଛ ରଣ।
ତୁମ୍ଭ ହସ ଦେଖି ହସ୍ତୁ ଖଡ୍ଗ ପଡେ ଖସି,
ବିଚକ୍ଷଣ ତୁମ୍ଭ ବୁଦ୍ଧି ଯଦୁବଂଶ ଶଶି।
ସାଧୁର ବାନ୍ଧବ ତୁମ୍ଭେ ଅସାଧୁର ଯମ,
ଧର୍ମର ରକ୍ଷକ ତୁମ୍ଭେ ଅଧର୍ମକୁ ବାମ।
ଆହେ କୃଷ୍ଣ ସନାତନ ଧର୍ମ ରକ୍ଷାକାରୀ,
ତୁମ୍ଭେ ଯାର ମିତ୍ର ସେ ତ ବିଶ୍ବ ଜୟକାରୀ।
ଜାମାତା ହୋଇଲେ ମୋର ହୋଇବି କୃତାର୍ଥ,
ଦ୍ରୋଣ ହତ୍ୟା ଯଜ୍ଞ ମୋର ହେବନାହିଁ ବ୍ୟର୍ଥ।”

ବୋଇଲେ କେଶବ “ଯାଜ୍ଞସେନ ନରମଣି,
କିଏ ବା ନହେବ ଖୁସି ଏ ପ୍ରସ୍ତାବ ଶୁଣି?
କୃଷ୍ଣାଙ୍କୁ ପାଇବ ଭାଗ୍ୟେ ଥିବଟି ଯାହାର,
ରୂପ,ଗୁଣେ ରାଜକନ୍ୟା ବିସ୍ମୟ ମହିର।
କିନ୍ତୁ ମୋର ବିବଶତା ଦେଖ ପାଞ୍ଚାଳେଶ,
ପରିବାର ସମ୍ପର୍କୀୟ ମୋର କୁରୁବଂଶ।
କୁରୁବଂଶ ସଙ୍ଗେ ସଦା ବିବାଦ ତୁମ୍ଭର,
କିପରି ଏ ବିବାହ ସମ୍ଭବ ଆହେ ଧୀର?
କୃଷ୍ଣାଙ୍କୁ ବିବାହ କରି ଆହେ ନରସାଇଁ,
କୌରବ-ଯାଦବ ବିବାଦ ମୁଁ ଚାହେଁନାହିଁ।
ଆହେ ନୃପ ଆର୍ଯ୍ୟାବର୍ତ୍ତେ ପାଞ୍ଚାଳ,ହସ୍ତିନା,
ଧର୍ମପଥଗାମୀ ଦୁଇ ଶକତି ଟି ସିନା।
ହୋଇ ତୁମ୍ଭର ଜାମାତା ସେହି ବିବାଦର,
ଅଶୀଂଦାର ହେବିନାହିଁ ଆହେ ଦଣ୍ଡଧର।”
ବାସୁ ଦେବଙ୍କର ଅସମ୍ମତ ବାଣୀ ଶୁଣି,
ନିରାଶ ହୋଇ ଚାହିଁଲେ ଦ୍ରୁପଦ ନୃମଣି।
କ୍ରମଶଃ……

Click to rate this post!
[Total: 0 Average: 0]

Leave a Reply