ଘୋଷଯାତ୍ରା….୬

ଘୋଷଯାତ୍ରା….୬….
…………………….
ବିମଳା କଥାରେ ଗୋପନ ଯାତ୍ରାରେ ବାହାରିଲେ ଠାକୁରାଣୀ,
ପାଇ ଏ ସନ୍ଦେଶ ହୋଇଲେ ଉଲ୍ଲାସ ଆଡପେ ମଉଡମଣି,
ତାଙ୍କୁ କିବା ଅଜଣା,
ସେତ ଜଗନ୍ନାଥ ଜଗଜ୍ଜିଣା।

ଗୁଣ୍ଡିଚା ମନ୍ଦିରେ ଯଜ୍ଞମଣ୍ଡପରେ ଶ୍ରୀଜିଉ ହୁଅନ୍ତି ବେଶ,
ଠାକୁରାଣୀଙ୍କର ଅଙ୍ଗସଙ୍ଗ ଲାଗି ମନେ ଭରିଛି ଉଲ୍ଲାସ,
ଦତ୍ତ ମହାପାତରେ,
ଶିଙ୍ଗାର ଅରନ୍ତି ଆନନ୍ଦରେ।

ଘଣ୍ଟା ଘଣ୍ଟା ଧରି ଶିଙ୍ଗାର ହୁଅନ୍ତି କମଳା ତୋଷିବାପାଇଁ,
କାଲି ପଞ୍ଚମୀରେ ହେରା କରିବାକୁ କମଳା ଆସିବେ ଧାଇଁ,
ପ୍ରଭୁ ରସିକମଣି,
କି ସୁନ୍ଦର ଦିଶେ ତାଙ୍କ ଠାଣି!

ଲକ୍ଷ୍ମୀ ଠାକୁରାଣୀ ମାଜଣା ହୁଅନ୍ତି ପାଳିଆ ମହାଜନରେ,
ଆଭୂଷଣ,ଅଳଙ୍କାର,ପାଟ୍ଟଶାଢି ପିନ୍ଧି ଭଣ୍ଡାର ଗୃହରେ,
ହାତେ ଧରି ଅଞ୍ଜନେ,
ବାହାରନ୍ତି ଶ୍ରୀହରି ରଞ୍ଜନେ।

ଶ୍ରୀମନ୍ଦିର ବଟବୃକ୍ଷ ତଳେ ଥିଲା ବିମାନ ସଜ୍ଜିତହୋଇ,
ଆରୋହି ତହିଁରେ ବଡ ପଟୁଆରେ ଯାଆନ୍ତି ଜଗତ ମାଈ,
ବଡଦାଣ୍ଡ ଉଛୁଳେ,
ଢୋଲ ଘଣ୍ଟା ନାଦ ତାଳେ ତାଳେ।

ଆଲଟ ଚାମର ପଡୁଛି ବିମାନେ କି ସୁନ୍ଦର ଠାକୁରାଣୀ!
ଶରଧା ବାଲିରେ ନନ୍ଦିଘୋଷ ପାଶେ ଆସି ପହୁଞ୍ଚିଲେ ପୁଣି,
ପତି ମହାପାତରେ,
ପହଞ୍ଚିଲେ ତହିଁ ତତପରେ।

କ୍ରମଶଃ

Click to rate this post!
[Total: 0 Average: 0]

Leave a Reply

Your email address will not be published. Required fields are marked *