Friday, April 26, 2024
Uncategorized

ସ୍ବୟମ୍ବର
….୨୫…
କୁନ୍ତିଙ୍କ ସ୍ମୃତି ଚାରଣ
(ରାଜପୁତ୍ରଙ୍କ ଅସ୍ତ୍ରବିଦ୍ୟା ପ୍ରଦର୍ଶନ)
***********************
ଭାସି ଯାଉଥିଲା କୁନ୍ତୀଙ୍କ ଆଖିରେ ଚିତ୍ରପଟ ହସ୍ତିନାର,
କିପରି ପ୍ରାସାଦେ ଅନାହୁତ ସମ ରହିଥିଲେ ପଞ୍ଚବୀର।
ରାଜକୁମାରଙ୍କ ଶିକ୍ଷା ଉପରାନ୍ତେ ଧାର୍ଯ୍ୟହେଲା ଏକ ଦିନ,
ଯେ ଯାହାର ଅସ୍ତ୍ରବିଦ୍ୟାର ପଟୁତା କରିବାକୁ ପ୍ରଦର୍ଶନ।
ନବର ସମୀପେ ପ୍ରଶସ୍ତ ପ୍ରାଙ୍ଗଣ ସଜ୍ଜିତ ହେଲା ସେ ନେଇ,
ନିମନ୍ତ୍ରିତ ହେଲେ ନଗ୍ର ପ୍ରଜାଗଣ ଉତ୍ସବ ଦର୍ଶନ ପାଇଁ।
ଧୃତରାଷ୍ଟ୍ର,ଭୀଷ୍ମ,ଦ୍ରୋଣ,କୃପ ସହ ବିଦୂର ଥିଲେ ଆସୀନ,
ରାଣୀ ଅନ୍ତଃପୁର ବାସିନୀଙ୍କପାଇଁ ଥିଲା ସ୍ବତନ୍ତ୍ର ବିଧାନ।
ଝିନ୍ନ ପରଦାର ଅନ୍ତରାଳେ ବସି ଦେଖୁଥିଲେ ଅନ୍ତେବାସୀ,
ସ୍ବର୍ଣ୍ଣ ସିଂହାସନେ ବସିଥିଲେ ରାଜା ଧୃତରାଷ୍ଟ୍ର କୁରୁବଂଶୀ।

ପ୍ରାଙ୍ଗଣର ଚତୁର୍ପାଶ୍ୱ ସୁରକ୍ଷିତ,ପ୍ରବେଶ ଦ୍ବାରେ ତୋରଣ-
ସ୍ବାଗତ ନିମିତ୍ତ ସୁସଜ୍ଜିତହୋଇ ଦିଶୁଥିଲା ଶୋଭାବନ।
ଗହ ଗହ ଶବ୍ଦେ କମ୍ପିଲା ପ୍ରାଙ୍ଗଣ ଆସନ୍ତେ ରାଜକୁମାରେ,
ନିଜ ଅସ୍ତ୍ରଶସ୍ତ୍ର ଧରି ଯେ ଯାହାର ବସିଲେ ସ୍ବଆସନରେ।
କୃପାଚାର୍ଯ୍ୟ କଲେ ଘୋଷଣା ଉତ୍ସବ ଆରମ୍ଭ କରିବାପାଇଁ,
ଗୁରୁଙ୍କ ପାଦରେ ନମିଲେ କୁମାରେ ଏକ ପରେ ଏକ ଯାଇ।
କଲେ ପ୍ରଦର୍ଶନ ଆଗେ ଦୁର୍ଯ୍ୟୋଧନ ଗଦା ଯୁଦ୍ଧର ପଟୁତା,
ତହୁଁ ଦେଖାଇଲେ ଗଦାଯୁଦ୍ଧ ଚମତ୍କାର ଭୀମ ବଳବନ୍ତା।
ଯୁଧିଷ୍ଠିଙ୍କ ଭାଲଯୁଦ୍ଧ,ନକୁଳଙ୍କ କୁନ୍ତ ଚାଳନା ଚାତୁରି,
ସହଦେବଙ୍କର ଖଡ୍ଗ ଚାଳନାର ପ୍ରଶଂସା ଯେ ଭୁରି ଭୁରି।
ସାରାଦିନ କୁରୁ,ପଣ୍ଡୁ ରାଜପୁତ୍ରେ ଦେଖାଇଲେ ନାନା ଖେଳ,
ଚକିତ କରିଲା ସେସବୁ ମଧ୍ୟରୁ ଅର୍ଜୁନ ଧନୁ କୌଶଳ।
ମେଘବାଣ ତେଜି ରଚିପାରୁଥିଲେ ଧନଞ୍ଜୟ ଅନ୍ଧକାର,
ପୁଣି ନେଉଥିଲେ ଉଡାଇ ସେ ମେଘ ପଠାଇ ବାୟବ୍ୟ ଶର।
ଅଗ୍ନିବାଣ ତେଜି ସୃଷ୍ଟି କରୁଥିଲେ ଲହ ଲହ ଶିଖା ପାର୍ଥ,
ଜଳବାଣେ ବୀର ସେ ଅଗ୍ନିଶିଖାକୁ କରୁଥିଲେ ନିର୍ବାପିତ।
‘ସାଧୁ ସାଧୁ’ ଶବ୍ଦେ କମ୍ପିଲା ପ୍ରାଙ୍ଗଣ,ଦୁର୍ଯ୍ୟୋଧନ ଈର୍ଷାଭରେ,
ଦାନ୍ତ କଡମଡ କରୁଥିଲା ବସି ଭାଇଙ୍କର ଗହଣରେ।

