Friday, April 26, 2024
Uncategorized

ସ୍ବୟମ୍ବର
……୩୧….
(ଜରାସନ୍ଧର ନିଷ୍ପତ୍ତି)
.******************
ମଗଧର ଛାଉଣୀରୁ ମତ୍ତ ହସ୍ତୀ ପରି,
ଦୀପ୍ତ ପଦକ୍ଷେପରେ ଫେରିଲେ ଚକ୍ରଧାରୀ।
ଚିନ୍ତିତ ଯୁଯୁଧାନେ*ବୋଇଲେ ନାରାୟଣ,
“ଆସିଛି ଜରା@ ଶିବିରେ କରି ବିଷ୍ଫୋରଣ”।
ସାତ୍ୟକି ବୋଇଲେ “ଆମ୍ଭେ ନପାରିଲୁ ଶୁଣି”,
ବୋଲନ୍ତି କୃଷ୍ଣ “ତା ଶବ୍ଦହୀନ ବୀରମଣି।
ଜରାସନ୍ଧ ମସ୍ତିସ୍କରେ ସେହି ବିଷ୍ଫୋରଣ,
ନଷ୍ଟ କରିଦେବ ସମ୍ରାଟର ଚୌର୍ଯ୍ୟପଣ।
କୃଷ୍ଣାଙ୍କୁ ଚୋରି କରିବା କଥା ଭୁଲିଯାଇ,
ଘରମୁହାଁ ହେବ କାଲି ମଗଧ ଗୋସାଇଁ।
ଦେଖ କାଲି ଦ୍ରୌପଦୀଙ୍କୁ ଦେଇ ଆଶୀର୍ବାଦ,
ଫେରିଯିବ ଜରାସନ୍ଧ ନିଶ୍ଚୟ ମଗଧ।”
ଶ୍ରୀକୃଷ୍ଣଙ୍କ ଜରାସନ୍ଧ ମନ ବିଶ୍ଲେଷଣ,
ଦେଖି ଆଶ୍ଚର୍ଯ୍ୟ ଚକିତ ହେଲେ ଯୁଯୁଧାନ।

କ୍ରମେ ବିତିଲା ରଜନୀ,ହୋଇଲା ପ୍ରଭାତ,
ଗଙ୍ଗାଜଳେ ସ୍ବର୍ଣ୍ଣ ରବିକର କରେ ନୃତ୍ୟ।
କୋଳାହଳ ପୂର୍ଣ୍ଣ ହେଲା ସକଳ ଶିବିର,
ଶିବିର ଚୂଡା ଝଟକେ ଲାଗି ରବିକର।
କୁକୁଟ ରାବିଲେ ଉଚ୍ଚେ ଭାଟ କଲେ ରଟ,
ଦେବାଳୟେ ବାଜିଉଠେ ଆଳତିର ଘଣ୍ଟ।
ବେଦପାଠ ସୁଉଚ୍ଚରେ କରନ୍ତି ପଣ୍ଡିତେ,
ପ୍ରଫୁଲ୍ଲିତ ପୁଷ୍ପବନ ଭ୍ରମର ସଂଗୀତେ।
କାମ୍ପିଲ୍ୟର ପୁରେ ପୁରେ ହୁଏ ଦେବାର୍ଚ୍ଚନା,
ଘଣ୍ଟି,ଘଣ୍ଟ ଶବ୍ଦ ଆଣେ ସାତ୍ତ୍ବିକ ଚେତନା।
ଆଜି ପାଞ୍ଚାଳ ଜେମାର ହେବ ସ୍ବୟମ୍ବର,
ମନ ପ୍ରଫୁଲ୍ଲିତ ପ୍ରତି ନଗ୍ରବାସୀଙ୍କର।
ସତେ ଅବା ନିଜ କନ୍ୟା ଯିବ ଶାଶୁଘର,
ସେପରି ମନେ ଭାବନ୍ତି ପ୍ରଜା ପାଞ୍ଚାଳର।
ସେଥିପାଇଁ ଲିପାପୋଛା କରି ଘରଦ୍ବାର,
ଝୋଟି,ଚିତା ଦେଇଛନ୍ତି କେଡେ ମନୋହର!
ଦେବାର୍ଚ୍ଚନା ପ୍ରଭାତରୁ କରନ୍ତି ସକଳେ,
ଗୃହ ପୂର୍ଣ୍ଣ ହରିବୋଲ,ହୁଳହୁଳି ରୋଳେ।
ଦ୍ବାରେ ଦ୍ବାରେ ଆମ୍ବପତ୍ର ତୋରଣ ଝୁଲଇ,
ଦୁଇପାଶେ ରମ୍ଭାଗଛ,ପୂର୍ଣ୍ଣକୁମ୍ଭ ଥୋଇ।
ବରୁଣପୂଜା କରନ୍ତି ପ୍ରତି ପୁରନାରୀ,
ଦେବାଳୟେ ବାଜେ ଘଣ୍ଟା,ମୃଦଙ୍ଗ,ମହୁରୀ

ଏଣେ ନିଜ ଶିବିରରେ ବୃହଦ୍ରଥ ସୁତ &,
ବିନିଦ୍ର ରଜନୀ ଅନ୍ତେ ହୋଇ ଚିନ୍ତାଗ୍ରସ୍ତ।
ସହଦେବ# ପାଶେ କଲା ସମସ୍ତ ବଖାଣ,
ବୋଇଲା “ସତ କହୁଛି ଗୋପାଳ ନନ୍ଦନ।
କନ୍ୟା ହରଣ କରିବା ଅଟଇ ଦୁଷ୍କର,
ସ୍ପର୍ଦ୍ଧାରେ ଜିଣିବା ନୁହେଁ ସହଜ ବ୍ୟାପାର।
ମଗଧ ସମ୍ମାନ ପାଇଁ ଫେରିଯିବା ଶ୍ରେୟ,
ତା ନହେଲେ ଅପମାନ ହୋଇବ ନିଶ୍ଚୟ।
କନ୍ୟା ହରଣ ସମୟେ ଯୁଦ୍ଧେ ଗଲେ ହାରି,
ସରିଯିବ ମଗଧର ଶୌର୍ଯ୍ୟ,ବିର୍ଯ୍ୟ,ଶିରୀ।
ସ୍ପର୍ଦ୍ଧାରେ ହାରିଲେ ହେବ ଘୋର ଅପମାନ,
ଆମ୍ଭ ବୀରତ୍ବକୁ ଧିକ୍କାରିବେ ରାଜାଗଣ।
ତେଣୁ ମୋ ସିଦ୍ଧାନ୍ତ,ଯାଇ ପାଞ୍ଚାଳ ସଭାରେ,
କନ୍ୟା ଆଶୀର୍ବାଦ ଅନ୍ତେ ଫେରିଯିବା ପୁରେ।
ଏତେ ବୋଲି ସଜହେଲା ରାଜା ଜରାସନ୍ଧ,
ସହଦେବ କରେ ପ୍ରତ୍ୟାବର୍ତ୍ତନ ପ୍ରବନ୍ଧ।
କ୍ରମଶଃ…………..

* ଯୁଯୁଧାନ—ସାତ୍ୟକି
@ଜରା—ଜରାସନ୍ଧ
&ବୃହଦ୍ରଥ ସୁତ–ଜରାସନ୍ଧ
#ସହଦେବ–ଜରାସନ୍ଧର ପୁତ୍ର।

Click to rate this post!
[Total: 0 Average: 0]

Leave a Reply