ଘୋଷଯାତ୍ରା….୩
…………………….
ପଠିଆଇ ଥିଲେ କାଲି ଆଜ୍ଞାମାଳ ଶ୍ରୀଜୀଉ ତିନି ରଥକୁ,
ରଥଖଳା ମଧ୍ୟୁ ତିନିରଥ ଆସିଛନ୍ତି ସିଂହଦୁଆରକୁ।
ପ୍ରଭୁଙ୍କୁ ନେବାପାଇଁ,
ରହିଛନ୍ତି ଉଲ୍ଲସିତ ହୋଇ।
ଆଗେ ତାଳଧ୍ବଜ ପଛେ ନନ୍ଦିଘୋଷ ମଝିରେ ଦେବଦଳନ,
ଏକୁ ଏକେ ଶୋଭା ଦିଶନ୍ତି ଯେସନେ ସୁଧର୍ମାର ସିଂହାସନ,
ଉଡେ ଆକାଶେ ନେତ,
ଦେଖି ଭକ୍ତ ମନ ଉଲ୍ଲସିତ।
ଦୁଇ କୋଡି ପାଞ୍ଚ ଫୁଟ ଉଚ୍ଚତା ଯେ ବଳିଆଙ୍କ ତାଳଧ୍ବଜ,
ଚତୁର୍ଦଶ ଗୋଟି ଚକ,ତା ଉପରେ ନାଲି,ନେଳି କନା ସାଜ,
ଦିଶଇ ଝିଲି ମିଲି,
ବସିଛନ୍ତି ସାରଥି ମାତଳି।
ତା ପଛକୁ ଦର୍ପଦଳନ ସଜ୍ଜିତ ବସିବେ ହଳଦିମୁହୀଁ,
ନାଲି,କଳା ରଂଗ କନାରେ ଆବୃତ ହୋଇଛି ରଥର ଦେହି,
ଲାଗିଛି ଚକ ବାର,
ତହିଁ ସାରଥି ଅର୍ଜୁନ ବୀର।
ପଛେ ନନ୍ଦିଘୋଷ ଷୋଳ ଚକା ରଥ,ଦାରୁକ ଯାର ସାରଥି,
ନାଲି,ହଳଦିଆ କନା ଆବରଣେ କି ସୁନ୍ଦର ରଥ କାନ୍ତି!
ମନକୁ କରେ ଛନ୍ନ,
ରଥ ଶୀର୍ଷେ ବାନର କେତନ।
ପହଣ୍ଡିରେ ନାଚି ନାଚି ଆସୁଛନ୍ତି କି ଛନ୍ଦେ ତିନି ଠାକୁରେ!
ପଣ୍ଡା ମାନଙ୍କର କଚ୍ଚା ଖାଇ ଖାଇ ହସୁଛନ୍ତି ଭାବଭୋଳେ,
ଦେଖି ଏ ଦିବ୍ୟ ଛବି,
ଭକତର ମନ ଯାଏ ଦ୍ରବି।
ଛେରାପହଁରାକୁ ବିଜେ କରିଲେଣି ଗଜପତି ମହାରାଜେ,
ପାଲିଙ୍କିରେ ଆସି ଠାକୁର ରାଜାଯେ ରଥକୁ କଲେଣି ବିଜେ,
ସୁନା ପହଁରା ଘେନି,
ମାର୍ଜନା କରନ୍ତି ରଥ ତିନି।
ଭାବଭୋଳେ ଛେରାପହଁରା କରନ୍ତି ଗଜପତି ଓଡିଶାର,
ପଗଡିରେ ବଗସାମଲ ହଲୁଛି ନେତ୍ରେ ଆନନ୍ଦାଶ୍ରୁ ଧାର,
ହରିବୋଲ ଶବଦେ,
ବଡଦାଣ୍ଡ କମ୍ପିଉଠେ ନାଦେ।
କ୍ରମଶଃ……..