ଏ ସମୟେ ଏକ ଅଦ୍ଭୁତ ଘଟଣା ଘଟିଲା ସ୍ପର୍ଦ୍ଧା ପ୍ରାଙ୍ଗଣେ,
ଦ୍ବାରଦେଶେ ଉଭା ଦେବୋପମକାନ୍ତି ଅପୂର୍ବ ଯୁବକ ଜଣେ।
ଆଜାନୁ ଲମ୍ବିତ ବାହୁରେ ଶୋଭିତ ଜ୍ୟୋତିର୍ମୟ ଦିବ୍ୟ ଧନୁ,
ତୁଣୀରେ ପୁରିତ ଶାଣିତ ବାଣ,ତା ତେଜ ନିର୍ଗମିତ ତନୁ।
ପୃଷ୍ଠେ ଶୋଭାପାଏ ବିଶାଳ ଫଳକ କଟିଭାଗେ ଝୁଲେ ଅସୀ,
କର୍ଣ୍ଣରେ ମକର କୁଣ୍ଡଳ,ବକ୍ଷରେ କବଚ ଉଠେ ଝଲସି।
ଗୁରୁ,ଗୁରୁଜନେ କରି ନମସ୍କାର ପହଞ୍ଚି ଅର୍ଜୁନ ଆଗେ,
ବୋଇଲା”ଯେବିଦ୍ୟା କଲପ୍ରଦର୍ଶନ,ଅତି ତୁଚ୍ଛ ମୋତେ ଲାଗେ”।
ଶୁଣି ଆସ୍ଫାଳନ,ପଚାରିଲେ ଦ୍ରୋଣ”କିଏ ହେ ତୁମ୍ଭେ ନିର୍ବୋଧ?
ଦେଖାଇଲେ ସିନା ତୁମ୍ଭ ଧନୁର୍ବିଦ୍ୟା ହେବ ଆମ୍ଭ ହୃଦବୋଧ।”
ଅନୁମତି ନେଇ ଦେଖାଇଲା ଯୁବା ଅଦ୍ଭୁତ ରଣ କୌଶଳ,
ପ୍ରତି ପ୍ରଦର୍ଶନ ଅର୍ଜୁନ ସହିତ ହେଉଥିଲା ସମତୁଲ।
ଆଶ୍ଚର୍ଯ୍ୟହୋଇଲେ ସର୍ବେ,ଦୁର୍ଯ୍ୟୋଧନ ମନହୋଇଲା ଉତ୍ଫୁଲ୍ଲ,
ଆନନ୍ଦ ଉଲ୍ଲାସେ ପାଶେ ଧାଇଁଯାଇ ବନ୍ଧୁବୋଲି କଲା କୋଳ।
ବୋଇଲା ଯୁବକ,”ହେ କୁରୁ ନାୟକ ନାମ ଅଟେ ମୋର କର୍ଣ୍ଣ,
ତୁମ୍ଭର ବନ୍ଧୁତା ଯଥେଷ୍ଟ ମୋପାଇଁ ,ଲୋଡାନାହିଁ ଧନ,ଧାନ୍ୟ।
ଚାହେଁ ମୁ ତୁମ୍ଭର ଘନିଷ୍ଠ ମିତ୍ରତା,ଏହି ମୋର ଅନୁରୋଧ,
ଅନୁମତି ଦେଲେ ଗୁରୁଜନ ପାର୍ଥ ସଙ୍ଗେ ମୁଁ କରିବି ଯୁଦ୍ଧ।”

ବନ୍ଧୁସ୍ନେହେ ପୂର୍ଣ୍ଣ,ଦୁର୍ଯ୍ୟୋଧନ ମନ,କହେ ଆଲିଙ୍ଗନ କରି,
“ଆଜହୁଁ ତୁମ୍ଭେ ମୋ ପ୍ରିୟତମ ମିତ୍ର ଅଟ ହେ ବୀର କେଶରୀ”।
ଦେଖି ଏହି ଭାବ ତୃତୀୟ ପାଣ୍ଡବ କ୍ରୋଧରେ ହୋଇ ଅସ୍ଥିର,
ବୋଲେ”କିଏ ତୁମ୍ଭେ ଅନାହୂତପ୍ରାଣୀ ପାର୍ଥକୁ ଆହ୍ବାନକର?
ରଣଭିକ୍ଷା କର ନଲାଗେ କି ଡର,ଅର୍ବାଚୀନ ମୂଢମତି,
ସୂର୍ଯ୍ୟପାଶେ କେବେ ହୁଏତୁଳନୀୟ ତୁଚ୍ଛ ଖଦ୍ୟୋତର ଜ୍ୟୋତି?

ବୋଲେ କର୍ଣ୍ଣ”ଏହା ଉନ୍ମୁକ୍ତ ପ୍ରାଙ୍ଗଣ,ନୁହେଁ ଖାଲି ତୁମ୍ଭପାଇଁ,
ରଣ ଯେ ଜିଣିବ ବୀର ବୋଲାଇବ,ମିଛେ ଗରଜୁଛ କାହିଁ?”
ଦୁଇ ବୀର ହେଲେ ମୁହାଁମୁହିଁ,ସର୍ବେ ଚାହିଁଛନ୍ତି କୁତୁହଳେ,
କୃପ ଏସମୟେ ନୀତିଗତ ପ୍ରଶ୍ନ କର୍ଣ୍ଣକୁଂ ପଚାରି ଦେଲେ।
“ବୋଇଲେ “ହେ କର୍ଣ୍ଣ ଯା’ସହିତ ରଣ କରିବାକୁ ଚାହଁ ବୀର,
ମଧ୍ୟମ ପାଣ୍ଡବ ପୃଥା ନନ୍ଦନ ସେ ହସ୍ତିନା ରାଜକୁମାର।
ରାଜପୁତ୍ର ସଙ୍ଗେ ସ୍ପର୍ଦ୍ଧା ଲଢିବାକୁ ଯୋଗ୍ୟ ଉଚ୍ଚ ବଂଶଧାରୀ,
ତୁମ୍ଭ ପରିଚୟ ଦିଅ ,ତା ନହେଲେ,ଯାଅ ସ୍ଥାନ ତ୍ୟାଗକରି।”
କୃପ ପ୍ରଶ୍ନ ଶୁଣି କର୍ଣ୍ଣ ବୀରମଣି ମଥା ପୋତିଦେଲେ ଧୀରେ,
ଦେଖି ଦୁର୍ଯ୍ୟୋଧନ ତେଜି ସ୍ବଆସନ କହେ ଗର୍ଜି କ୍ରୋଧଭରେ।
“ଅଯଥା ଏ ବଂଶ ପରିଚୟ ପ୍ରଶ୍ନ କିପାଁ କର ଗୁରୁବର,
କିଏ ନଜାଣିଛି ଜନମ ବୃତ୍ତାନ୍ତ ପାଣ୍ଡୁ ପାଞ୍ଚ ଭାଇଙ୍କର?
ପିତୃତ୍ବକୁନେଇ ଅନେକ ଅପ୍ରିୟ ପ୍ରଶ୍ନ ହୋଇପାରେ ପୁଣି,
କିଏ ଧର୍ମସୁତ,କିଏ ବାୟୁପୁତ୍ର କିଏ ଇନ୍ଦ୍ର ପୁତ୍ରମଣି?
ଜନ୍ମ ଯାହାହେଉ କର୍ଣ୍ଣ ମହାବାହୁ କର୍ମେ କ୍ଷତ୍ରି ଧୁରନ୍ଧର,
ଜନ୍ମ ସିନା ଅଟେ ଦୈବର ଅଧୀନ,ପୁରୁଷାକାର ନିଜର।”
ମାନଗୋବିନ୍ଦର ଏ ଶ୍ଲେଷ ବଚନେ ବୃକୋଦର ଗଲେ କମ୍ପି,
ନିବୃତ କରିଲେ ତାଙ୍କୁ ଯୁଧିଷ୍ଠିର,ଧୀରେ କନ୍ଧେ ହସ୍ତ ଥାପି।

ତହୁଁ ଦୁର୍ଯ୍ୟୋଧନ ବୋଲେ”ସମାଧାନ ଅଛି ଗୁରୁଙ୍କ ପ୍ରଶ୍ନର,
ଆଜିଠାରୁ କର୍ଣ୍ଣ ଅଙ୍ଗଦେଶ ରାଜା,ନିର୍ଣ୍ଣୟ ଏହି ମୋହର।
ମୋ ଅଧୀନେ ଅଛି ଯେଉଁ ଅଙ୍ଗଦେଶ,ତାହାର ସେ ଦଣ୍ଡଧର,
ଅଙ୍ଗଦେଶ ରାଜା ସଙ୍ଗେ ସ୍ପର୍ଦ୍ଧାପାଇଁ କି ବାଧା ଧନଞ୍ଜୟର?”
କର୍ଣ୍ଣ ମସ୍ତକରେ ମୁକୁଟ ପିନ୍ଧାଇ ଦେଲା କୁରୁ ଯୁବରାଜ,
ଧୃତରାଷ୍ଟ୍ରଠାରୁ ନେଇ ଅନୁମତି କଲା ଅଭିଷେକ କାର୍ଯ୍ୟ।
ଯୁଦ୍ଧ କରିବାକୁ ଧନଞ୍ଜୟ ସଙ୍ଗେ କର୍ଣ୍ଣ ହୁଅନ୍ତେ ଉଦ୍ୟତ,
ସୂତ ଅଧିରଥ ସଭାସ୍ଥଳେ ଆସି ପହଞ୍ଚିଲେ ଅକସ୍ମାତ।
ପୁତ୍ରର ମସ୍ତକେ ଦେଖିଣ ମୁକୁଟ ଆନନ୍ଦେ ଝରାଇ ଲୁହ,
ଆଲିଙ୍ଗନ କଲେ ଅଧିରଥ ପୁତ୍ରେ,ବୁକୁରୁ ଉଠଇ କୋହ।
ପିତାଙ୍କର ପାଦଧୁଳି ଲଗାଇଲେ କର୍ଣ୍ଣ ତକ୍ଷଣେ ମସ୍ତକେ,
କପାଳ ଚୁମ୍ବନ କଲେ ଅଧିରଥ ମନ ଆନନ୍ଦ ପୁଲକେ।

ଦେଖି ଏ ସମସ୍ତ ଭୀମ ବଳବନ୍ତ ଉଚ୍ଚେ କଲେ ହର୍ଷଧ୍ବନୀ,
ବୋଇଲେ “ଏହାର ଜନ୍ମର ବୃତ୍ତାନ୍ତ ଜଣାଗଲା ହେ ଫାଲ୍ଗୁନୀ।
ସୂତପୁତ୍ର ଏ ତ ତୁମ୍ଭସଙ୍ଗେ ରତ,ହେବ କେହ୍ନେ ଯୁଦ୍ଧେ ବୀର?
ଏ ତ ରାଧାପୁତ୍ର,କେମନ୍ତେ ହେ ଭ୍ରାତ ହେଲା ଅଙ୍ଗ ନରବର?”
“ଏବେ ଅଙ୍ଗରାଣ ସଙ୍ଗେ କର ରଣ ଆହେ ଇନ୍ଦ୍ରଙ୍କ ନନ୍ଦନ”,
ବୋଲି ଡାକେ ଦୁର୍ଯ୍ୟୋଧନ,ଶୁଣି ପାର୍ଥ ଉଭା ତୋଳି ଧନୁର୍ବାଣ।
ଯୋଗକୁ ଏକାଳେ ପଶ୍ଚିମ ଆକାଶେ ସୂର୍ଯ୍ୟ ହୋଇଗଲେ ଅସ୍ତ।
ସ୍ପର୍ଦ୍ଧା ହେଲା ଶେଷ,ମହାଦୁଃଖେ କର୍ଣ୍ଣ ରହିଲେ ହୋଇ ନିରସ୍ତ।

ମନେପଡେ ଆଜି କୁନ୍ତିଙ୍କର ସେହି ବିଗତ ଦିନର କଥା,
ଦେଖି ରାଧେୟଙ୍କୁ ସେଦିନ ତାଙ୍କର ଘୂରିଯାଇଥିଲା ମଥା।
ରାଜପୁରେ ଫେରି ଅଶ୍ରୁ ଝରାଇଲେ କୁନ୍ତୀ କର୍ଣ୍ଣ କଥା ଝୁରି,
କବଚ,କୁଣ୍ଡଳ ଦେଖି ଜାଣିଲେ ସେ ପ୍ରଥମ ପୁତ୍ର ତାଙ୍କରି।
କ୍ରମଶଃ…….

Click to rate this post!
[Total: 0 Average: 0]

Leave a Reply